ଅବକାରୀ ବାବୁଙ୍କର ୫୨ ପ୍ଲଟ୍, ୮ କୋଠା
ଭୁବନେଶ୍ୱର: ଅବକାରୀ ବିଭାଗର ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ରଙ୍କର ୬ଟି ଅଟ୍ଟାଳିକା, ୨ଟି ଫ୍ଲାଟ୍ ଏବଂ ୫୨ ଟି ପ୍ଲଟ୍ ଠାବ କରିଛି ଭିଜିଲାନସ୍ ବିଭାଗ । ଆଜି ତାଙ୍କର ୧୦ ଟି ଜାଗାରେ ଚଢ଼ଉ କରି ଭିଜିଲାନସ୍ ଏହି ଚମକପ୍ରଦ ତଥ୍ୟ ହାସଲ କରିଛି । ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତି ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଦୁଇଦିନ ତଳେ ବଲାଙ୍ଗୀର ଲୋୟଲ୍ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ସୁନୀଲ କୁମାର ରାଉତଙ୍କର ୩୪ ଟି ପ୍ଲଟ୍ ଏବଂ ୫ଟି କୋଠା ଠାବ କରିଥିଲା ଭିଜିଲାନସ୍ । ସରକାରୀ ଅର୍ଥକୁ ଲୁଟି ଅଚଳାଚଳ ସମ୍ପତ୍ତିର ମାଲିକ ବନିଥିବା ଏହି ବାବୁ ଜେଲ୍ ଯାଇଥିବା ବେଳେ ସମ୍ପତ୍ତି ଆହରଣରେ ତାଙ୍କୁ ଟପିଯାଇଛନ୍ତି ଅବକାରୀ ବାବୁ ରାମଚନ୍ଦ୍ର ମିଶ୍ର ।
ରାମଚନ୍ଦ୍ରଙ୍କର ଭୁବନେଶ୍ୱର ଆଇଗିଣିଆର ସତ୍ୟସାଇ ଏନକ୍ଲେଭ୍ ରେ ଏକ ଡୁପ୍ଲେକ୍ସ , ଖାରବେଳନଗର ଚନ୍ଦ୍ରମା କମ୍ପେକ୍ସରେ ଏକ ୨ ବିଏଚକେ ଫ୍ଲାଟ୍, ବରଗଡ଼ର ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଏକ ୨ ବିଏଚକେ ଫ୍ଲାଟ୍, ବଲାଙ୍ଗୀର ଠିକାଦାରପଡ଼ାରେ ଦୁଇଟି ତିନି ମହଲାର କୋଠା ଏବଂ ଆଉ ଗୋଟେ ଏକ ମହଲାର କୋଠା, ବୁର୍ଲାରେ ଏକ ଦୁଇମହଲା କୋଠା, ସୁବର୍ଣ୍ଣପୁରରେ ଏକ ମହଲା କୋଠା, ସୁବର୍ଣ୍ଣପୁର ତରଭାରେ ଏକ ରାଇସ୍ ମିଲ୍, ସୁବର୍ଣ୍ଣପୁରରେ ୮ ଏକର ଜାଗାରେ ଏକ ଫାର୍ମ ହାଉସ୍ ଅଛି ।
ତାଙ୍କର ସମୁଦାୟ ୫୨ଟି ପ୍ଲଟ୍ ମଧ୍ୟରୁ କେବଳ ସୁବର୍ଣ୍ଣପୁରରେ ୪୭ଟି ପ୍ଲଟ୍ ଅଛି । ସମ୍ବଲପୁରରେ ଦୁଇଟି ଏବଂ ବଲାଙ୍ଗୀରରେ ତିନିଟି ପ୍ଲଟ ଅଛି ।
ଏ ପର୍ଯ୍ୟନ୍ତ ତାଙ୍କର ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୩୧୭ ଗ୍ରାମ୍ ର ସୁନା ଅଳଙ୍କାର ସମେତ ଦାମୀ ଆସବାବପତ୍ର ଠାବ ହୋଇଛି । ବିଭିନ୍ନ ଜାଗାରେ କୋଟି କୋଟି ଟଙ୍କାର ଅନ୍ୟାନ୍ୟ ଇନଭେଷ୍ଟମେଣ୍ଟ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ରୋଚକ କଥା ହେଉଛି, ଏହି ଅବକାରୀ ବାବୁଙ୍କର ଏତେ ସମ୍ପତ୍ତିବାଡ଼ି, ଭୁବନେଶ୍ୱରରେ ଦୁଇ ଦୁଇଟି ଫ୍ଲାଟ୍ ଥିଲେ ମଧ୍ୟ ସେ ନିଜକୁ ସାଧୁ ଦେଖାଇବା ପାଇଁ ଭୁବନେଶ୍ୱର ଧର୍ମବିହାରରେ ଘରଭଡ଼ା ନେଇ ରହୁଥିଲେ ଆଉ ଧତଡ଼ା ମଟରସାଇକେଲ ବ୍ୟବହାର କରୁଥିଲେ । ଭିଜିଲାନସ୍ ଚଢ଼ଉ ପରେ ତାଙ୍କ ଗୁମର ଖୋଲିଯାଇଛି ।