ଖଡ଼ିଆଳ ମହୋତ୍ସବ ଉଦ୍ୟାପିତ

  ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ରାଜା ଏଟି ହାଇସ୍କୁଲ ଖେଳ ପଡିଆ ଠାରେ କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ ତଥା ଲୋକକଳାର ବାର୍ତ୍ତାବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୧୯ତମ ସଂସ୍କରଣ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ସମାରୋହରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସମ୍ମାନିତ ଅତିଥି ଭାବେ ବିଧାୟକ ଧର୍ମଗଡ଼ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଜୟପୁର ତାରା ପ୍ରସାଦ ବାହିନୀପତି, ବିଧାୟକ ବରି ବିଶ୍ୱରଞ୍ଜନ ମଲ୍ଲିକ, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ପ୍ରମୁଖ ଯୋଗଦାନ କରି ଖଡ଼ିଆଳ ମହୋତ୍ସବ ଅଞ୍ଚଳର ବିଲୁପ୍ତ କଳା ଐତିହ୍ୟ, ସଂସ୍କୃତି, ସାହିତ୍ୟ ତଥା ଲୋକକଳାର ବାର୍ତ୍ତାବହ ସାଜିଥିବାରୁ ଅନେକ ଅନେକ ସାଧୁବାଦ ଅର୍ପଣ କରିଥିଲେ । ବୋଡ଼େନ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ପ୍ରାଧ୍ୟାପକ ସାମୁଏଲ ଦାନୀ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଅର୍ପଣ ସମାଜସେବୀ ଅକ୍ଷୟ କୁମାର ନନ୍ଦ ପ୍ରଦାନ କରିଥିଲେ । ପରେ ଷ୍ଟାର ନାଇଟରେ  ପ୍ରସିଦ୍ଧ ବଲିଉଡ ଗାୟକ ଜାଭେଦ ଅଲିଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତ ଓ ଡାନ୍ସ ପରିବେଶ କରାଯାଇଥିଲା । ଷ୍ଟାର ନାଇଟରେ ଲକ୍ଷାଧିକ ଜନସାଧାରଣଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ପାଞ୍ଚଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ମହୋସôବ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ, ସମ୍ପାଦକ ସୁନୀଲ କୁମାର ସାହୁ, ଉପସଭାପତି ବିଶ୍ୱଜିତ ପାଢ଼ୀ, ବରିଷ୍ଠ କର୍ମକର୍ତ୍ତା ସୁଶାନ୍ତ କୁମାର ତାଣ୍ଡି, ଗିରିଧାରୀ ବିଭାର, ଡ.ସୁଶାନ୍ତ କୁମାର ତାଣ୍ଡି, ପବିତ୍ର ମୋହନ ପ୍ରଧାନ, ଗଙ୍ଗାଧର ମହାଉତି, ଅମରେଶ କୁମାର ପଟ୍ଟନାୟକ, ସୁରେନ୍ଦ୍ର କୁମାର, ଭୋଦେବ ସାହୁ ସମେତ ଶତାଧିକ ମହୋତ୍ସବ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।