ସେବା ଯୋଗାଇବାରେ ବିଫଳ ବିଏସ୍ଏନଏଲ : ଆସୁନି ନେଟ୍ୱାର୍କ, ହନ୍ତସନ୍ତ ଉପଭୋକ୍ତା
ଆନନ୍ଦପୁର: ବିଏସ୍ଏନ୍ଏଲ୍ ହେଉଛି ସର୍ବ ପୁରାତନ ନେଟୱାର୍କ ସଂସ୍ଥା । ଏହି ନେଟୱାର୍କର ସିମ୍ ଅନେକ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ବ୍ୟବହାର କରନ୍ତି । ମାତ୍ର ଆନନ୍ଦପୁର ପୌରପରିଷଦରେ ବିଏସ୍ଏନଏଲ୍ ନେଟୱାର୍କ ସତେ ଯେମିତି ଏକ ପ୍ରହସନ ପାଲଟିଛି । ଏହି ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟ ନେଟୱାର୍କ ସଂସ୍ଥାମାନେ ୫ଜି ସୁବିଧା ଉପଭୋକ୍ତାମାନେ ସୁରୁଖୁରୁରେ ବ୍ୟବହାର କରୁଥିବା ବେଳେ ବିଏସଏନଏଲ ନେଟୱାର୍କ ସଂସ୍ଥା ବି ୫ଜି ନେଟ ଦେଉଛି । ମାତ୍ର ଏହା ନାମକୁ ମାତ୍ର । ରାସ୍ତା ଉପରେ ନେଟ୍ ଆସୁଥିବାବେଳେ ଘର ଭିତରକୁ ବିଲ୍କୁଲ ନେଟ ଆସୁନାହିଁ । ସେହିପରି ବାହାରେ କାଁ ଭାଁ ମୋବାଇଲ ଲାଗୁଥିଲେ ମଧ୍ୟ କଥା ସ୍ପଷ୍ଟ ଶୁଭାଯାଉନାହିଁ । ସେହିପରି ଅନ୍ୟ ଜଣେ ଉପଭୋକ୍ତାଙ୍କୁ ଫୋନ ଲଗାଇଲେ ସଙ୍ଗେ ସଙ୍ଗେ ଫୋନ ଲାଗୁନଥିବା ବେଳେ ବାରମ୍ବାର କଲ୍ କଲେ ବେଳେ ବେଳେ ଫୋନ ଲାଗୁଛି । ଏଭଳି ସମସ୍ୟା ଆନନ୍ଦପୁର ଅଞ୍ଚଳରେ ମାସ ମାସ ଧରି ଲାଗି ରହିଥିବା ବେଳେ ଅନେକ ଉପୋଭୋକ୍ତା ବିରକ୍ତ ହୋଇ ବିଏସଏନଏଲ ସେବାକୁ ଗ୍ରହଣ ନ କରି ଅନ୍ୟ ନେଟ୍ ସେବାକୁ ଆଦରି ନେଉଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀ ଦେବାଶିଷ ସାମନ୍ତରାୟଙ୍କୁ ଯୋଗାଯୋଗ କରିବାରୁ ନେଟ୍ ଦୁର୍ବଳ ଯୋଗୁଁ ଏଭଳି ସମସ୍ୟା ଗୁଡିକ ଦେଖାଦେଇଛି । ମାତ୍ର ଏଏସବୁ ସମସ୍ୟାର ସମାଧାନ ଆମ ହାତରେ ନାହିଁ । ଏହା କେଉଁଝର ହେଡ୍ ଅଫିସରେ ସମାଧାନ ହୋଇପାରିବ । ଆମେ ଉପରିସ୍ଥ ଅଫିସକୁ ଜଣାଇବୁ ବୋଲି କହି ତାଙ୍କ ଦାୟିତ୍ୱ ସାରି ଦେଇଥିଲେ । ତେବେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତର ସହିତ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।