ମଡେଲ ଗ୍ରାମ ପଦକ୍ଷେପକୁ ବ୍ୟାପକ କରିଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଏହାର ମଡେଲ ଗ୍ରାମ ପଞ୍ଚାୟତ (ମଡେଲ ଜିପି) ପଦକ୍ଷେପ ଅଧିନରେ ଆଉ ୧୪ଟି ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସଶକ୍ତିକରଣ ଦିଗରେ ପ୍ରୟାସ ଜାରି ରଖିଛି । ପୂର୍ବରୁ କମ୍ପାନୀ ସମଗ୍ର ଦକ୍ଷିଣ ଓଡିଶାରେ ସଫଳତାର ସହ ୧୧୩ଟି ମଡେଲ ଗ୍ରାମ ପଞ୍ଚାୟତ ବିକଶିତ କରିଛି, ଯାହା ଦ୍ୱାରା ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି । ଏହି ପଦକ୍ଷେପ ଉନ୍ନତ ବିଜୁଳି ସେବା ପ୍ରଦାନ ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ବେଳେ ଭରସାଯୋଗ୍ୟ ବିଦୁ୍ୟତ ଯୋଗାଣ, ସମୟାନୁସାରେ ମିଟର ରିଡିଂ ଏବଂ ବିଲିଂ, ନୂତନ ସଂଯୋଗ, ଅଭିଯୋଗ ପ୍ରତିକାର ଓ ଉତ୍ତମ ଗ୍ରାହକ ସେବା ସୁନିଶ୍ଚିତ କରେ । ଏହାସହ ବୈଦୁ୍ୟତିକ ସୁରକ୍ଷା, ଗୋଷ୍ଠୀ ସଚେତନତା ଏବଂ ଡିଜିଟାଲ ସଶକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ଭିତ୍ତିଭୂମି ବିକାଶ ଏବଂ ସୁରକ୍ଷା ସଚେତନତା ଆବଶ୍ୟକ କରୁଥିବା ଗ୍ରାମ ପଞ୍ଚାୟତ ପାଇଁ ଏହି ମଡେଲ ଜିପି ଅଭିଯାନ ପ୍ରସ୍ତୁତ କରାଯାଇଛି । ଟିପିଏସ୍ଓଡିଏଲ୍ କାର୍ଯ୍ୟ ପରିସର ଅନ୍ତର୍ଭୁକ୍ତ ୮ଟି ଜିଲ୍ଲାରୁ ଗ୍ରାମ ପଞ୍ଚାୟତଗୁଡ଼ିକୁ ଚିହ୍ନଟ କରାଯାଉଛି, ଯାହା ଫଳରେ ଏସବୁ ଅଞ୍ଚଳରେ ସେବାର ଗୁଣବତ୍ତାରେ ଉନ୍ନତି ଘଟିଛି । ସେହିପରି ମଡେଲ ଗ୍ରାମ ପଞ୍ଚାୟତଗୁଡ଼ିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଜୀବିକା ପ୍ରୋସôାହନ କାର୍ଯ୍ୟକ୍ରମ ଏବଂ ଶକ୍ତି ସଂରକ୍ଷଣ ସଚେତନତା ପାଇଁ କ୍ଲବ୍ ଏନର୍ଜି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହାସହ ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ଏବଂ ଉନ୍ନତ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ନୂତନ ବିଦୁ୍ୟତ ଖୁଣ୍ଟ ସ୍ଥାପନ, ନୂଆ କେବୁଲ୍ ସଂଯୋଗ, ବିତରଣ ଟ୍ରାନ୍ସଫର୍ମର କ୍ଷମତା ବୃଦ୍ଧି ଇତ୍ୟାଦି ପଦକ୍ଷେପ ମାଧ୍ୟମରେ ବିଦୁ୍ୟତ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି । ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ମଡେଲ ଜିପି ପଦକ୍ଷେପ ମାଧ୍ୟମରେ ଏକ ସମାବେଶୀ ବିକାଶକୁ ଆଗେଇ ନେବା ଦିଗରେ ଆମେ ପ୍ରତିବଦ୍ଧ । ଏହା କେବଳ ଉନ୍ନତ ବିଜୁଳି ଯୋଗାଣରେ ସୀମିତ ନୁହେଁ, ବରଂ ଜନସାଧାରଣଙ୍କୁ ସଶକ୍ତ କରିବା ପାଇଁ ମଧ୍ୟ ଏଥିରେ ଲକ୍ଷ୍ୟ ରହିଛି । ନୂତନ ଭାବେ ୧୪ଟି ଗ୍ରାମ ପଞ୍ଚାୟତ ଯୋଡ଼ି ହେବା ପରେ ବର୍ତ୍ତମାନ ମୋଟ ୧୨୭ଟି ମଡେଲ ଗ୍ରାମ ପଞ୍ଚାୟତ ରହିଛି ।