ଅନ୍ଧାରରେ ରାମଳିଙ୍ଗମ ପାର୍କ


ବ୍ରହ୍ମପୁରରୁ ହେମାଙ୍ଗ ପ୍ରସାଦ ରାଉଳ :
ବ୍ରହ୍ମପୁର ମହାନଗର ନିଗମ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ସହିତ ସହରବାସୀଙ୍କ ଆମୋଦପ୍ରମୋଦ ପାଇଁ ବହୁ ପାର୍କ ନିର୍ମାଣ କରାଯାଇଛି । ସହର ମଧ୍ୟରେ ରାମଳିଙ୍ଗମ ପାର୍କ ଅନ୍ୟତମ ରହିଛି । ଏହି ପାର୍କକୁ ଜୁଲାଇ ୨୧ତାରିଖ ୨୦୨୧ ମସିହାରେ ଲୋକାର୍ପଣ କରାଯିବା ସହିତ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ପୋଖରୀ ମଧ୍ୟରେ ଥିବା ମହାଦେବଙ୍କ ପ୍ରତିମୂର୍ତ୍ତିରେ ଲେଜର ମୁ୍ୟଜିକ ସହିତ  ୱାଟେର ଫାଉଟେଇନର ବ୍ୟବସ୍ଥା କରାଯାଇଥିଲା । ଯାହାକି ନୂଆ ଦିଲ୍ଲୀର କେଏସଆର ବ୍ରଦର ନାମକ ଏକ ଘରେଇ କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା । ଏଥି ପାଇଁ ୬କୋଟି ୯୪ଲକ୍ଷ ଟଙ୍କା ବ୍ୟୟ କରିଥିଲା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଏହାକୁ ତିନିବର୍ଷ ପାଇଁ ଘରେଇ କମ୍ପାନୀ ସହିତ ଚୁକ୍ତିନାମା କରାଯାଇଥିଲା । ଏଥିରୁ ମିଳୁଥିବା ରାଜସ୍ୱର ୭୦ ପ୍ରତିଶତ ବିଡିଏ ନେଉଥିବା ବେଳେ ୩୦ପ୍ରତିଶତ ରାଜସ୍ୱ ଘରେଇ କମ୍ପାନୀ ନେଉଥିଲା । ତେବେ ଦୀର୍ଘ ଏକ ସପ୍ତାହ ଧରି ବନ୍ଦ ରହିଛି ପାର୍କର ଆଲୋକୀ କରଣ ସହିତ ମୁ୍ୟଜିକ ସୋ’ । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୋଟି କୋଟି ଟଙ୍କାର ବ୍ୟୟରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ କିଭଳି ଭାବେ ସରକାର ପରିବର୍ତ୍ତନ ହେବା ପରେ ଅକାମୀ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।