ଅର୍ଥ : ଅସ୍ତ୍ର! ବିଶ୍ୱ : ବିବସ୍ତ୍ର! 

ମାୟାଧର ନାୟକ : ଅର୍ଥନୈତିକ ମାନ୍ଦାବସ୍ଥା’ - ଆମେରିକା ଦ୍ୱାରା ପ୍ରାୟୋଜିତ ଗୋଟାଏ ପ୍ରୟୋଗାତ୍ମକ ପ୍ରହସନ । ଏ ପ୍ରହସନ ସପକ୍ଷରେ ଆବହାୱା ସୃଷ୍ଟି କରିବା ପାଇଁ ମିଡିଆଠୁ ଆରମ୍ଭ କରି ଭାରତୀୟ ଅର୍ଥନୀତିଜ୍ଞ, ବୁଦ୍ଧିଜୀବୀ ଓ ବିଶାରଦବର୍ଗଙ୍କୁ ବୁଦ୍ଧୁ ବନାଉଛି ଆମେରିକା । ବଜାରୀ ଅର୍ଥନୀତି ଯେମିତି ସରଳ ଖାଉଟିସମାଜକୁ ନିଜ ପରୀକ୍ଷାଗାରର ଗିନିପିଗ୍‌ କରିବା ଉଦ୍ଦେଶ୍ୟରେ ‘କୃତ୍ରିମ ଅଭାବ’ର ସୂକ୍ଷ୍ମ ସୂତ୍ର ପ୍ରୟୋଗ କରିଥାଏ, ଏ ଅର୍ଥନୈତିକ ମାନ୍ଦାବସ୍ଥା ଠିକ୍‌ ସେଇଭଳି ଏକ ବଜାରୀ ବଜ୍ରପାତ - ବିନାମେଘର ମୁନାଫାରେ !

ଏ ‘ଅର୍ଥନୈତିକ ମାନ୍ଦାବସ୍ଥା’ ପ୍ରକୃତପକ୍ଷରେ ଏକ ଭୟଙ୍କର ଅଭିସନ୍ଧିମୂଳକ ଅର୍ଥନୈତିକ ଅରାଜକତା । ଭଲକରି ଚିହ୍ନିରଖ ଭ୍ରାତାଙ୍କ ବଦନ । କଳା କାରନାମା କଲା ସଫେଦ୍‌ ସଦନ । ଶୁଣ ଶୁଣ ଅଭାଜନେ, ଦେଇ ମନକର୍ଣ୍ଣ - ଗୁପତ ଏ ଗୂଢ଼ତତ୍ତ୍ୱ ଗରିବ ମାରଣ !
ଏ ଅର୍ଥନୈତିକ ଅରାଜକତାର ପ୍ରସ୍ତୁତିପର୍ବ ପଛରେ ଉପରୋକ୍ତ ଆମେରିକୀୟ ଆଭିମୁଖ୍ୟ ଏବେ ଏଭଳି ଅଚାନକ ଉତପ୍ତ ହୋଇ ଉଠୁଥିବାର ଅସଲ ରହସ୍ୟ କ’ଣ? ପ୍ରଶ୍ନଟି ସିଲାବସ୍‌ ବହିର୍ଭୂତ ବୋଲି ମୋଟେ ଭାବନ୍ତୁ ନାହିଁ ପଣ୍ଡିତ ମହାଶୟ ! ମନକୁ ନପାଇଲେ ମନା କରିବେ ପଛେ, ମାତ୍ର ମାର୍ଜନା କରିବେ ୟେ ଅବୋଲକରାକୁ । କାହିଁକିନା, ଆପଣଙ୍କ ପାଇଁ ତ ଛତା ଅଛି - ସେଇ ‘ବର୍ଷା ଯୁଆଡେ଼ ଛତା ସିଆଡେ଼’ ମାର୍କା ଛତା ! ଅଛି ପୁଣି ଆପଣଙ୍କ ପାଇଁ କମ୍ବଳଖଣ୍ଡିକ - ସେଇ ‘କମ୍ବଳଯାକ ବାଳ’ଧର୍ମୀ କମ୍ବଳ! ହେଲେ ୟେ ଅବୋଲକରା ସକାଶେ କାହିଁକେଉଁଠି କି ସମ୍ବଳ? ଆପଣ ତ ମହାଶୟ, ପଣ୍ଡିତ । ଆପଣଙ୍କ ପୁଅ ମାଙ୍କଡ଼ ମାଇଲେ ବି ଦୋଷ ନାଇଁ । ହେଲେ ୟେ ଅପାଠୁଆ ଅବୋଲକରାଟା ୟାଙ୍କିକୁ ମଙ୍କିବୋଇଲେ ତାକୁ ମାଫି କାଇଁ? ୟେ ଅବୋଲକରା ମଣିଷ ରକ୍ତପିଆ ମଶାଟାକୁ ମାଇଲେ ବି ଆପଣଙ୍କ ରଂଗିଲା ରାଜଗାଦିବାଲାଏ ତାକୁ କହିବେ - ମାଓବାଦୀ ନହେଲେ ଆତଙ୍କବାଦୀ! ଅତଏବ ମାଛିକୁ ‘ମ’ ନକହି ଆମେରିକାକୁ ‘ଆ’ ବୋଲି କହୁଥିବା ଆପଣଙ୍କ ପରି ଶୁଦ୍ଧିବାଦୀ ବୁଦ୍ଧିବିକ୍ରେତାଙ୍କ ଦି’ ଖୁରାକୁ ଦଣ୍ଡବତ ।
ଆମେରିକା ଏ ଅର୍ଥନୈତିକ ଅରାଜକତାର ଆବହାୱା ଉପୁଜାଇଛି ବେଶ୍‌ ଭାବିଚିନ୍ତି - ଅଙ୍କ କଷି ! ଅଙ୍କ ନା ଆତଙ୍କ? ଗହୀରେଇ ଗୁଣିହେଲେ ‘ଲୁଚିଚି ନାଗୋଡ଼ ଦି’ଟା ଦୁଶୁଚି’ ଅନୁସାରେ ଧରାପଡ଼ିଯିବ ଆମେରିକାର ଅସଲ ଚାଲ୍‌ - ଅସଲ ଚାଲାକି । ଇରାକ୍‌ ରାଷ୍ଟ୍ରପୁରୁଷ ସଦ୍ଦାମ ହୁସେନ୍‌ଙ୍କ ମୃତ୍ୟୁଦାତା ଆମେରିକା ଏବେ ଆଫଗାନିସ୍ତାନରେ ସେନା ମୁତୟନ କରି ସାରିଲା ପରେ ନିଜର ବର୍ବରୋଚିତ ବୁଭୁକ୍ଷା ପ୍ରତି ବିଶ୍ୱବାସୀଙ୍କ ନଜର ଏଡାଇରଖିବା ଅଭିପ୍ରାୟରେ ଏ ଚାରିଆଡ଼ିଆ ଚାଲ୍‌ ଚଳାଇସାରିଛି । ଯାହା ଆମ ବୁଦ୍ଧିଜୀବୀଙ୍କୁ ମାଲୁମ୍‌ ନାହିଁ, ତା’ ଖୋଦ୍‌ ଆମେରିକାର କୁଖ୍ୟାତ ଚକ୍ର ସିଆଇଏ ସଂସ୍ଥାର ଜଣେ ସାଧାରଣ ସଦସ୍ୟକୁ ସୁଦ୍ଧା ଗୋଚର ଥିବ ନିଶ୍ଚୟ!

ଆମେରିକାର ପୃଷ୍ଠପୋଷକତାରେ ପ୍ରଥମେ ଏ ପୃଥିବୀ ପ୍ରତ୍ୟକ୍ଷ କରିଛି ପରମାଣୁ ଯୁଦ୍ଧ । ହିରୋସିମା ଓ ନାଗାସାକି ପରି ସୁଦୂର ପ୍ରାଚ୍ୟଭୂଖଣ୍ଡର ବାମନଭୂମି ଜାପାନ୍‌ର ଦୁଇଟି ସହର ଦୁଇଟା ଲାସ୍‌ ପାଲଟିଗଲା ଏ ପରମାଣୁ ଚିତାଗ୍ନିର ପ୍ରଚଣ୍ଡ ବଳୟ ମଧ୍ୟରେ । ଦ୍ୱିତୀୟ ମହାଯୁଦ୍ଧର ଇଗଲ୍‌ ଆମେରିକା ନିଜ ନିଷ୍ଠୁର ନଖଥଂଟର ନିର୍ଘାତ ନମୁନାଦେଖାଇବାରେ ନିହାତି ଓସ୍ତାଦ୍‌ । ନିଜ ଦାନବୀୟ ଅପଶକ୍ତିକୁ କାଏମ୍‌ କରିରଖିବାକୁ ଆମେରିକା ଖତମ୍‌ କରିବାକୁ ଚାହିଁଲା ଚାଇନା ଓ ରୁଷିଆ ପରି କମ୍ୟୁନିଷ୍ଟ୍‌ ରାଷ୍ଟ୍ରୀୟତାକୁ । ଆଜି ମାର୍କ୍ସସ୍‌ବାଦର ପାଉଁଶଗଦା ଉପରେ ସୁନାର ଧୂଳି ମୋ’ ଧନମାଳୀ ନୁହେଁ କି ଏ ଆମେରିକା? କ’ଣ ଥିଲା ରୁଷିଆ? କ’ଣ ହେଲା? ବରବାଦ ହେଲା ବିପ୍ଳବ - ଲେନିନ୍‌ର ଲାଇସେନ୍‌ସ୍‌ - ଷ୍ଟାଲିନ୍‌ର ଷ୍ଟାଇଲ ! କ’ଣ ନ ହେଲା ଚୀନ? ଚ୍ୟାଙ୍ଗ୍‌ କାଇସେକ୍‌ର ଗ୍ୟାଙ୍ଗ୍‌ପୀଡ଼ିତ ଚାଇନା? ଚୂନାହେଲା ।ମେଘନାଦ ପାଚେରିଘେରା ଚଷାପୁଅର ଚୀନ୍‌ ମାଓ-ସେ-ତୁଙ୍ଗ୍‌ଙ୍କ ଲଙ୍ଗ୍‌ମାର୍ଚଠୁ ଦୂରେଇଯାଇ କମ୍ୟୁନିଜମ୍‌କୁ ଢାଙ୍କିଦେଲା କୁହୁଡ଼ିର ଧଳାଚଦରରେ । ରୁଷିଆ ଓ ଚୀନ୍‌ ପରି କମ୍ୟୁନିଜମ୍‌ର ଦି’ ଦି’ଟା କୀର୍ତିସ୍ତମ୍ଭ ପାଲଟିଗଲା ଖତଗଦାର କାଠଖମ୍ବ ! ସାମ୍ୟବାଦରୁ ସଂଶୋଧନବାଦ, ପ୍ରଗତିରୁ ପ୍ରତିକ୍ରିୟା, ନିଆଁରୁ ପାଉଁଶ - ଅଂଗୀକାରରୁ ଅଂଗାର... ଏ ରହସ୍ୟ ପଛରେ ମାର୍କିନ୍‌ ମାର୍କେଟ୍‌ର ମୁନାଫାଖୋର୍‌ ପୁଞ୍ଜିବାଦୀ ତତ୍ତ୍ୱର ପ୍ରୟୋଗ କ’ଣ ଆମ ଅବଶିଷ୍ଟ ପୃଥିବୀର ବୁଦ୍ଧିଜୀବୀବର୍ଗଙ୍କୁ ଜ୍ଞାତ ନୁହେଁ? ମାତ୍ରଗୋଟାଏ କଥା ମାନସାଙ୍କ ପରି ସହଜ ହୋଇଥିଲେ ହେଁ ଏଯାବତ୍‌ କଥାଟା ଉପରେ ଜୋର୍‌ ଦିଆଯାଇନାହିଁ କାହିଁକିକେଜାଣି ! କ’ଣ ଆମେରିକାର କଳାପଇସା କୋଲପ ପକାଇଦେଇଛି ଏ କଥାକୁହା କପିଳାମାନଙ୍କ ମୁହଁରେ? ପ୍ରଥମେ ଜାପାନ୍‌ - ତାପରେ ରୁଷିଆ - ପୁଣି ଚୀନ୍‌ । ଏ ତିନୋଟିଯାକ ଦେଶର ମହାଦେଶ ହେଉଛି ଏସିଆ । ୟୁରେସିଆର ୟୁରେକା ତଥା ୟୁରୋପ୍‌ରୁ ଏସିଆକୁ ଲମ୍ବିଥିବା ରୁଷିଆ ଉପରେ ଆମେରିକାର ତୀକ୍ଷ୍‌ଣ ଈଗଲ୍‌ଆଣି ଲାଖି ରହିଥିଲା କେବେଠୁ । ଋଷିଆର ସାମ୍ୟବାଦ ଶକ୍ତ ଓ ସମର୍ଥ ଥିବା ପର୍ଯ୍ୟନ୍ତ ଐଶ୍ୱର୍ଯ୍ୟଶାଳୀ ଆମେରିକାର ଐରାବତ ହସ୍ତୀ ଉପରେ ଅଙ୍କୁଶାଘାତର ଆଶଙ୍କା ବଜାୟ ରହିଆସିଥିଲା ବରାବର । ଅତଏବ ନିଜର ସର୍ବଗ୍ରାସୀ ମାନସିକତାକୁ ନିରଙ୍କୁଶ କରିରଖିବା ଦିଗରେ ଆମେରିକା ଚାହିଲା ରୁଷିଆର ମୂଳୋତ୍ପାଟନ । ତା’ହେଲେ ଅଚିରେ ସେ ହୋଇଉଠିବ ଆଧୁନିକ ପୃଥିବୀର ଅନାଗତ ବିଧାତା - ଏକଛତ୍ରପତି ଅଧୀଶ୍ୱର । ବାସ୍‌ - ତାସ୍‌ଖେଳ ଚାଲିଲା ସାହେବ-ବିବି-ଗୋଲାମ୍‌ମାନଙ୍କୁ ନେଇ । ଶେଷରେ ଏ ଖେଳରେ କମ୍ୟୁନିଷ୍ଟ ରୁଷିଆର ହେଲା ହାର୍‌ । ଜାର୍‌ରୁ ଜୋକର୍‌ । ରୁଷିଆ ଗଲା ରସାତଳକୁ । ତାପରେ ଚୀନ୍‌କୁ ଚୂନା କରିବାର ଚମକପ୍ରଦ ଚକ୍ରାନ୍ତ । ଚମକ୍ରାର ଚାତୁର୍ଯ୍ୟ । କମ୍ୟୁନିଜମ୍‌ ପାଲଟିଗଲା କିମ୍ବଦନ୍ତୀ । ଭଗ୍ନସ୍ତୂପର ଭୂମିକା । କ୍ରାନ୍ତିର କବର । ପୁଞ୍ଜିବାଦର ପତାକା ପୋତିଦିଆଗଲା ଏ ଦୁଇ ପାଉଁଶଗଦାରେ । ବହୁ ଆଗରୁ ତ ଆମେରିକା ଜାଳିଦେଇଥିଲା ଜାପାନ୍‌ର ଅଳିନ୍ଦ ଓ ନିଳୟ ପରି ଦୁଇ ସୁନ୍ଦର ନଗରୀକୁ ।

ଜାପାନ୍‌-ରୁଷିଆ-ଚୀନ୍‌... ପ୍ରାଚ୍ୟଭୂଖଣ୍ଡର ତିନୋଟି ପ୍ରତିଷ୍ଠା ହେଲା ପ୍ରତିହତ । ଏସିଆର ମସିହାକୁ ଆମେରିକା କଲା ତାର କଳା କ୍ୟାଲେଣ୍ଡର୍‌ । ୟୁରୋପ୍‌ରେ ନୁହେଁ, ଏସିଆରେ କାହିଁକି ଏ ଆମେରିକୀୟ ଉତ୍ପାତର ଅଭିଯାନ? କାରଣଟି ସ୍ପଷ୍ଟ । କାରଣ ଏସିଆର ଆତ୍ମା ୟୁରୋପଠାରୁ ଅଲଗା । ୟୁରୋପ ଯନ୍ତ୍ରଭୂ - ଜଡ଼ଭୂମି । ଏସିଆ କିନ୍ତୁ ମନ୍ତ୍ରଭୂ - ମନ୍ମୟତାର ମହାଦେଶ - ତନ୍ମୟତାର ତପୋଭୂମି । ଏସିଆର ପ୍ରଜ୍ଞା, ପ୍ରଜ୍ଞାନ, ସ୍ୱଜ୍ଞାନ ହୁଏତ ଆମେରିକାର ଆଜ୍ଞାକୁ ଭବିଷ୍ୟତରେ ଭୟତ୍ରସ୍ତ କରାଇପାରେ - ଏ ଆଶଙ୍କା ଆମେରିକାର ଧନତନ୍ତ୍ରକୁ ବରାବର କରିଆସିଛି ଆର୍ତ୍ତ, ଅସୁସ୍ଥ । ଅତଏବ ସୁଦୂରପ୍ରସାରୀ ଷଡଯଂତ୍ର ସ୍ୱରୂପ ଆମେରିକା ପକ୍ଷରୁ ଏସିଆକୁ ପଙ୍ଗୁ ତଥା ପକ୍ଷାଘାତଗ୍ରସ୍ତ କରିଦେବାର କାରସାଦି ଚଳାଗଲା । ପ୍ରଥମେ ଆରମ୍ଭହେଲା ସାମରିକ ଯୁଦ୍ଧ, ତାପରେ ରାଜନୈତିକ ଯୁଦ୍ଧ ଏବଂ ଏବେ ଶେଷ ହେବାକୁ ଯାଉଛି ସମସ୍ତଙ୍କ ଅଜ୍ଞାତସାରରେ ଏକ ଅର୍ଥନୈତିକ ଯୁଦ୍ଧ ! ବିଶ୍ୱର ବୁଦ୍ଧିଜୀବୀବର୍ଗକୁ ଅନୁରୋଧ - ଏ ଦିଗ ପ୍ରତି ସେମାନେ ଆଖି ନବୁଜି, ଆମେରିକାର ଆର୍ଥିକ ଅନୁଦାନ ଓ ବୌଦ୍ଧିକ ଅଭିଯାନ ଉପରେ ସତର୍କ ଦୃଷ୍ଟି ଦେଇ ପୁନର୍ଚିନ୍ତନ ଆରମ୍ଭ କରିଦିଅନ୍ତୁ । ଏହା ହିଁ ସମୟ - ଆଉଥରେ ସତର୍କ ସମୀକ୍ଷଣର - ଏ ସଂକଟାପନ୍ନ ସନ୍ଧିକ୍ଷଣରେ ।

ଜାପାନ୍‌, ରୁଷିଆ, ଚୀନ୍‌ । ଏବେ ଭାରତର ପାଳି - ଆମେରିକାର ପରୀକ୍ଷାଗାରରେ ବଳି ପଡ଼ିବା ପାଇଁ । ସରକାରୀ ଜର୍ସି ପିନ୍ଧି ବସିଥିବା ଆମ ଶାସକ ଓ ଜର୍ଜରିତ ଜନଗଣଙ୍କ ଶୋଣିତ-ଶୋଷକ ଶ୍ରେଣୀଶତ୍ରୁ ପ୍ରଶାସକବର୍ଗ ଆମେରିକାର ଆଭିମୁଖ୍ୟକୁ କାଏମ୍‌ ରଖି ବର୍ଷ ବର୍ଷ ବିଶ୍ୱାସଘାତକତାର ବର୍ବର ପର୍ବ ପାଳିଚାଲିଛନ୍ତି ଆମ ବିଶ୍ୱାସ ଓ ନିଜ ବିବେକକୁ ତୀବ୍ର କୁଠାରାଘାତ କରି କରି ।
ଦେଶରେ ବିଚାରହୀନ ବୁଦ୍ଧିମାନ୍‌, ବିବେକହୀନ ବିତ୍ତଶାଳୀ ଏବଂ ମସ୍ତିଷ୍କହୀନ ମାଂସପେଶୀର ଭୟଙ୍କର ଭିଡ଼ ବଢ଼ିଚାଲୁଚି - ସାବଧାନ ! କୁର୍ସିରେ କୁବେରତନ୍ତ୍ର ପାଳିତ କୁତାମାନେ ବସି ଭତ୍ତାଭୋଗୀ ବନ୍ଦୋବସ୍ତ ଚଳାଉଛନ୍ତି - ଆର୍ସିରେ ମୁହଁ ଦେଖୁଛନ୍ତି ମାଖୁନା ମାଈଚିଆ ପାର୍ଟିର ଲୁଙ୍ଗୁରା ଲିଡର୍‌ । ବେକାର ଯୁବପିଢ଼ିକୁ ଭଡାଟିଆ ଗୁଣ୍ଡା ଓ ଫ୍ରଷ୍ଟ୍ରେଟେଡ୍‌ ଫ୍ରଏଡ୍‌ପ୍ରେମୀ ପ୍ରଫେସର୍‌ମାନଙ୍କୁ ଫୁଙ୍ଗୁଳା ଫିଲୋସଫିର ପ୍ରଫେଟ୍‌ କରିରଖିବାର ମସୁଧା ସୁରୁହୋଇସାରିଛି ମାର୍କିନ୍‌ ମନ୍ତ୍ରଣାଦାତା ଇଣ୍ଡିଆନ୍‌ ଏଜେନ୍‌ସୀ ଜରିଆରେ । ଆମ ମିଲିଟାରୀ, ଆମ ସ୍ପାଇ, ଆମ କ୍ରାଇମ୍‌ବ୍ରାଂଚ, ଆମ ପୁଲିସ୍‌, ଆମ ଦପ୍ତରୀ, ଆମ ଦରବାରୀ - ସମସ୍ତଙ୍କୁ ଅଜ୍ଞାତସାରରେ ଅଫିମଗ୍ରସ୍ତ କରିରଖିବାର ଅପୋଦ୍ୟମ ଆରଂଭ କରିଛି ଆମେରିକା । ଆମେରିକାର ସାମରିକ ଓ ରାଜନୈତିକ ଯୁଦ୍ଧ ସରିଆସୁଛି - ଆରମ୍ଭ ହୋଇସାରିଛି ଏକ ଅଭୂତପୂର୍ବ ଅର୍ଥନୈତିକ ଯୁଦ୍ଧ । ଏ ଅର୍ଥନୈତିକ ଯୁଦ୍ଧହେଉଛି ଏକ ଅଦୃଶ୍ୟ ତୃତୀୟ ବିଶ୍ୱଯୁଦ୍ଧର ଆଦ୍ୟ ଆଭାସ ମାତ୍ର ।

ମାଲୁମ୍‌ ପଡୁନି - ମାତ୍ର ତୃତୀୟ ବିଶ୍ୱଯୁଦ୍ଧର ଚରିତ୍ର ନିର୍ଦ୍ଧାରିତ ହୋଇସାରିଛି ଏଇବାଟେ - ଏଇ ଅର୍ଥନୈତିକ ଆତଙ୍କବାଦର  ଫାସିବାଦୀ ଫାଙ୍କରେ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩