ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

 ମାଲକାନଗିରି: ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ସଭାପତି ବାଲାରାଜୁ ପାଢି ଏବଂ ସଂପାଦକ ଅଶୋକ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଶତାଧିକ ପେନ୍ସନ ଭୋଗୀ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ କେନ୍ଦ୍ର ସରକାର ଆପ୍ରୋସିଏସନ୍ ଆକ୍ଟ ମାଧ୍ୟମରେ ୨୦୨୬ ମସିହା ପୂର୍ବ ପର୍ଯ୍ୟନ୍ତ ଅବସର ନେଇଥିବା ବା ନେବାକୁ ଥିବା ପେନସନ୍ ଭୋଗୀମାନଙ୍କର ସମସ୍ତ ଅଧିକାର ଛିନ୍ନ କରିଛନ୍ତି । ଏପରିକି ସେମାନଙ୍କର ସାମ୍ବିଧାନିକ ଅଧିକାରକୁ ଅସ୍ୱୀକାର କରିବା ସହ ଏକାଧିକ ସୁପ୍ରିମକୋର୍ଟର ରାୟକୁ ନିଷ୍ପ୍ରଭ କରିଛନ୍ତି । ଏହାର ପୁନର୍ବିଚାର କରି ଏହି ପଦକ୍ଷେପକୁ ରଦ୍ଦ କରିବା ପାଇଁ ଉକ୍ତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର କୁମାର ମହାରଣା, ଶ୍ରୀନିବାସ ପଣ୍ଡା, ଲଡ଼ୁ କିଶୋର ପଣ୍ଡା, ସନ୍ତୋଷ କୁମାର ବିଶ୍ୱାସ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, କାଳୀ ପ୍ରସାଦ ଚୌଧୁରୀ, ଶିବ ପ୍ରସାଦ ପାତ୍ର, ଜଗନ୍ନାଥ ତିଆଡି, ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।