ଅନ୍ତର୍ନିବେଶୀ ଶିକ୍ଷା ଉପରେ ପ୍ରଶିକ୍ଷଣ
ଆସିକା: ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଆସିକା ଚିନିଶିଳ୍ପ ନୂଆଗାଁ ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚଦିବସୀୟ ନିଷ୍ଠା -ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା, ଚିନିଶିଳ୍ପ ନୂଆଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ସାମନ୍ତରାୟ, ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ ନନ୍ଦ, ପ୍ରଶିକ୍ଷକ ରୂପେ ମନୋଜ ତ୍ରିପାଠୀ, ମନ୍ଦାକିନୀ ରଥ, ଶୁଭେନ୍ଦୁ ଶେଖର ଜେନା, ଶିବ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ନିବେଶୀ ଶିକ୍ଷା, ଭିନ୍ନକ୍ଷମର ବିଭାଗୀକରଣ, ଶିଶୁମାନଙ୍କ ଅଧିନିୟମ, ବାର୍ଷିକ ବୋର୍ଡ ପରୀକ୍ଷାର ସୁବିଧା ସୁଯୋଗ, ବିଭିନ୍ନ ଅକ୍ଷମତା ହେତୁ ପ୍ରଭାବିତ ହେଉଥିବା ଶିକ୍ଷାର୍ଥୀମାନଙ୍କ ସମସ୍ୟାର ସମାଧାନ, ପାଠ୍ୟ ଅନୁକୂଳ, ସାର୍ବଜନୀନ ଶିକ୍ଷଣ ପ୍ରଣାଳୀ, ସାକରାତ୍ମକ ଆଚରଣ, ଭାଷା ପରିବେଷଣ, ଗଣିତ ପାଠ୍ୟ, ବିଜ୍ଞାନ ଶିକ୍ଷା, ଗୃହ ଭିତ୍ତିକ ଶିକ୍ଷା, ବ୍ୟକ୍ତିଗତ ଶୈକ୍ଷିକ ଯୋଜନା, ପାଠ୍ୟକ୍ରମରେ ଯୋଗ, କଳା ସଂସ୍କତି, ଶିକ୍ଷା, ଓ ନୃତ୍ୟ ଆଦିକୁ ସାମିଲ କରିବାକୁ ତାଲିମ ଦିଆଯାଇଛି । ଯଦ୍ୱାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବା ଉଦେ୍ଦଶ୍ୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଶିବିରକୁ ଚିନି ଶିଳ୍ପ ନୂଆଗାଁ ବିଦ୍ୟାଳୟର ସହ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ପଞ୍ଚ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଖାରିଆ, ବାବନପୁର, ଭେଟନଇ, ହରିଡ଼ାପଦର, ବଡ଼ଖୋଲି, ଭେଟନଈ, କାଳ ଷଣ୍ଢପୁର କ୍ଲଷ୍ଟରର ୫୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।