ପାଣି ପାଇଁ ଡହଳ ବିକଳ ସାରଙ୍ଗପୁର ହାଟିଂବାସିନ୍ଦା

ଦାନଗଦୀ : ପ୍ରବଳ ଗ୍ରୀଷ୍ମଲହରୀ ସହିତ ଜଳ କଷ୍ଟରେ ଆଉଟ ପାଉଟ ହେଲେଣି ଜନସାଧାରଣ । ଖରାଦିନେ ପାଣିର ଆବଶ୍ୟକତା ଅନ୍ୟ ଋତୁ ଅପେକ୍ଷା ଅଧିକ ଥିବାବେଳେ ପାଣି ଚୁଆରେ ଶୁଖିଯିବା କଳିଙ୍ଗନଗର ଶିଳ୍ପାଞ୍ଚଳର ନୀଳାଚଳ କାରଖାନା ପାଚେରୀ ପାଖରେ ଥିବା ସାରଙ୍ଗପୁର ହାଟିଂ ବାସିନ୍ଦାଙ୍କ ପାଇଁ ବଡ଼ ସମସ୍ୟାର କାରଣ ହେଲାଣି । ବିଭିନ୍ନ ଅଞ୍ଚଳରୁ ଆସି ହାଟିଂ କରି ଆଦିବାସୀ ଲୋକମାନେ ରହୁ ରହୁ ଧୀରେ ଧୀରେ ଏଠିକାର ବାସିନ୍ଦା ହୋଇଗଲେଣି । ସେମାନଙ୍କର ମୁଖ୍ୟ ସମସ୍ୟା ହେଲା ପାଣି, ଖରାଦିନ ଆସିଲେ ଏହି ହାଟିଂରେ ବସବାସ କରୁଥିବା ୪୦୦ରୁ ଊଦ୍ଧ୍ୱର୍ ପରିବାର ହା’ହତାସ ହୋଇପଡ଼ନ୍ତି । ୧୦୦୦ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଠ ହାଟିଂର ବାସିନ୍ଦା ପାଖରେ ଥିବା ଚୁଆ ପାଣି ଉପରେ ନିର୍ଭର କରନ୍ତି । ଯେଉଁ ମାନଙ୍କ ପାଇଁ ସରକାରୀ ସ୍ତରରେ ପାଣିର କୌଣସି ବ୍ୟବସ୍ଥା ନାହିଁ । ରହୁ ରହୁ ବସତି ସ୍ଥାପନ କରିଥିବା ପରିବାର ଅନ୍ୟଦିନେ ଚଳିଯାଉଥିବା ବେଳେ ଖରାଦିନେ ଡ଼ହଳବିକଳ ହୁଅନ୍ତି । ଖରା ଯୋଗୁ ଚୁଆଟି ଶୁଖି ଯାଉଥିବାରୁ ପୂର୍ବ ଭଳିଆ ଆଉ ପାଣି ରହୁନାହିଁ । ଏଣୁ ଚୁଆ ଉପରେ ନିର୍ଭର କରୁଥିବା ପରିବାର ପାଣି ପାଇଁ ସକାଳ ସଞ୍ଜରେ ପ୍ରବଳ ଭିଡ଼ ଜମାଉଛନ୍ତି । ଯେତିକି ପାଣି ଝରାଉଛି ସଙ୍ଗେ ସଙ୍ଗେ ଠେଲା ପେଲା ହୋଇ ଲୋକେ ନେଇ ଯାଉଛନ୍ତି । ଚୁଆ ପାଣିରେ ସେମାନଙ୍କ ପିଇବା ଗାଧୋଇବା ସବୁ କାମ ହୁଏ । ଜନସଂଖ୍ୟା ବଢିବା ସହିତ ତାଙ୍କ ହାଟିଂରେ ଥିବା ନଳକୂପର ପାଣି ପିଇବା ପାଇଁ ଉପଯୁକ୍ତ ନୁହେଁ । ଭାତ ମଧ୍ୟ ଭଲ ହେଉନାହିଁ ବୋଲି ଏହି ଚୁଆର ଝର ପାଣି ଉପରେ ସମସ୍ତେ ନିର୍ଭର କରି ଚଳନ୍ତି । ସାରଙ୍ଗପୁର ହାଟିଂର ଜଳ ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜଳ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାପାଇଁ ହାଟିଂ ବାସୀ ଦାବି କରିଛନ୍ତି ।