ଅପେରା ନାଁରେ ଜୁଆଖେଳକୁ ନେଇ ସିନେ୍ଦାଳ ଶାସନରେ ଗଣ୍ଡଗୋଳ: ୮ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ


ତିହିଡି : ଅପେରା ନାଁରେ ଜୁଆଖେଳକୁ ନେଇ ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସିନେ୍ଦାଳ ଶାସନରେ ଗଣ୍ଡଗୋଳ ଘଟିଛି । ୮ ଜଣଙ୍କ ବିରୋଧରେ୨ଟି ମାମଲା ରୁଜୁ ହୋଇଥିବା ବେଳେ ଜୁଆଖେଳ ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ୍ କରିଥିବା ସୂଚନା ମିଳିଛି । ତେବେ ଗଣ୍ଡଗୋଳ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ୍ କରିବା ଲାଗି ପୀଡିତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ମୁତାବକ, ସରସ୍ୱତୀ ପୂଜା ଉପଲକ୍ଷେ ସିନେ୍ଦାଳ ଶାସନ ଉତ୍ସବ ମୁଖର ହୋଇ ଉଠିଥିଲା । ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର କରିବା ଲକ୍ଷ୍ୟରେ କେତେକ ଯୁବଗୋଷ୍ଠୀ ଅପେରାର ଆୟୋଜନ କରିଥିଲେ । ମାତ୍ର ଅପେରା ପଛପଟେ ଜୁଆଖେଳକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । କୌଣସି କାରଣରୁ ପୋଲିସ ଖବର ପାଇ ବିଳମ୍ବିତ ରାତିରେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ଏହି ସମୟରେ ଅପେରା ଦେଖିବାକୁ  ସିନେ୍ଦାଳ ରଥସାହିର ହେମନ୍ତ ରଥ ନାମକ ଜଣେ ଯୁବକଙ୍କୁ ସେହିଗାଁର ତପନ ପାଣି, ଶୁକଦେବ ବାରିକ, ଅରୁଣ ନାୟକ, ନବକିଶୋର ବାରିକ ଓ ଜଟିଆ ଦାସ ପ୍ରମୁଖ ମାରଧର କରିଥିଲେ । ‘ତୋରି ପାଇଁ ଆମ ଜୁଆ ଖେଳ ବନ୍ଦ ହେଲା ଏବଂ ତୁ ହିଁ ପୋଲିସକୁ ଖବର ଦେଇଛୁ’ ବୋଲି ହେମନ୍ତଙ୍କୁ ଦୋଷାରୋପ କରିବା ସହିତ ତାଙ୍କୁ ଅଟକ ରଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ରାତିରେ ତାଙ୍କ ବୃଦ୍ଧା ମାଆ ଆସିବା ପରେ ତାଙ୍କୁ ଗାଳିଗୁଲଜ କରିବା ସହିତ ଏକ ଲକ୍ଷ ଟଙ୍କା ଦେଇ ତମ ପୁଅକୁ ନେଇ ଯାଆ ବୋଲି ଚେତାବନୀ ଦେଇଥିଲେ । କେବଳ ସେତିକି ନୁହେଁ ବୃଦ୍ଧାଙ୍କୁ କେତେକ ବ୍ୟକ୍ତି ଧକ୍କା ମାରିଥିଲେ ଏବଂ ସେ ତଳେ ପଡିଯିବାରୁ ତାଙ୍କୁ ଗୋଇଠା ମାରି ଚୁଟିକୁ ଧରି ଘୋଷାରିଥିଲେ । ଏଥିସହ ହେମନ୍ତଙ୍କ ଠାରୁ ମୋବାଇଲ୍ ଓ ସୁନା ଚେନ୍ ଛଡେଇ ନେଇଥିବା ଏବଂ ତାଙ୍କ ପରିବାର ପ୍ରତି ବିପଦ ରହିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ୨୯/୨୫, ଦଫା ୧୨୬(୨), ୧୧୫(୨), ୧୨୭(୨), ୨୯୬, ୩୫୧(୨), ୩୦୩(୨) ଓ ୩(୫) ବିଏନଏସ ରୁଜୁ ହୋଇଛି । ସେହିପରି ଜୁଆଖେଳର ଆୟୋଜକ ସିନେ୍ଦାଳ ଶାସନ ଗାଁର ତପନ ପାଣି ଓ ଜୁଆ ଖେଳ କରୁଥିବା ତଳଦପା ଗାଁର ଗଣେଶ ଦାସ ଓ ରବି ଦାସଙ୍କୁ ରାତିରେ ପୋଲିସ କାବୁ କରିଥିଲା । ଜୁଆଖେଳରେ ବ୍ୟବହୃତ ପାଲି, ଗୋଟି ଓ ୩୫୦ ଟଙ୍କା ଜବତ୍ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ବିରୋଧରେ ଏକ ମାମଲା ୨୮/୨୫ ରୁଜୁ କରାଯାଇ ସେମାନଙ୍କୁ ପୋଲିସ ଗିରଫ୍ କରିଥିବା ସୂଚନା ମିଳିଛି ।