ଅସହାୟ ପରିବାରକୁ ସହାୟତା
ତାଳଚେର : ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ହିଙ୍ଗୁଳା ପାଠାଗାର ପକ୍ଷରୁ ଗୋଟିଏ ଅସହାୟ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ତାଳଚେର ପୌରାଞ୍ଚଳର ୧୦ ନମ୍ବର ୱାର୍ଡରେ ବାସ କରୁଥିବା ଅସହାୟ ବିଧବା ମହିଳା ବବି ବେହେରାଙ୍କ ମା’ଙ୍କର ମୃତୁ୍ୟ ହେବାରୁ ଶୁଦ୍ଧିକ୍ରିୟା ନିମନ୍ତେ ତାଙ୍କ ପାଖରେ ଆବଶ୍ୟକ ସମ୍ବଳ ନଥିଲା । ପର ଘରେ ବାସନ ମାଜି ସେ କଷ୍ଟମଷ୍ଟେ ନିଜ ଦୁଇ ନାବାଳକ ଶିଶୁ ପୁଅ ଝିଅଙ୍କୁ ନେଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଏଭଳିସ୍ଥଳେ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ସେ ଅସମର୍ଥ ଥିବାର ଖବର ପାଇ ମା’ ହିଙ୍ଗୁଳା ପାଠାଗାର ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ଦୟାନିଧି ସାହୁ, ସନ୍ଦୀପ କୁମାର ସାହୁ ଓ ସ୍ୱେଚ୍ଛାସେବୀ ବାପି ମହାନ୍ତି ପ୍ରମୁଖ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଚାଉଳ, ଡାଲି, ତେଲ ପ୍ରଭୃତିି ଖାଦ୍ୟ ସାମଗ୍ରୀ ସହ ଲୁଗା, ଶାଢୀ, ଲୁଙ୍ଗି, ଗାମୁଚ୍ଛା ଇତ୍ୟାଦି ପ୍ରଦାନ କରିଥିଲେ ।