ଅବକାରୀ ଚଢ଼ାଉ, ପୋଚ ଓ ଦେଶୀ ମଦ ଜବତ
ଖୋର୍ଦ୍ଧା: ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ । କୁଞ୍ଜୁରୀ ପଞ୍ଚାୟତ ବରପଦା କାଜୁ ଜଙ୍ଗଲରେ ମଦ ପ୍ରସ୍ତୁତ ହେଉଥିବାର ଖବର ପାଇ ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀଙ୍କ ନିଦେ୍ର୍ଦଶକ୍ରମେ ମୋବାଇଲ ଟିମ ସହ ବେଗୁନିଆ ଅବକାରୀ ପୁଲିସ ମିଳିତ ଭାବେ ବରପଦା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ଦେଶୀ ମଦ ଜବତ କରିଛି । ଘଟଣାରେ କାହାରିକୁ ଗିରଫ କରିବାରେ ସମର୍ଥ ହୋଇନି ଅବକାରୀ ଟିମ । କେବଳ ଜବତ କରି ନିଜର କାମ ସାରିଦେଇଥିବା ବେଳେ ଏତେ ପରିମାଣର ପୋଚ ନଷ୍ଟ ଓ ଦେଶୀ ମଦ ଜବତ କରି ଅଧିକ୍ଷକଙ୍କ ଖୁସି କରିପାରିଛି ମିଳିତ ଟିମ । ହେଲେ ଘଟଣାରେ ଜଣଙ୍କୁ ଧରିବାରେ ସକ୍ଷମ ହୋଇ ନଥିବାରୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଅବକାରୀ ଟିମ ସୂଚନା ମୁତାବକ ସଦରଥାନା ଥାନା ବରପଦା ଗ୍ରାମ ନିକଟସ୍ଥ ଜଙ୍ଗଲରେ ମଦ ପ୍ରସ୍ତୁତ ହେଉଥିବା ନେଇ ଅବକାରୀ ଅଧିକ୍ଷକଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଦେଶୀ ମଦ ରନ୍ଧା ଯାଉଥିବା ସମୟରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ ମିଳିତ ଦଳ । ଚଢ଼ାଉର ଆଗୁଆ ସୂଚନା ପାଇ ମଦ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ଦେଶୀ ମଦ ଏବଂ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ଉକ୍ତ ସ୍ଥାନରୁ ଉଦ୍ଧାର କରାଯାଇଥିବା ୧୦ ହଜାର ୮୦୦ ଲିଟର ପୋଚ ନଷ୍ଟ କରିଦିଆ ଯାଇଥିବା ବେଳେ ୯୧୦ ଲିଟର ଦେଶୀ ମଦ ଜବତ କରି ଘଟଣାରେ ୩ଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି ଗତ ମାର୍ଚ୍ଚ ୨୨ ଉକ୍ତ ବରପଦା ଜଙ୍ଗଲରୁ ୮ହଜାର ୪୦୦ଲିଟର ପୋଚ ନଷ୍ଟ କରିବା ସହ ୬୩୦ଲିଟର ଦେଶୀ ମଦ ଜବତ କରି ୩ଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିଲା । ମାର୍ଚ୍ଚ ୨୨ତାରିଖ ଏବଂ ଅପ୍ରେଲ ୧୪ତାରିଖ ପୋଚ ନଷ୍ଟ ଏବଂ ଦେଶୀ ମଦ ଜବତ ଏଭଳି ଦୁଇ ଦୁଇଟି ଘଟଣାରେ କାହାରିକୁ ଧରିବାରେ ସକ୍ଷମ ହୋଇନଥିବା ବେଳେ ଅବକାରୀ ବିଭାଗର ପାରିବା ପଣିଆଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।