ଅଦିନିଆ ରଥଯାତ୍ରା ବନ୍ଦ କଲେ କୋନାବିରାବାସୀ

 ନୂଆପଡା :  କୋମନା ବ୍ଲକ କୋନାବିରା ଗ୍ରାମରେ ପ୍ରଥମଥର ପାଇଁ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାରେ ହେବ ରଥଯାତ୍ରା । ୧୯୯୭ ମସିହାରୁ କାର୍ଭିକ ଚର୍ତୁଦ୍ଦଶୀରେ ରଥଯାତ୍ରା ଓ ପୂର୍ଣ୍ଣିମାରେ ବାହୁଡ଼ା ଯାତ୍ରା କରୁଥିଲେ । ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଏଭଳି ଅଦିନିଆ ରଥଯାତ୍ରାକୁ ନେଇ ଆପତ୍ତି ଉଠାଇଥିଲେ । ମନ୍ଦିର କମିଟି କର୍ମକର୍ତ୍ତାଙ୍କୁ କାର୍ତ୍ତିକ ବଦଳରେ ଆଷାଢ଼ରେ ଯାତ୍ରା କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ପୂର୍ବରୁ ଚାଲିଆସୁଥିବା କାର୍ତ୍ତିକମାସର ରଥଯାତ୍ରାକୁ ବନ୍ଦ କରିବାକୁ ସ୍ଥିର କରିଛନ୍ତି ପରିଷଦ । ଗତବର୍ଷ ଏସଂକ୍ରାନ୍ତୀୟ ଖବର ଲୋକଲୋଚନକୁ ଆସିବା ପରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ସଂଚିତା ମହାନ୍ତି ଏକ ଆଠଜଣିଆ ଟିମ୍ ଗଠନକରି କୋନାବିରା ଗାଁକୁ ପଠାଇଥିଲେ । ଟିମ୍ ସେଠାକୁ ଯାଇ ଏଭଳି ଅଦିନିଆ ରଥଯାତ୍ରା ନ କରିବାକୁ ଗ୍ରାମବାସୀଙ୍କୁ  ବୁଝାଇଲେ ବି ସେମାନେ ବୁଝି ନ ଥିଲେ । ପରେ ପରିଷଦର ସଭାପତି ଶ୍ରୀମତୀ ମହାନ୍ତି ଗ୍ରାମବାସୀଙ୍କ ସହ କଥାହୋଇ ଭୁବନେଶ୍ୱର ଆସିବାକୁ ନିମନ୍ତ୍ରଣ କରିଥିଲେ । କୋନାବିରା ଗାଁର ଶିବ ପ୍ରସାଦ ମାଝି, ଜଗନ୍ନାଥ ମାଝି, ଛତ୍ରପତି ମାଝି ଓ ହରି ମାଝିଙ୍କୁ ନେଇ ଗାଁର ଏକ ଚାରିଜଣିଆ ପ୍ରତିନିଧୁ ଦଳ ଭୁବନେଶ୍ୱର ଯାଇଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର କାର୍ଯ୍ୟକାରିଣୀ ବୈଠକରେ ସେମାନଙ୍କ ସହ ଆଲୋଚନା ହୋଇଥିଲା । ପରିଷଦର ସଦସ୍ୟ ରାଣାପ୍ରତାପ ପାତ୍ର ଓ ଅଜୟ ପଟ୍ଟନାୟକ କୋନାବିରା ଗାଁର ପ୍ରତିନିଧି ଦଳକୁ ପୁରୀ ଶ୍ରୀମନ୍ଦିରକୁ ନେଇଥିଲେ । ସେଠାରେ ଏକ ସ୍ୱତନ୍ତ୍ର ସଭା ହୋଇଥିଲା । ଦଇତାପତିଙ୍କ ସଭାପତି ଗଣେଶ ଦାସ ମହାପାତ୍ର, ସୁଦର୍ଶନ ପୂଜା ପଣ୍ଡା ଓ ଅନ୍ୟ ଦଇତାପତି ସେବକମାନଙ୍କ ସହ ରଥଯାତ୍ରା ସମ୍ବନ୍ଧୀୟ ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନା ପରେ କୋନାବିରା ଗାଁର ପ୍ରତିନିଧିଦଳ ଗ୍ରାମବାସୀଙ୍କ ସହ ଏକ ଆଲୋଚନା କରି ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦକୁ ତାଙ୍କ ନିଷ୍ପଭି ଜଣାଇବେ ବୋଲି କହିଥିଲେ । ଶେଷରେ ସେମାନେ ପରିଷଦର ସଭାପତି ସଞ୍ଚିତା ମହାନ୍ତିଙ୍କୁ ଟେଲିଫୋନ ଯୋଗେ ଜଣାଇଥିଲେ ଯେ, ଚଳିତ ବର୍ଷ ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ହିଁ ରଥଯାତ୍ରା କରାଯିବ ।