ଜମି ଦେଉଛି, ଦଖଲ ଦେଇପାରୁନି ଇଡ଼କୋ କଳିଙ୍ଗନଗରରେ ସରକାରଙ୍କ ଲକ୍ଷ୍ୟ ସାଧନ ହେଉନି
ାା ପ୍ରଭାନୁ୍ୟଜ ।ା ଯଖପୁରା: ଓଡ଼ିଶାକୁ ବିକଶିତ କରିବା ପାଇଁ ସରକାର ଅନେକ ଉଦ୍ୟମ ଜାରୀ ରଖିଛନ୍ତି । ରାଜ୍ୟର ବିକାଶ ନିମନ୍ତେ ଦେଶ ବିଦେଶରୁ ଅନେକ ଶିଳ୍ପପତିଙ୍କୁ ପୁଞ୍ଜିବିନିଯୋଗ ପାଇଁ ଓଡ଼ିଶା ନିମନ୍ତ୍ରଣ କରୁଛନ୍ତି । ସରକାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ମାଧ୍ୟମରେ ଛୋଟ ମଧ୍ୟମ ଧରଣ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଚେଷ୍ଟା କରିଛନ୍ତି । ସରକାରଙ୍କ ମୂଳ ଲକ୍ଷ୍ୟ ରାଜ୍ୟର ବିକାଶ କରିବା ଆଉ ନିଯୁକ୍ତି ସୃଷ୍ଟି କରିବା । ସେଥିପାଇଁ ଦେଶ ବିଦେଶରୁ ଅନେକ ଶିଳ୍ପପତି ତଥା ଯୁବ ଉଦ୍ୟୋଗୀ ଓଡ଼ିଶା ଧାଇଁ ଆସୁଛନ୍ତି । ଏକ୍ଷେତ୍ରରେ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହୁଛନ୍ତି । ସେ ପାଣି ହେଉ କି ସଡ଼କ ହେଉ କି ଜମି ସବୁପ୍ରକାର ସହଯୋଗ କରିବା ପାଇଁ ଶିଳ୍ପପତି ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଅନେକ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇପାରୁନି । ଫଳରେ ଅନେକ ଯୁବ ଉଦ୍ୟୋଗୀ ହୁଅନ୍ତୁ ବା ଶିଳ୍ପପତି ଉଦ୍ୟୋଗ କର୍ଯ୍ୟକରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହା ପଛରେ ଜମି ଅଧିଗ୍ରହଣ ପ୍ରମୁଖ କାରଣ ହୋଇପଡ଼ିଛି । ନିରିଖେଇ ଦେଖିଲେ ଏହାର ସତ ସାମ୍ନାକୁ ଆସୁଛି । ରାଜ୍ୟ ସରକାରଙ୍କ ଅଧୀନସ୍ଥ ସଂସ୍ଥା ଇଡକୋ ଶିଳ୍ପପତିମାନଙ୍କୁ କାରଖାନା ନିର୍ମାଣ ପାଇଁ ଜମି ଯୋଗେଇ ଦେଉଛି ସତ ମାତ୍ର ଶିଳ୍ପପତି ହୁଅନ୍ତୁ ଅଥବା ଯୁବ ଉଦ୍ୟୋଗୀ ମାନଙ୍କୁ ଜମିର ଦଖଲ ଦେବାରେ ବିଫଳ ହେଉଛି । ଫଳରେ ଇଡକୋ ଠାରୁ ବର୍ଷ ବର୍ଷ ଧରି ଜମି ଅଧିଗ୍ରହଣ କରି ମଧ୍ୟ ଶିଳ୍ପପତି କାରଖାନା ନିର୍ମାଣ କରିପାରୁ ନାହାଁନ୍ତି । କାରଣ ସାଜିଛି ଇଡକୋ ଜମି ଦଖଲ ଦେବାରେ ବିଫଳ ହୋଇଛି । ଜ୍ୟୋତି ଫିଲିଙ୍ଗ ଷ୍ଟେସନକୁ ଏକ ଉଦାହରଣ ଭାବରେ ନିଆଯାଇପାରେ । ଜ୍ୟୋତି ଫିଲିଙ୍ଗ ଷ୍ଟେସନ ପରି ଯୁବ ଉଦ୍ୟୋଗୀକୁ ଇଡକୋ କଳିଙ୍ଗନଗର ଅଞ୍ଚଳର ଦଶମାଣିଆ ମୌଜାରେ ୫୦ଡିସିମିଲି ଜମି ଦେଇଛି । ମାତ୍ର ଫିଲିଙ୍ଗ ଷ୍ଟେସନ ତାର କାର୍ଯ୍ୟ ଆରମ୍ଭ କରିପାରୁ ନାହିଁ । କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଆଦେଶ ପାଇସାରିବା ପରେ ମଧ୍ୟ କାର୍ଯ୍ୟର ଅଗ୍ରଗତି ହୋଇପାରୁ ନାହିଁ । କାରଣ ପାଇଥିବା ଜମିରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଅନେକ ପ୍ରକାର ବାହାନା ଦେଇ ସମସ୍ୟା ସୃଷ୍ଟି କରାଯାଉଛି । ଅନେକ ସମୟରେ ଇଡକୋର ଜମି ସମସ୍ୟା ପାଇଁ କାର୍ଯ୍ୟ ଅଗ୍ରଗତି କରିପାରୁ ନାହିଁ । ଇଡକୋ ଜମି ଦଖଲ ଦେବାରେ ବିଫଳ ହେଉଥିବାରୁ ସ୍ଥାନୀୟ ରାଜନୈତିକ କାରଣରୁ ହେଉ କି ସ୍ଥାନୀୟ ସମସ୍ୟା ପାଇଁ ହେଉଥିବା ପ୍ରକଳ୍ପକୁ ବାରମ୍ବାର ବିରୋଧ କରାଯାଉଛି । ଫଳରେ ଇଡକୋ ଠାରୁ ଜମି ଅଧିଗ୍ରହଣ କରିଲା ପରେ ମଧ୍ୟ କମ୍ପାନୀ ସବୁ ନିଜର ଛୋଟ ମଧ୍ୟମ ଧରଣର ଶିଳ୍ପକୁ ଆଗେଇ ନେଇପାରୁ ନାହାଁନ୍ତି । ଇଡକୋ ଜମି ଦେଉଛି ସତ ମାତ୍ର ଦଖଲ ଦେଇପାରୁ ନାହିଁ । ଫଳରେ କଳିଙ୍ଗନଗରରେ ଅନେକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି ଆଉ କିଛି ଶିଳ୍ପକୁ ସ୍ଥାନୀୟ ଲୋକ ବିରୋଧ କରୁଥିବାରୁ ତାହା ନିର୍ମାଣ ହୋଇପାରୁ ନାହିଁ । ଫଳରେ ସରକାର ଯେଉଁ ଲକ୍ଷ୍ୟରେ ଶିଳ୍ପପତି ମାନଙ୍କୁ ନିମନ୍ତ୍ରଣ କରି କାରଖାନା ନିର୍ମାଣ ପାଇଁ ଜମି ଦେଉଛନ୍ତି ତାହା ସଫଳ ହୋଇପାରୁ ନାହିଁ । ଇଡକୋ ପାଇଁ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରୁ ନାହିଁ । ଅନେକ ଶିଳ୍ପ ହେବ ହେବ ବୋଲି ହୋଇପାରୁ ନାହିଁ । ଫଳରେ ଜମି ସମସ୍ୟା ପାଇଁ ଶିଳ୍ପ ପ୍ରତି ଶିଳ୍ପପତି ମାନେ ବିମୁଖ ହେଉଛନ୍ତି ।