ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

 କପ୍ତିପଦା: କପ୍ତିପଦା କଲେଜ କପ୍ତିପଦାରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅଧ୍ୟକ୍ଷ ପ୍ରଫେସର ନିରୋଜ କୁମାର ଖୁଣ୍ଟିଆଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ଖୁଣ୍ଟିଆ ଅବସର ନେଉଥିବା ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ତୁଷାର କୁମାର ମତ୍ତଗଜଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଗ୍ରନ୍ଥଗାରିକ ଶ୍ରୀ ମତ୍ତଗଜଙ୍କ ବହୁମୁଖୀ ପ୍ରତିଭା, ଅନୁଷ୍ଠାନ ପ୍ରତି ଉତ୍ତରଦାୟିତ୍ୱ, ଦୀର୍ଘ ୩୮ବର୍ଷର ନିଷ୍ଠାପର କର୍ମମୟ ଜୀବନ ଓ ବିଶ୍ୱସନୀୟତା ସଂପର୍କରେ ଅଧ୍ୟାପକ ଦୁଷ୍ମନ୍ତ କୁମାର ସାହୁ, ଅଧ୍ୟାପିକା କବିତା ମହାନ୍ତି, ପ୍ରୀତିନନ୍ଦା ପଣ୍ଡା, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଶରତ କୁମାର ଦାଶ, ଡଃ କବିତା ରାୟ, ସୁବ୍ରତ ମିଶ୍ର ଓ ପ୍ରଦୀପ ବେହେରାଙ୍କ ସମେତ ବହୁ ଅଧ୍ୟାପକଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀମାନେ ଆଲୋଚନା କରିବା ସହିତ ତାଙ୍କର ଅବଶିଷ୍ଟ ନିରାମୟ ଜୀବନ କାମନା କରିଥିଲେ । ବିଦାୟ ବକ୍ତବ୍ୟରେ ଶ୍ରୀ ମତ୍ତଗଜ ନିଜ ଦାୟିତ୍ୱକୁ ନିଷ୍ଠାପର ଭାବେ ସଂପାଦନ ଓ ସମସ୍ତ କର୍ମଚାରୀ, ଅଧ୍ୟାପକ,ଅଧ୍ୟାପିକାମାନଙ୍କ ସହିତ ମଧୁର ସଂପର୍କରୁ କିପରି ଆତ୍ମସନ୍ତୋଷ ମିଳେ ସେ ସଂପର୍କରେ ବକ୍ତବ୍ୟ ରଖିବା ସହିତ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।  ଅଧ୍ୟାପକ ସନ୍ତୋଷ କୁମାର ମହାନ୍ତି ପ୍ରାରମ୍ଭିକ ଭାଷଣ, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।