ସରକାର ବଦଳି ପରେ ବଦଳିଲା ରାସ୍ତା ପ୍ରଶସ୍ତିକରଣ ମ୍ୟାପ
ଧର୍ମଶାଳା: ସରକାର ବଦଳିବା ପରେ ବଦଳିଗଲା ରାସ୍ତା ପଶସ୍ତିକରଣ ମ୍ୟାପ । ତେବେ ଏ ସଂପର୍କରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି କି ଶାନ୍ତି ବଜାର ଠାରୁ କାଏମା ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତାର ପ୍ରଶସ୍ତିକରଣ ମ୍ୟାପ ପରିବର୍ତନ ହୋଇଛି ଏବଂ ଏକମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ । ପୁର୍ବରୁ କାଏମା ଠାରୁ ଶାନ୍ତିବଜାର ରାସ୍ତା ପ୍ରଶକ୍ତିକରଣ ପାଇଁ ଯେଉଁ ଟେଣ୍ଡର କରାଯାଇଥିଲା ସେଥିରେ ପ୍ରଶକ୍ତିକରଣ ହୋଇଥିଲେ ସାଧାରଣ ଲୋକଙ୍କ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଥିଲା । ସ୍ଥାନୀୟ ଅଧିବାସୀ ବଜାର ରାସ୍ତାକୁ ଚାରି ଲେନ୍ ନକରି ଦୁଇଲେନ ବିଶିଷ୍ଟ କରିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ । ଯାହା ଉପରେ ଆଲୋଚନା କରାଯାଇ ମ୍ୟାପ୍କୁ ବଦଳାଯାଇଛି । ଲୋକଙ୍କ ନିବେଦନ ରକ୍ଷା କରି କାମ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ଦିନକୁ ଦିନ ଏହି ରାସ୍ତାର ଅବସ୍ଥା ଖରାପ ହେବା ସହ ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି ଏବଂ ଅନେକ ସମୟରେ ଭିଡ଼ ରହୁଥିବାରୁ ଲୋକେ ମଧ୍ୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସୂଚନା ଥାଉକି ପୂର୍ବ ସରକାର ସମୟରେ ଶାନ୍ତି ବଜାର ଠାରୁ କାଏମା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ୧୨କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ମ୍ୟାପ୍ ଅନୁଯାୟୀ ଶହେ ଫୁଟର ମାପ ନେଇ ପ୍ରଶାସନ ପକ୍ଷରୁ ଚିହ୍ନ ଦିଆଯାଇଥିଲା । ରାସ୍ତା ପାଶ୍ୱର୍ରେ ଥିବା ଆନେକ ଘରୋଇ ଜମି ଓ ଘର ମାପ ଚୁପ୍ ମଧ୍ୟକୁ ଆସିଯାଇଥିଲା । ସେହିପରି କାଏମା ଲାଲ୍ ବାହାଦୁର ଉଚ୍ଚ ଓ ପ୍ରାଥମିକ ବିଦ୍ୟାଳୟର ଘର ସହ ପଞ୍ଚାୟତ କାର୍ଯ୍ୟଳୟର କିଛି ଅଂଶ ରାସ୍ତାରେ ପଡ଼ିଥିଲା । ଯାହାକୁ ନେଇ ଅନେକଙ୍କ ମନରେ ଅସନ୍ତୋଷ ରହିଥିଲା । ରାସ୍ତା ପ୍ରଶକ୍ତିକରଣର ପୁର୍ନବିଚାର କରାଯିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ପ୍ରଶାସନ ଠାରୁ ନେଇ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ଭେଟି ଆଲୋଚନ କରିଥିଲେ ବି କୌଣସି ସମାଧାନର ବାଟ ବାହାରିନଥିଲା । ସରକାର ପରିବର୍ତନ ପରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ସାଧାରଣ ଲୋକମାନଙ୍କ ଠାରୁ ଅଭିଯୋଗ ପାଇ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିଲେ । ଫଳରେ ପୂର୍ବ ଟେଣ୍ଡରକୁ ବାତିଲ କରାଯାଇ ନୂତନ ଟେଣ୍ଡର କରାଯିବ ଓ ୩୦ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବା ନେଇ ଆଲୋଚନା କରିଥିବା ବିଧାୟକ ଶ୍ରୀ ସାହୁ କହିଛନ୍ତି ।