ଅବ୍ୟବସ୍ଥା ଘେରରେ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନା
ନୂଆପଡା : ଖଡିଆଳ ସହର ହେଉଛି ନୂଆପଡା ଜିଲ୍ଲାର ଏକ ପ୍ରମୁଖ ସହର । ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ବ୍ୟବସାୟ ପାଇଁ ଲକ୍ଷାଧିକ ଲୋକ ଏହା ଉପରେ ନିର୍ଭର କରନ୍ତି । ବିଶେଷ କରି ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଜିଲାର ଖଡିଆଳ, ବୋଡ଼ନ, ସିନାପାଲି ବ୍ଳକ ଓ ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ବ୍ଳକ ଓ ଛତିଶଗଡ ରାଜ୍ୟର ଦେଓଭୋଗ ଅଞ୍ଚଳବାସୀ ନିର୍ଭର କରିଥାନ୍ତି । କିନ୍ତୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଡାକ୍ତରଙ୍କ ସହ ଅନ୍ୟାନ୍ୟ ଅସୁବିଧା ଲାଗି ରହିଛି । ଖଡ଼ିଆଳ ଉପଖଣ୍ଡ ଚିକିସôାଳୟର ନୂତନ ଗୃହ ଉଦଘାଟିତ ହୋଇ ନଥିବା ବେଳେ ଡିଜିଟାଲ ଏକ୍ସରେ କାର୍ଯ୍ୟକ୍ଷମ ହୋଇ ପାରିନି । ଏହି ଡାକ୍ତରଖାନାରେ କୋଡ଼ିଏ ଜଣ ଡାକ୍ତର ରହିବା କଥା କିନ୍ତୁ ବାର ଜଣ ରହୁଛନ୍ତି । ତିନି ବର୍ଷ ହେଲା ସ୍ତ୍ରୀ ଓ ପ୍ରସୂତି ଡାକ୍ତର ନଥିବା ବେଳେଏହି ବିଭାଗର ଜଣେ ଅବସରପ୍ରାପ୍ତ ଡାକ୍ତର ରହିଛନ୍ତି । ସେ କିନ୍ତୁ ଅଧିକାଂଶ ସମୟ ନିଜ କ୍ଲିନିକରେ ରହନ୍ତି । ଫଳରେ ପ୍ରସବ ପାଇଁ ଅଧିକାଂଶ ମହିଳା ସ୍ଥାନୀୟ ମିଶନ ହସ୍ପିଟାଲ କିବା ନୂଆପଡା ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି । ସେହିପରି ଶିଶୁ ବିଶେଷଜ୍ଞ ଡାକ୍ତର ଅଧିକାଂଶ ସମୟ ତାଲିମ ଦେବା ପାଇଁ ନିୟୋଜିତ ହୋଇଥାନ୍ତି ଓ ନିଜ କ୍ଲିନିକରେ ସମୟ ଦେଇଥାନ୍ତି । ଏହି ହସ୍ପିଟାଲରେ ଏକ ବ୍ଲଡ଼ ବ୍ୟାଙ୍କ୍ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି କିନ୍ତୁ ସରକାର ଶୁଣୁ ନାହାନ୍ତି । ଡାକ୍ତର ଅଭାବ ଯୋଗୁ ରୋଗୀ ମାନଙ୍କୁ ରେଫର୍ କରି ଦିଆ ଯାଉଥିବା ଅଭିଯୋଗ ହେଉଛି । କେବଳ ଡାକ୍ତର ସମସ୍ୟା ନୁହଁ, ଅନ୍ୟାନ୍ୟ ଅସୁବିଧା ମଧ୍ୟ ଏହି ଡାକ୍ତରଖାନାରେ ରହିଛି । ଶୌଚାଳୟ ସବୁ ସଫା ରହୁ ନଥିବାରୁ ରୋଗୀ ଓ ସଂପର୍କୀୟ ମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଫିଲଟରକୁ ତାଲା ଦେଇଥିବାରୁ ପାନୀୟ ଜଳର ଅସୁବିଧା ହେଉଛି । ଏନେଇ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍ ଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କୁ ପଚାରିବାରୁ ପାଣି ଅଭାବ ଯୋଗୁ କିଛି ଦିନ ପରିମଳ ଅସୁବିଧା ହୋଇଥିବା ସ୍ୱୀକାର କରିଥିଲେ ଓ ଦରକାର ନଥିଲେ କାହାକୁ ରେଫର କରାଯାଉନି ବୋଲି କହିବା ସହ ଅନ୍ୟାନ୍ୟ ଅସୁବିଧା ଅତିଶିଘ୍ର ସମାଧାନ ହୋଇଯିବ ବୋଲି କହିଥିଲେ ।