ଅଳିଆ ଆବର୍ଜନାର ହବ ପାଲଟିଛି ସାନ ପୋଖରୀ

ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା:  ଗାଧୁଆ ପୋଖରି ନା ଅଳିଆ କୁଣ୍ଡ । ଯୁଆଡେ ଦେଖିବ ଖାଲି କୁଢ କୁଢ ଅଳିଆ । ପୋଖରି ବାଟଦେଇ ଗଲାବେଳେ ଆବର୍ଜନାରୁ ଅଳିଆ ବାହାରୁଥିବା ଦୁର୍ଗନ୍ଧରେ କାନ ନାକ ଫାଟିପଡୁଛି । ଗାଧୁଆପାଧୁଆ କରିବା କଥା ଛାଡ଼ ଗୋଡହାତ ଧୋଇବାକୁ ଭାୟ ଲାଗୁଛି । ଗହଳିଆ ନାଗଦଳ ଓ ଅନାବନା ଲତାର ବୃଦ୍ଧି ସମଗ୍ର ପୋଖରିକୁ ଆବରଣ କରି ରଖିଛି । ଫଳରେ ଉକ୍ତ ପୋଖରି ଉପରେ ନିର୍ଭର କରୁଥିବା ସହ ସହ ଗ୍ରାମବାସୀ, ଚାଷୀ, ବୁଲା ଗାଈଗୋରୁ ପାଣି ମୁନ୍ଦାଏ ନ ପାଇ ଛଟପଟ ହେଉଛନ୍ତି । ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର ବହୁ ପୁରାତନ ସାନପୋଖରିର ହେଉଛି ଏ’ରୁଗଣ ଚିତ୍ର । ସାନ ପୋଖରି ବ୍ରହ୍ମବରଦା ପଞ୍ଚାୟତବାସୀଙ୍କ ଏକ ବ୍ୟବହାର୍ଯ୍ୟ ଅଙ୍ଗ ଭାବେ ବହୁ ପୂର୍ବରୁ ରହି ଆସିଛି । ଏହି ପୋଖରି ଉପରେ ଗ୍ରାମବାସୀ ସମେତ ବହୁ ଚାଷୀ ମୂଲିଆ ଲୋକେ ନିର୍ଭରଶୀଳ ଅଟନ୍ତି । ଏଠାରେ ସରକାରୀ ଅର୍ଥରେ ପୋଖରି ଖନନ, ଶୌଚ ହେବା ପାଇଁ ଗାଧୁଆ ତୁଠ ସାଙ୍ଗକୁ ପୋଖରି ଭିତରକୁ ମାଟି ନ ଧସିବା ପାଇଁ କଙ୍କ୍ରିଟ ପାଚେରୀ ନିର୍ମାଣ ମଧ୍ୟ ହୋଇଛି । କିନ୍ତୁ ଏତେ ସବୁ ଯୋଜନା କାର୍ଯ୍ୟକାରୀ କରି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ପୋଖରିଟି ଏବେ ଗ୍ରାମବାସୀଙ୍କ କୌଣସି କାମରେ ଆସୁନି । ପୋଖରୀରେ ନାଗଦଳ ଭର୍ତ୍ତି ସାଙ୍ଗକୁ ରକ୍ଷଣା ବେକ୍ଷଣ ଅଭାବରୁ ପୋଖରିଟି ଏମିତି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ତା ଛଡା ପୋଖରୀଟି ଲୋକମାନଙ୍କ ଦ୍ୱାରା ବ୍ୟବହାର ହେଉ ନଥିବାରୁ ଧିରେ ଧିରେ ଏହା ପଙ୍କ କାଦୁଅରେ ପୋତି ହୋଇ ଗଲାଣି । ପାଣି କମ ସାଙ୍ଗକୁ ପୋଖରୀଟି ଅଳିଆ ଆବର୍ଜନାରେ ଭର୍ତ୍ତିହେବା ସହ ପଙ୍କମିଶା ଗୋଳିଆ ପାଣି ହେତୁ ବହୁ ବର୍ଷ ହେବ ଅଞ୍ଚଳବାସୀ ମାନେ ଗାଧୁଆପାଧୁଆ ଠାରୁ ଆରମ୍ଭ କରି ଶୌଚ ହେବା, ଲୁଗାପଟା ସଫା କରିବା ପରି ଦୈନନ୍ଦିନ କାର୍ଯ୍ୟକଳାପରୁ ଏକ ପ୍ରକାର ନିବୃତ ରହିଛନ୍ତି । ବିଶେଷ କରି ଖରାଦିନେ ବୁଲା ଗାଈଗୋରୁ ଓ ପଶୁ ପକ୍ଷୀମାନେ ମଧ୍ୟ ଉକ୍ତ ପୋଖରୀ ମଧ୍ୟରୁ ପାଣି ପିଇବାରୁ ବଞ୍ଚିତ ହୋଇ ଡହଳବିକଳ ହେଉଛନ୍ତି । ଏହା ବ୍ୟତୀତ ପୂଜାପର୍ବ ସମୟରେ ତିଆରି ହେଉଥିବା ଗାଁଜାଙ୍କର କେମିକାଲ ରଙ୍ଗଯୁକ୍ତ ମୃଣ୍ମୟୀ ମୂର୍ତ୍ତି, ଛଣ, କୁଟା, ଭଙ୍ଗା ବାଉଁଶ ମେଢ଼ ସବୁ ଏହି ପୋଖରିରେ ବିସର୍ଜନ କରାଯାଉଛି । ଯାହାଫଳରେ ମେଢ଼ ଗୁଡିକ ପାଣିରେ ପଚିସଢି ସେଥିରୁ ଦୁର୍ଗନ୍ଧ ବାହାରୁଛି । ଲୋକେ ଗାଁ ଯାଙ୍କର ସବୁଯାକ ଅଳିଆ ଯିଏ ଯାହା ପାଇଲା ଏହି ପୋଖରୀରେ ଫିଙ୍ଗିଦେଇ ଚାଲି ଯାଉଛନ୍ତି । ଫଳରେ ଉକ୍ତ ପୋଖରି ପାଣି ବିଷାକ୍ତ ହେବା ସହ ପରିବେଶ ମଧ୍ୟ ଦୂଷିତ ହେଉଛି । ଏହି ବିଷାକ୍ତ ପାଣି ଗାଈ ଗୋରୁ ପିଇବା ଦ୍ୱାରା ରୋଗଗ୍ରସ୍ତ ହେଉଛନ୍ତି । ଲୋକେ ଗୋଡହାତ ଧୋଇଲେ ଚର୍ମ ରୋଗ ସୃଷ୍ଟି ହେଉଛି । ଗୋଟେ ପ୍ରକାରରେ କହିବାକୁ ଗଲେ ଏହି ପୋଖରୀ ଏବେ ଅଳିଆ ଆବର୍ଜନାର ହବ ପାଲଟିଛି । କିନ୍ତୁ ଏଥିପ୍ରତି ରୋକ ଲଗାଇବା ପାଇଁ ନା ସରକାର ନା ଗ୍ରାମବାସୀଙ୍କ ତରଫରୁ କୌଣସି ଉଦ୍ୟମବି ନାହିଁ । ଗୋଟିଏ ପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ମିସନ ନାମରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଠାରେ ସରକାରଙ୍କ ସ୍ୱଚ୍ଛ ଭାରତ ମିସନ ଫେଲ ମାରିଛି କହିଲେ ଚଳେ । ଅନ୍ୟଏକ ସୂଚନାରୁ ଜଣାପଡିଛିକି ରସୁଲପୁର ବ୍ଲକର ବହୁ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ବ୍ରହ୍ମବରଦା ଗ୍ରାମରେ ତାହା ଅନୁଷ୍ଠିତ ହୋଇନାହିଁ । ସୂଚନାନୁଯାୟୀ ଏହି ପୋଖରିଟି ବ୍ରହ୍ମବରଦା ମାଛ ମାର୍କେଟରୁ ବ୍ରହ୍ମବରଦା କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଡାହାଣ ପାର୍ଶ୍ୱରେ ଅବସ୍ଥିତ । ବହୁ ବର୍ଷ ପୂର୍ବରୁ ବ୍ରହ୍ମବରଦା ଗ୍ରାମବାସୀମାନେ ଏହି ପୋଖରିରେ ଗାଧୁଆପାଧୁଆ ଠାରୁ ଆରମ୍ଭ କରି ନିଜର ଦୈନନ୍ଦିନ ନିତ୍ୟକର୍ମ କରୁଥିଲେ । ବିଶେଷ କରି ଚାଷୀଭାଇ ମାନଙ୍କ ପାଇଁ ଏହି ପୋଖରି ବରଦାନ ପରି କହିଲେ ଚଳେ । ଏଥି ସହିତ ଜୈଷ୍ଠ ମାସରେ ସହ ସହ ସଂଖ୍ୟାରେ ବୁଲା ଗାଈଗୋରୁ, ପଶୁ, ପକ୍ଷୀ ମାନେ ମଧ୍ୟ ଉକ୍ତ ପୋଖରିରୁ ପାଣି ପିଇ ନିଜର ତୃଷ୍ଣାମେଣ୍ଟାଇଥାନ୍ତି । କେତେକ ବ୍ୟକ୍ତି ଉକ୍ତ ପୋଖରିରୁ ମାଛ ଧରି ନିଜ ପରିବାର ମଧ୍ୟ ପ୍ରତିପୋଷଣ କରନ୍ତି । ଏହା ସହିତ ଏହି ପୋଖରିଟି ଚାଷଜମି ନିକଟରେ ଥିବାରୁ ପୂର୍ବରୁ ଉକ୍ତ ପୋଖରିରୁ ନୋଧା ସାହାଯ୍ୟରେ ବହୁ ଲୋକଙ୍କ ଚାଷ ଜମିକୁ ପାଣି ମଡ଼ାଇଥାନ୍ତି । ବିଶେଷ କରି କାର୍ତ୍ତିକ ପୁର୍ଣିମାରେ ଗ୍ରାମବାସୀମାନେ ଏଠାରେ ଡଙ୍ଗୀ ଭସାଇବା ସହ "ବୋଇତ ବନ୍ଦାଣ’ ଉତ୍ସବ ପାଳନ କରିଥାନ୍ତି । ତାଛଡା ବର୍ଷାଜଳ ଓ ବନ୍ୟା ସମୟରେ ବନ୍ୟାଜଳ ଏହି ପୋଖରି ବାଟେ ଦେଇ ବାଳିଆ ଘାଇ ନାଳ ଦେଇ ନିଷ୍କାସିତ ହୋଇଥାଏ । କିନ୍ତୁ ଦୁଃଖର କଥା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଖରିଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ପୋଖରିଟି ଏବେ ସମ୍ପୂର୍ଣ୍ଣ ନାଗଦଳମୟ ହେବା ସହ ଗ୍ରାମର ଯେତେ କୁଢ କୁଢ ଅଳିଆ ଆବର୍ଜନା ଏହି ପୋଖରିରେ ପଡୁଛି । ତେଣୁ ଜନସାଧାରଣ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବହୁପୁରୁଣା ସାନ ପୋଖରିରେ ଅଳିଆ ଆବର୍ଜନା ନପକାଇ ଏହାକୁ ସୁରକ୍ଷିତ ରଖିବା ସହ ଏହାର ପୁନରୁଦ୍ଧାର କରିବା ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନ ନିକଟରେ ଦାବି କରିଛନ୍ତି ।