ଅସମ୍ପୂର୍ଣ୍ଣ ରାସ୍ତା; ଲୋକେ ହିନସ୍ତା

 କବାଟବନ୍ଧ : ଜାରକା ଗ୍ରାମ ଉନ୍ନୟନ ବିଭାଗ ଅଧୀନ ଧର୍ମଶାଳା ବ୍ଲକ ଅନ୍ତର୍ଗତ ରଘୁନାଥପୁର ଠାରୁ ମଧୁସୂଦନପୁର ରାସ୍ତାର ପ୍ରାୟ୧କିଲୋମିଟର ରାସ୍ତା ଅଧାପନ୍ତରିଆ ହୋଇପଡ଼ିଛି । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଓ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯାତାୟାତ କରୁଛନ୍ତି । ଦିନକୁ ଦିନ ଗାଡିମୋଟର ସଂଖ୍ୟା ବୃଦ୍ଧି ପାଉଛି । ଏହି ସଂକୀର୍ଣ୍ଣ ରାସ୍ତାରେ ଦୈନିକ ୬ରୁ ଊର୍ଦ୍ଧ୍ୱ ସ୍କୁଲ ଗାଡ଼ି ଏହି ରାସ୍ତା ଦେଇ ବିପଦ ସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ଯାହାଦ୍ୱାରା ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଜେନାପୁର ରେଳ ଷ୍ଟେସନ ଠାରୁ ରଘୁନାଥପୁର ଯିବା ରାସ୍ତାରେ ରଘୁନାଥପୁର ଗାଁ ପୂର୍ବରୁ ଉକ୍ତ ରାସ୍ତାକୁ ଠିକାଦାର ଅଧାକାମ କରି ଛାଡ଼ି ଦେଇଛନ୍ତି । ଏହି ରାସ୍ତା ରଘୁନାଥପୁର ଠାରୁ ମଧୁସୂଦନପୁର ପର୍ଯ୍ୟନ୍ତ ୩ କିଲୋମିଟର ପର୍ଯ୍ୟନ୍ତ ବିଭାଗ ଦ୍ୱାରା କାମ ହୋଇଛି ବୋଲି ସୂଚନା ଫଳକରେ ସୂଚିତ କରାଯାଇଛି । ହେଲେ କାମର ସମ୍ପୂର୍ଣ୍ଣ ବିବରଣୀ ଲେଖା ଯାଇନାହି । ଏହି ରାସ୍ତାର ମରାମତି ବାବଦକୁ ଅର୍ଥ ମଞ୍ଜୁର ହୋଇଥିଲା । ଠିକାଦାର କାମ କରୁଥିବା ସମୟରେ ଉକ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ୱାଲ ତିଆରି କରି କାମ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଥିଲେ । ବିଭାଗୀୟ କାର୍ଯ୍ୟ ଏଷ୍ଟିମେଟ ଅନୁସାରେ କାମ କରାଯିବ ବୋଲି କହି ଠିକାଦାର କାମ କରି ନଥିଲେ । ଯାହା ଫଳରେ ରାସ୍ତା ଖରାପ ହୋଇ ବଡ଼ବଡ଼ ପଥର ଦେଖା ଯାଉଥିଲା । ଗମନାଗମନରେ ଅସୁବିଧା ହେବାରୁ ସ୍ଥାନୀୟ ଲୋକମାନେ ନିଜସ୍ୱ ଅର୍ଥରେ ରାସ୍ତା ସାମାନ୍ୟ ମରାମତି କରିଛନ୍ତି । ଡଷ୍ଟ ସହିତ ବଡ଼ବଡ଼ ପଥର ଯୋଗୁ ଗାଡ଼ି ମୋଟର ଓ ଲୋକମାନେ ଯିବା ଆସିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଉକ୍ତ ବିଭାଗ ଅଧିନରେ ହେଉଥିବା ବିଭିନ୍ନ କାମରେ ଆଖିବୁଜା ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ତୁରନ୍ତ ରାସ୍ତାକୁ ମରାମତି କରାଯିବାକୁ ପାଇଁ ଅଂଚଳବାସୀ ଦାବି କରିଛନ୍ତି ।