"ବିସ୍ଥାପନ ନୁହେଁ ଚିରସ୍ଥାୟୀ ବିକାଶ ଆମର ଦାବି'
ଅନୁଗୁଳ: ପୁରୁଣାକୋଟ ଥାନା ଅଞ୍ଚଳରୁ ସ୍ଥାନୀୟ ବନ ବିଭାଗ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପ ଆଳରେ ଗୋଟିଏ ପରେ ଗୋଟିଏ ଗ୍ରାମକୁ ବିସ୍ଥାପନ କରି ଚାଲିଛି । ଗତ ୨ ବର୍ଷ ମଧ୍ୟରେ କଟରଙ୍ଗ, ଟୁଲୁକା, ଅଶନବାହଳ ଓ ଭୂର୍କୁଣ୍ଡି ଗ୍ରାମକୁ ବିଭାଜନ ନୀତିରେ ବିସ୍ଥାପନ କରିବାରେ ସଫଳ ହୋଇଛି । ସରକାରୀ ଆଇନ୍ ଓ ନିୟମାବଳୀକୁ ଉପେକ୍ଷା କରି ତରବରିଆ ଭାବେ ଗ୍ରାମବାସୀଙ୍କୁ ଶସ୍ତାରେ ଶାଗମାଛ ଦରରେ ପ୍ରାୟ ୭ ଶହ ପରିବାରକୁ ବାସଚୁ୍ୟତ କରାଯାଇଛି । ଏପରିକି ବାସଚୁ୍ୟତ ହେବା ପରେ ବିସ୍ଥାପିତ ପରିବାରଙ୍କ ମୌଳିକ ସୁବିଧା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ବିସ୍ଥାପନକୁ ବିରୋଧ କରିଥିବା ପରିବାରକୁ ଜାଣିଶୁଣି ହଇରାଣ କରାଯାଇ ବିସ୍ଥାପନ ପ୍ରଦାନ କରାଯାଇନାହିଁ । ଗ୍ରାମବାସୀଙ୍କ ହଜାର ହଜାର ଲିଖିତ ଅଭିଯୋଗକୁ ବନ ବିଭାଗ ଆଦୌ କର୍ଣ୍ଣପାତ କରି ନାହିଁ । ଏଥିନେଇ କ୍ଷତିଗ୍ରସ୍ତ ପ୍ରଭାବିତ ପରିବାର ଉଚ୍ଚÿ ନ୍ୟାୟାଳୟ, ମାନବ ଅଧିକାର କମିଶନ, ଅନୁସୂଚିତ ଜନଜାତି କମିଶନ ଓ ଭିନ୍ନକ୍ଷମ କମିଶନଙ୍କ ନିକଟରେ ମାଳମାଳ କେସ୍ ରୁଜୁ କରିଥିବା ଜଣାଯାଇଅଛି । ସାତକୋଶିଆ ବନଖଣ୍ଡର ଅଧିକାରୀ ୭ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ଦ୍ୱାରା ଗ୍ରାମଗୁଡିକୁ ବିସ୍ଥାପନ ନାମରେ ଭାଂଗି ଦେଉଛନ୍ତି । ତେବେ ପଲ୍ଲୀସଭାରେ ଗୋଟିଏ ସାହି ବିସ୍ଥାପନକୁ ସହମତି ପ୍ରଦାନ କରିଥିବା ବେଳେ କେଉଟସାହି ଓ ନୂଆସାହିର ବାସିନ୍ଦାମାନେ ପଲ୍ଲୀସଭାକୁ ବର୍ଜନ କରିଥିଲେ । ଟିକରପଡା ପଞ୍ଚାୟତର ରାମିମୁଣ୍ଡା ଆମ୍ବ ତୋଟାରେ ପ୍ରାୟ ୫ ଶହ ଗ୍ରାମବାସୀ ଯୋଗଦାନ କରି ବେଆଇନ୍ ବିସ୍ଥାପନକୁ ଦୃଢ ବିରୋଧ କରିଥିଲେ । ସମସ୍ତ ଗ୍ରାମର ଗ୍ରାମ ସଭାପତି,ସଂପାଦକ ଏବଂ ଅନ୍ୟାନ୍ୟ ଗ୍ରାମ ସ୍ତରୀୟ ମୁଖିଆ ମାନେ ବିସ୍ଥାପନକୁ ଦୃଢ ବିରୋଧ ସମ୍ବନ୍ଧୀୟ ମତ ଦେଇଥିଲେ । ଏପରିକି ବନ ବିଭାଗ ବିକାଶ କାର୍ଯ୍ୟ ଯଥା ରାସ୍ତା ନିର୍ମାଣ, ପୋଲ ନିର୍ମାଣ, ଟେଲିଫୋନ୍ ଲାଇନ୍, ପାନୀୟ ଜଳ ପାଇପ୍ ଲାଇନ୍ ,ଗ୍ରାମ୍ୟ ଚଲାପଥକୁ କଟକଣା ନାମରେ ବନ୍ଦ କରୁଥିବାକୁ ନିନ୍ଦା କରାଯାଉଥିଲା । ସ୍ୱେଚ୍ଛାକୃତ ଗ୍ରାମ ବିସ୍ଥାପନ ସମ୍ବନ୍ଧୀୟ ରହିଥିବା ଆଇନ୍, ନୀତି, ସରକାରୀ ଗାଇଡ ଲାଇନ୍ ଉପରେ ଆଇନଜୀବୀ ପ୍ରସନ୍ନ କୁମାର ବେହେରା ପ୍ରାଞ୍ଜଳ ଭାବେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ । ବନ ବିଭାଗ ଆଇନ୍ ଓ ନିୟମାବଳୀର ଅନୁପାଳନ ପୂର୍ବକ ସଠିକ୍ କାର୍ଯ୍ୟକାରୀ କରୁ ନ ଥିବା ଗ୍ରାମବାସୀଙ୍କୁ ଦର୍ଶାଇଥିଲେ । ବିସ୍ଥାପିତ ଗ୍ରାମବାସୀ ବାଘ ପାଇଁ ସର୍ବସ୍ୱ ହରାଇଥିବା ବେଳେ ସେମାନଙ୍କୁ ସମ୍ମାନ ପ୍ରଦାନ ପରିବର୍ତ୍ତେ ଶୋଷଣ କରାଯାଇଥିବା ଆଲୋଚନା କରାଯାଇଥିଲା । ଗ୍ରାମବାସୀମାନେ ସାମୂହିକ ଭାବେ ଗ୍ରାମ ବିସ୍ଥାପନକୁ ବିରୋଧ କରିବାକୁ ଦୃଢ଼ ନିଷ୍ପତି ଗ୍ରହଣ କରିଥିଲେ । ଏପରିକି ବନ ବିଭାଗକୁ ଅସହଯୋଗ କରାଯିବାକୁ ଆଲୋଚନା କରିଥିଲେ । ଗ୍ରାମକୁ ବିଭାଜନ କରି ଏବଂ ଉପଯୁକ୍ତ କ୍ଷତିପୂରଣ ନ ଦେଇ ବେଆଇନ ବିସ୍ଥାପନ ପାଇଁ ବନ ବିଭାଗକୁ ମହଙ୍ଗା ପଡିବ ବୋଲି ଶ୍ରୀ ବିଶୋଇ ପ୍ରକାଶ କରିଥିଲେ । ଗ୍ରାମରେ ଦଲାଲି ସୃଷ୍ଟି କରି ଅସତ୍ ଅର୍ଥ କାରବାର କରି ବନ ବିଭାଗ ଗ୍ରାମକୁ ବିସ୍ଥାପନ ପାଇଁ ସବୁମତେ ଉଦ୍ୟମ କରୁଥିବାକୁ ତ୍ରିନାଥ ସାହୁ ପ୍ରକାଶ କରିଥିଲେ । ସଭାର ସଭାପତି ଜ୍ଞାନରଞ୍ଜନ ସାହୁ ଆମ୍ଭକୁ ଏକତା ରକ୍ଷା କରି ଦୃଢ଼ ମୁକାବିଲା ପାଇଁ ଆଇନର ଆଶ୍ରୟ ନେବା ସହିତ ଶାନ୍ତିପୂର୍ଣ୍ଣ ଆନେ୍ଦାଳନ କରିବାକୁ ମତାମତ ପ୍ରଦାନ କରିଥିଲେ ।