ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଆଦର୍ଶ ସ୍କୁଲ
ଖଣ୍ଡପଡ଼ା : ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ମହତ ଲକ୍ଷ୍ୟ ନେଇ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ଏହି ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲେ ହେଁ, ଖଣ୍ଡପଡା ସହରାଞ୍ଚଳସ୍ଥିତ ଆଦର୍ଶ ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ଜଣାପଡିଛି । ଏଠି ଛାତ୍ରଛାତ୍ରୀଙ୍କ ରହିବା ନିମନ୍ତେ
ଛାତ୍ରାବାସଟିଏ ନଥିବା ବେଳେ ଖେଳକୁଦ ନିମନ୍ତେ କ୍ରୀଡାଙ୍ଗନ ଓ ମଧ୍ୟାହ୍ନ ଭୋଜନ ଖାଇବା ନିମନ୍ତେ ଆବଶ୍ୟକ କକ୍ଷ ନଥିବାରୁ ଛାତ୍ରଛାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଫଳରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି ।ଯେଉଁ ମହତ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଏହି ଆଦର୍ଶ ବିଦ୍ୟାଳୟଟି ପ୍ରତିଷ୍ଠା କରିଥିଲେ ତାହା ମୁଳ ଲକ୍ଷ୍ୟ ଠାରୁ ଦୁରେଇ ଯାଇଥିବା ପରି ମନେ ହେଉଛି ।ସରକାରଙ୍କ ଏହି ମହତ ଉଦେ୍ଦଶ୍ୟ ଫଳପ୍ରଦ ହୋଇପାରିଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ସ୍ଥାନୀୟ ତ୍ରିନାଥ ଛକ ସ୍ଥିତ ଏକ ଘରୋଇ ଛାତ୍ରାବାସରେ ରହୁଥିବା ବେଳେ ୈନିକ ମୁଖ୍ୟ ରାସ୍ତା ପାର ହୋଇ ବିପଦଶଙ୍କୁଳ ଅବସ୍ଥାରେ ଆଦର୍ଶ ବିଦ୍ୟାଳୟକୁ ପାଠ ପଢିବା ନିମନ୍ତେ ଯାଉଥିବା ଜଣାପଡିଛି ।ଯାହାକି ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଜରିଆରେ ଚୟନ ହୋଇ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ସେମାନଙ୍କର ଘର ବିଦ୍ୟାଳୟ ଠାରୁ ବହୁ ଦୂରରେ ବୋଲି ଜଣାପଡିଛି । ବିଦ୍ୟାଳୟର ଛାତ୍ରାବାସ ଥିଲେ ଛାତ୍ରଛାତ୍ରୀମାନେ ସେଠାରେ ରହିବାର ସୁଯୋଗ ପାଇପାରନ୍ତେ । ଫଳରେ ଯାନବାହାନ ଯୋଗେ ଯାତାୟତରେ ଆଉ ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏବେ ଆଦର୍ଶ ବିଦ୍ୟାଳୟକୁ ପାଠ ପଢିବା ନିମନ୍ତେ ଆସୁଥିବା ଏକାଧିକ ଛାତ୍ରଛାତ୍ରୀ ଅଟୋ, ମ୍ୟାଜିକି, ବୋଲେରୋ ଓ ଟ୍ରାଭେଲର ପ୍ରଭୃତି ଗାଡିରେ ଭଡା ଗଣି ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଥିବା ଜଣାପଡିଛି । ଆଦର୍ଶ ବିଦ୍ୟାଳୟର ବାହ୍ୟ ପ୍ରାଚୀର ଓ ଛାତ୍ରାବାସ ନିର୍ମାଣ ନିମନ୍ତେ ଅନୁଦାନ ଅର୍ଥ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିଲା । ମାତ୍ର ଖଣ୍ଡପଡା ତହସିଲ କର୍ତ୍ତୃପକ୍ଷଙ୍କ ସ୍ଥାଣୁତା ଯୋଗୁଁ ଛାତ୍ରାବାସ ନିର୍ମାଣ ନିମନ୍ତେ ଆବଶ୍ୟକ ଜାଗା ଚିହ୍ନଟରେ ବିଳମ୍ବ ଯୋଗୁଁ ଅନୁଦାନ ଅର୍ଥ ବିନିଯୋଗ ହୋଇନପାରି ଫେରି ଯାଇଥିବା ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି । ଦୂର ଦୁରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଯାନବାହାନ ଯୋଗେ ମାସକୁ ୨ ରୁ ୩ ହଜାର ଟଙ୍କା ଗଣି ବିଦ୍ୟାଳୟକୁ ଯାତାୟତ କରୁଥିବାରୁ ଆର୍ଥିକ ଅନଗ୍ରସର ଶ୍ରେଣୀର ଅଭିଭାବକମାନେ ଅସୁବିଧା ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ଏବେ ଉକ୍ତ ବିଦ୍ୟାଳୟରେ ୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଥିବା ଖଣ୍ଡପଡା ଆଦର୍ଶ ବିଦ୍ୟାଳୟ ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।