ରେଳ ଟିକେଟ କଳାବଜାରୀ ଅଭିଯୋଗରେ ଜଣେ ଗିରଫ

ବ୍ୟାସନଗର: ରବିବାର ଯାଜପୁର କେନ୍ଦୁଝର ରୋଡ ରେଳ ସୁରକ୍ଷା ବଳ ବରୀ ଅଂଚଳରେ ରେଳ ଟିକେଟ କଳାବଜାରୀ ଅଭିଯୋଗରେ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ ରେଳବାଇ ପକ୍ଷରୁ ଅପରେସନ ଉପଲବ୍ଧ ମାଧ୍ୟମରେ ରେଳ ଟିକେଟ କଳାବଜାରୀ ରୋକିବାରେ ଗୁରୁତ୍ୱ ଦେଇଛି । ଉପରିସ୍ଥ ଅଧିକାରୀଙ୍କଠାରୁ ଖବରପାଇ ଯାଜପୁର କେନ୍ଦୁଝର ରୋଡ ରେଳସୁରକ୍ଷା ବଳ ଅଧିକାରୀ ପ୍ରବୀଣ କୁମାରଙ୍କ ନେତୃତ୍ୱରେ ଏସଆଇସିକେ ତିୱାରୀଙ୍କ ସହଯୋଗରେ ଏକ ଟିମ୍ ଗତ ଶନିବାର ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶଙ୍ଖାରିଗଡାରେ ଚଢାଉ କରିଥିଲେ । ଚଢାଉରେ ସ୍ଥାନୀୟ ଇମଭାରୀପାଳ ଅଞ୍ଚଳର ଜିତେନ୍ଦ୍ର କୁମାର ଜେନା(୩୬) ବେଆଇନ ଭାବେ ରେଳ ଟିକେଟ କଳାବଜାରୀ କରୁଥିବା ଦେଖି କାବୁ କରିଥିଲେ । ଜିତେନ୍ଦ୍ର ମୋବାଇଲ ମାଧ୍ୟମରେ ବେଆଇନ ଭାବେ ଟିକେଟ କରିବା ସହ ଟିକଟ ପିଛା ୨୦୦ଟଙ୍କାରୁ ଅଧିକ ଅର୍ଥ ଆଦାୟ କରୁଥିଲା । ଚଢାଉ ବେଳେ ଅଭିଯୁକ୍ତ ନିକଟରୁ ୧୦୨୪୯ ଟଙ୍କାର ୯ଗୋଟି ଆଗାମୀ ଦିନର ରେଳ ଟିକେଟ ଏବଂ ୮୮୬୯୦ଟଙ୍କାର ୪୧ଗୋଟି ପୁରୁଣା ଟିକଟ ସହ ବ୍ୟବହୃତ ମୋବାଇଲକୁ ଜବତ କରାଯାଇଥିଲା । ଏନେଇ ରେଳବାଇ ଥାନାରେ ମାମଲା ରୁଜୁ କରାଯିବା ସହ କୋର୍ଟରେ ଅଭିଯୁକ୍ତକୁ ହାଜର କରାଯାଇଥିବା ଆରପିଏଫ ଅଧିକାରୀ ପ୍ରବୀଣ କୁମାର କହିଛନ୍ତି ।