ଅନ୍ତ୍ୟୋଦୟ ଗୃହ ଯୋଜନା : ପ୍ରଥମ କିସ୍ତି ପାଇଛନ୍ତି ୫୭,୩୦୮ ହିତାଧିକାରୀ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଅନ୍ୟୋଦୟ ଗୃହ ଯୋଜନା (ଏଜିଜେ) ଅଧୀନରେ ବିଭିନ୍ନ ବର୍ଗର ୫୭,୩୦୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥରାଶି ପାଇସାରିଛନ୍ତି । ଏହା ରାଜ୍ୟ ସରକାରଙ୍କ ପ୍ରମୁଖ ଗ୍ରାମୀଣ ଗୃହ ନିର୍ମାଣ ପଦକ୍ଷେପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ପୋର୍ଟାଲର ସୁଗମ କାର୍ଯ୍ୟକ୍ଷମତା ଯୋଗୁ ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ଏବଂ ସ୍ୱଚ୍ଛ ଆର୍ଥିକ ସହାୟତା ପ୍ରଦାନ ସୁନିଶ୍ଚିତ ହୋଇଛି ।
ମୋଟ ୫୭,୩୦୮ ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କର ପ୍ରଥମ କିସ୍ତି ଗୃହ ସହାୟତା ପାଇଛନ୍ତି । ଏହା ବ୍ୟତୀତ, ୧,୩୬୮ ଜଣ ହିତାଧିକାରୀ ଦ୍ୱିତୀୟ କିସ୍ତି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ସ୍ୱୟଂଚାଳିତ ଆଧାର-ଆଧାରିତ ପେମେଣ୍ଟ ସିଷ୍ଟମ (ଏବିପିଏସ) ସମନ୍ୱୟ ତ୍ରୁଟିକୁ ହ୍ରାସ କରିବା ସହ ପାଣ୍ଠି ବଣ୍ଟନକୁ ତ୍ୱରାନ୍ୱିତ କରିଛି । ରାଜ୍ୟବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପ୍ରଣୀତ ହୋଇଥିଲା ଅନ୍ତ୍ୟୋଦୟ ଗୃହ ଯୋଜନା । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧ । ଏହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଏବଂ ସ୍ଥିର ଘର ନିର୍ମାଣ ପାଇଁ ଆବଶ୍ୟକ ସହାୟତା ମିଳିବ । ପୋର୍ଟାଲଟି ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହିତ ଆଗାମୀ ସପ୍ତାହଗୁଡ଼ିକରେ କାର୍ଯ୍ୟାନ୍ୱୟନର ଗତି ଆହୁରି ତ୍ୱରାନ୍ୱିତ ହେବ ।