ପାଠକଙ୍କ ସାବାସୀରେ ମନ ପୂରୁଛି; ଅଭାବ ଅନାଟନ ଦୂର ହେଉନି


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ରାତି ପାହିଲେ ସମସ୍ତଙ୍କର ଖୋଜା ପଡ଼ନ୍ତି ସିଏ । ଆଉ ପାଠକ ମାନେ ଚାହିଁ ବସିଥାନ୍ତି ତାଙ୍କ ଆସିବା ବାଟକୁ ।   ସକାଳୁ ସକାଳୁ ସାଇକଲ ଖଣ୍ଡେ ଧରି ପାଠକଙ୍କ ନିକଟରେ ପହଞ୍ଚାଇ ଦିଅନ୍ତି ଦେଶ ବିଦେଶର ତାଜା ତାଜା ଖବର ସବୁକୁ । ପାଠକେ ଗରମାଗରମ ଖବର ପାଇ ସାବାସି ଦିଅନ୍ତି ତାଙ୍କୁ । ସେ ଆଉ କେହି ନୁହନ୍ତି ଅଞ୍ଚଳର ସବୁଠୁ ପୁରୁଖା ଖବରକାଗଜ ବିତରକ ଅକ୍ଷୟ ଦାସ ବା ଆମ ସମସ୍ତଙ୍କ ଅତି ଅପଣାର ନାଣ୍ଡୁ ଭାଇନା । ନାଣ୍ଡୁ ଭାଇନା । ବୟସ ୫୯ । ଘର ରସୁଲପୁର ବ୍ଲକ ଅଧିନ ବ୍ରହ୍ମବରଦା ପଞ୍ଚାୟତର ୧୦ ନମ୍ବର ୱାର୍ଡର ଦଳିତ ସାହିରେ । ଦୀର୍ଘ ୩୦ରୁ ଊଦ୍ଧ୍ୱର୍ ବର୍ଷ ହେବ ଜଣେ ସରଳ, ନିଷ୍କପଟ ଓ ସଚ୍ଚୋଟ ଖବରକାଗଜ ବିତରକ ଭାବେ ସେ ବ୍ରହ୍ମବରଦା ତଥା ଆଖପାଖ ଅଞ୍ଚଳରେ ବେଶ ପରିଚିତ । କି ଶୀତ, କି ବର୍ଷା କି ଖରାତାତି ଏସବୁ କିଛିକୁ ଖାତିର ନକରି ଦୈନିକ ରାତି ୪ରୁ ଉଠି ଛୁଟିଯାନ୍ତି ଦୀର୍ଘ ୧୨କିମି ଦୂର ବରୁଆଁ କିମ୍ୱା ୧୭ କିମି ଦୂର କୁଆଖିଆକୁ ବିଭିନ୍ନ ଗଣମାଧ୍ୟମର ଖବରକାଗଜ ସଂଗ୍ରହ କରିବାକୁ । ଆଉ ସେଠାରୁ ଫେରିଲା ପରେ ପୁଣି ସକାଳ ୬ରୁ ଖାଲି ପେଟରେ ସାଇକଲ ଖଣ୍ଡେ ଧରି ବାହାରି ପଡ଼ନ୍ତି ନିଜ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଖବରକାଗଜ ବିତରଣ କରିବାକୁ । ଏହା ହେଉଛି ତାଙ୍କର ନିତିଦିନିଆ କାମ । ଦୈନିକ ସେ ନିଜ ଅଞ୍ଚଳର ମଙ୍ଗଳପୁର, ମହେଶ୍ୱରପୁର, ବ୍ରହ୍ମବରଦା ଓ ବନ୍ଧଢିଅ ଆଦି ପଞ୍ଚାୟତର ଦୀର୍ଘ ୫ରୁ ୭ କିଲୋମିଟର ଅଞ୍ଚଳ ବ୍ୟାପୀ ସାଇକଲରେ ବୁଲିବୁଲି ଖବରକାଗଜ ବିତରଣ କରି ଦିନ ୧୨ଟାକୁ ଘରକୁ ଫେରନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ ପରିଶ୍ରମ କରନ୍ତି କିନ୍ତୁ ଏଥିରେ ପେଟ ପୁରେ ନାହିଁ । ଏହା ତାଙ୍କର ପେସା ନୁହେଁ ବରଂ ଏକ ନିଶା ବୋଲି କୁହନ୍ତି ସେ । ଏହି ନିଶା ତାଙ୍କର ଛ’ପ୍ରାଣୀ କୁଟୁମ୍ବକୁ ପ୍ରତିପୋଷଣରେ ଏବେ ବାଧକ ସାଜିଛି । ବହୁ ଅଭାବ ଅନାଟନରେ ଏବେ କଟୁଛି ତାଙ୍କର ପାରିବାରିକ ଜୀବନ । କାରଣ ଆଧୁନିକ ସମୟରେ ଖବରକାଗଜ ପଠନ ପ୍ରତି ପାଠକଙ୍କ ଆଗ୍ରହ କମି ଯାଉଥିବାରୁ ରୋଜଗାର ଦିନକୁଦିନ କମିକମି ଯାଉଛି । କାରଣ ସେ କୁହନ୍ତି ପ୍ରଥମରୁ ସେ ମାତ୍ର ୨୪ଖଣ୍ଡ ଖବର କାଗଜରୁ ହିଁ କାର୍ଯ୍ୟ ଆରମ୍ଭ କରି ଦିନେ ପାଞ୍ଚ ସହ ଖଣ୍ଡ ଖବରକାଗଜ ବିତରଣ କରୁଥିଲେ । କିନ୍ତୁ ଧୀରେଧୀରେ ସମୟ ବଦଳିବା ସହ ବହୁଳ ଭାବେ ଇଲେକ୍ଟ୍ରୋନିକ ମିଡିଆର ପ୍ରବେଶ ଓ ସୋସିଆଲ ମିଡିଆର ପ୍ରଭାବ ବିସ୍ତାର ଫଳରେ ଦିନକୁ ଦିନ ଖବରକାଗଜର ପାଠକଙ୍କ ସଂଖ୍ୟା କମିବାରେ ଲାଗିଛି । ଯାହା ତାଙ୍କର ଦୈନିକ ରୋଜଗାର ଉପରେ ପ୍ରଭାବ ପକାଇବା ସହ ଏବେ ଦିନକୁ ମାତ୍ର ଦୁଇ ଶହରୁ ଅଢେଇ ଶହ ଖଣ୍ଡ ଖବରକାଗଜ ବିକ୍ରୟ ହେଉଛି । ଯାହା ଦିନକୁ ମଜୁରୀଟିଏବି ପଡୁ ନଥିବା ବେଳେ ନିଜ ପରିବାର ଚଳେଇବା ବହୁ କଷ୍ଟକର ହୋଇପଡିଛି । କିନ୍ତୁ ସେ କେବେ ହାର ମାନିନାହାନ୍ତି ବୋଲି କୁହନ୍ତି । ତା’ଛଡା ବୟସ ଅଧିକ ହେତୁ ସେ ଆଉ ପୂର୍ବପରି ସବୁ ଅଞ୍ଚଳ ବୁଲିବୁଲି ଖବରକାଗଜ ବିତରଣ କରି ପାରୁନଥିବାରୁ ୩ ପୁଅ ମଧ୍ୟରୁ ଜଣେ ଏହି ପନ୍ଥାରେ ତାଙ୍କୁ ସହଯୋଗ କରୁଛନ୍ତି । ଆଉ ଦୁଇପୁଅ କିଛି କାମଧନ୍ଦା ନପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ବିଭିନ୍ନ ଗଣମାଧ୍ୟମର ଖବରକାଗଜ ବିତରଣ କରି ସାମାଜକୁ ଦୀର୍ଘ ୩୦ବର୍ଷ ହେବ ସେବା ଯୋଗାଇଥିବା ନାଣ୍ଡୁଙ୍କୁ ଆଜି ପର୍ଯ୍ୟନ୍ତ ସେମିତି କିଛି ସରକାରୀ ସହାୟତା ମିଳିନି । ଯାହା କେବଳ କରୋନା ସମୟରେ ସରକାରଙ୍କ ତରଫରୁ ମାତ୍ର ୬ହଜାର ଟଙ୍କା ମିଳିଥିଲା ବାସ ସେତିକି । କିନ୍ତୁ ତାଙ୍କୁ ସରକାରଙ୍କ ତରଫରୁ ଜଣେ ଖବରଦାତା ଭାବେ ପରିଚୟ ପ୍ରମାଣ ପତ୍ର ମିଳିବା ସହ ତାଙ୍କୁ ପେନସନ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି । ସେ ଯାଜପୁର ଟାଉନର ମା’ବିରଜା ଖବରକାଗଜ ବିତରକ ସଂଘର ସଦସ୍ୟ ହୋଇଥିଲେ ମଧ୍ୟ କେବେ ବି ଖବରକାଗଜ ପ୍ରତିଷ୍ଠାନ ପକ୍ଷରୁ ତାଙ୍କୁ ସେମିତି କିଛି ସହାୟତା ମିଳିନଥିବା ସେ କହିଛନ୍ତି । ଏମିତିକି ଶୀତ ଓ ବର୍ଷା ଦାଉରୁ ରକ୍ଷା ପାଇଁ ତାଙ୍କୁ ଶୀତବସ୍ତ୍ର, ରେନ୍କଟ କିମ୍ବା ଛତା ଗୋଟିଏ ବି ମିଳେନାହିଁ ବୋଲି ଅତ୍ୟନ୍ତ ଦୁଃଖର ସହ କୁହନ୍ତି । ତଥାପି ସବୁ ଦୁଃଖକଷ୍ଟ ସହି ନିଜ କର୍ତ୍ତବ୍ୟରୁ କେବେ ଓହରି ନାହାନ୍ତି ସିଏ । ଆଉ ସବୁଠୁ ବଡ଼ କଥା ହେଲା ଖବର କାଗଜ ବିତରକ ଭାବେ ତାଙ୍କୁ ସରକାରୀ ବୀମା ପରିସରଭୁକ୍ତ ମଧ୍ୟ କରାଯାଇନାହିଁ । ସାମ୍ବାଦିକ ମାନଙ୍କ ପରି ସରକାରଙ୍କ ତରଫରୁ ଖବରକାଗଜ ବିତରକ ମାନଙ୍କୁ ମଧ୍ୟ ସରକାରୀ ବୀମା ପରିସରଭୁକ୍ତ କରିବାକୁ ସେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ଦେଖାଯାଉ ୩୦ବର୍ଷକାଳ ଲୋକଙ୍କ ସେବାରେ ସମର୍ପିତ ନାଣ୍ଡୁଙ୍କୁ କେବେ ଉଚିତ ମୂଲ୍ୟ ମିଳୁଛି? କେବେ ତାଙ୍କ ପାରିବାରିକ ପରିସ୍ଥିତି ବଦଳୁଛି ଆଉ କେବେ ସରକାର ତାଙ୍କ ବିନତି ଶୁଣୁଛନ୍ତି ।