ଅଭିଯୋଗର ୨ ବର୍ଷ ପରେ ବି ଆଦିବାସୀ ବସ୍ତିରେ ଯୋଜନା ଅପହଞ୍ଚ
ବୈରୀ: କଲ୍ୟାଣକାରୀ ସରକାର ଏବେ ବି ଅନେକ ବସ୍ତିକୁ ସବୁଦିନିଆ ରାସ୍ତା ଠାରୁ ଆରମ୍ଭ କରି ପନୀୟ ଜଳ, ରାସନ ଆଦି ମୌଳିକ ଆବଶ୍ୟକତାକୁ ଉପଲବ୍ଧି କରେଇ ପାରି ନାହାନ୍ତି । ବଡଚଣା ବ୍ଲକ ବନ୍ତଳା ପଞ୍ଚାୟତ ଅନ୍ତର୍ଗତ କପାଷ୍ଟିକିରି ଗ୍ରାମ ନିକଟରେ ରହୁଥିବା ପ୍ରାୟ ୧୦ ଘର ଆଦିବାସୀ ପରିବାରକୁ ଉଦାହରଣ ଭାବେ ନିଆଯାଇ ପାରେ । ଖବରରୁ ପ୍ରକାଶ ଏହି ଆଦିବାସୀ ପରିବାର କଳିଙ୍ଗନଗରରୁ ବିସ୍ଥାପିତ ହୋଇଛନ୍ତି । ଟାଟାଷ୍ଟିଲ ପକ୍ଷରୁ ବିସ୍ଥାପିତ ହୋଇ ଏମାନେ ଏଠାରେ ଜାଗା କିଣି ଘରଦ୍ୱାର କରି ପ୍ରାୟ ୧୫ବର୍ଷ ହେବ ରହିଛନ୍ତି । ବ୍ରଜ ମୋହନ ଗାଗରାଇ, ରମେଶ ଗାଗରାଇ, କମଲ ଗାଗରାଇ, ଶଣ୍ଡା ବାନାରା, ବାବୁରାମ ବାନାରା, ବନମାଳ ଚାତର, ରସିକାନ୍ତ ଚାତର ପ୍ରମୁଖ କିଛି କିଛି ଚାଷ ଜମି ମଧ୍ୟ କିଣିଛନ୍ତି । ବନ୍ଦାଳୋ ଏଣ୍ଡରପଦା ପୂତ ବିଭାଗ ରାସ୍ତାରୁ ଅନତି ଦୂରରେ ଥିବା ଏହି ବସ୍ତିକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ପାଦଚଲା ଜଙ୍ଗଲ ରାସ୍ତାରେ ଏମାନେ ଯାତାୟତ କରିଥାନ୍ତି । ନିଜ ଖର୍ଚ୍ଚରେ ଏମାନେ ବିଦୁ୍ୟତ ସଂଯୋଗ ନେଇଛନ୍ତି ଓ ବୋରିଂ କରିଛନ୍ତି । ଯଦିଓ ଗୋଟିଏ ସରକାରୀ ନଳକୂପ ଅଛି ଖରାଦିନେ ପାଣି ବାହାରେ ନାହିଁ । ହାତ ଗଣତି କେତୋଟି ଲୋକଙ୍କୁ ଛାଡି ଦେଲେ ଏମାନଙ୍କ ପାଖର ଆଧାର କାର୍ଡ ନାହିଁ କି ରାସନ କାର୍ଡ ନାହିଁ । ଭୋଟର କାର୍ଡ କଥା ପଚାରେ କିଏ । ଭୋଟର କାର୍ଡ ଲାଗି ଏମାନେ ବହୁବାର ପ୍ରଶାସନକୁ ଗୁହାରି କରିଛନ୍ତି । କିନ୍ତୁ ଫଳ କିଛି ମିଳି ନାହିଁ ।
ମାର୍ଚ୍ଚ ୨୦୨୩ରେ ବଡଚଣା ବ୍ଲକରେ ଜିଲାପାଳଙ୍କର ମିଳିତ ଜନଶୁଣାଣୀରେ ଏମାନେ ତତ୍କାଳୀନ ଜିଲାପାଳ ଚକ୍ରବର୍ତୀ ସିଂହ ରାଠୋରଙ୍କୁ ଭେଟି ଗୁହାରୀ କରିଥିଲେ । ପରେ ପରେ ବନ୍ଦାଳ ରାଜସ୍ୱ ନିରୀକ୍ଷକ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ । ଇତିମଧ୍ୟରେ ପ୍ରାୟ ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ସମସ୍ୟାର କୌଣସି ସମାଧାନ ହୋଇ ପାରିନାହିଁ । ଏମାନେ ବହୁବାର ବ୍ଲକକୁ ଯାଇ ଯୋଗାଯୋଗ ମଧ୍ୟ କରିଛନ୍ତି । ୨୦୨୪ ନଭେମ୍ବର ୨୨ରୁ ବନମାଳି ଚାତର କେଉଁ ଆଡେ ନିଖୋଜ ହୋଇଛନ୍ତି । ବୈରୀ ଥାନାରେ ଅଭିଯୋଗ ଦେଇଥିଲେ । ତାଙ୍କର କିଛି ଖୋଜ ଖବର ନାହିଁ । ପୁଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ଏମାନେ ଜାଣି ପାରୁ ନାହାନ୍ତି । ଜାନୁଆରୀ ୧୬ ତାରିଖରେ ହାତୀ ପଲ ଆସି କୁଞ୍ଜ ବାନାରାଙ୍କୁ କାନ୍ଥ ଭାଙ୍ଗି ୩ ବସ୍ତା ଧାନ ଖାଇଗଲା । କ୍ଷତିପୂରଣ ପାଇବା ପାଇଁ ସେ ବାରମ୍ବାର ବନ୍ତଳା ସରପଞ୍ଚଙ୍କୁ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଏମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ତପନ ସେଠୀ, ସନ୍ତୋଷ ମଳିକ ପ୍ରମୁଖ ଦାବି କରିଛନ୍ତି । ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରୀ କରିବେ ବୋଲି ରସିକାନ୍ତ ଚାତର ଜଣାଇଛନ୍ତି ।