ଅସୁସ୍ଥ ଛାତ୍ରଙ୍କୁ ଉପାସରେ ରଖିବା ଘଟଣା ୧୭ ଦିନ ବିତିଗଲା, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍
କୋକସରା : କୋକସରା ବ୍ଲକ ଆମପାଣି ସ୍ଥିତ ଆବାସିକ ବିଦ୍ୟାଳୟର ଜଣେ ଅସୁସ୍ଥ ଛାତ୍ରଙ୍କୁ ଉପାସରେ ରଖିବା ଏବଂ ତାଙ୍କ ଅବିଭାବକଙ୍କୁ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ଘଟଣାର ଗତ ୭ ତାରିଖରେ ତଦନ୍ତ ହୋଇଥିଲା । ହେଲେ ତଦନ୍ତକୁ ପ୍ରାୟ ୧୭ଦିନ ବିତିଯାଇଥିଲେ ସୁଦ୍ଧା ଶିକ୍ଷକ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଅବିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ପ୍ରକାଶ ଯେ’ ଅଗଷ୍ଟ ୫ ତାରିଖ ସନ୍ଧ୍ୟାରେ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ତରୁଣ ବିଶିଙ୍କୁ ଜ୍ୱର ହୋଇଥିଲା । ଛାତ୍ର ଜଣକ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରହଲ୍ଲାଦ ସାହୁଙ୍କୁ ଜଣେଇ ଥିଲେ । ଶିକ୍ଷକ ଜଣକ ଡାକ୍ତରଖାନା ନେବା ପରିବର୍ତ୍ତେ ରାତିରେ ହିଁ ବାହାରି ଯିବାକୁ ଛାତ୍ରଙ୍କୁ ଧମକ ଦେବା ସହିତ ଉପାସରେ ରଖିଥିବା ଅଭିଯୋଗ ହୋଇଥିଲା । ଛାତ୍ରଙ୍କ ବିଧବା ମା’ ଭବାନୀ ବିଶି ତାଙ୍କୁ ଆଣିବାକୁ ଯାଇ ପୁଅର ସ୍ୱାସ୍ଥ୍ୟବସ୍ଥା ଓ ଉପବାସରେ ରଖିବା ଘଟଣା ବିଷୟରେ ପ୍ରଧାନଶିକ୍ଷକ ସୁଶାନ୍ତ ସାହୁଙ୍କୁ ପଚାରିଥିଲେ । ହେଲେ ପ୍ରଧାନ ଶିକ୍ଷକ ଜଣକ ରାଗ ତମ୍ ତମ୍ ହୋଇ ଅବିଭାବିକା ଜଣକୁ ଦୁର୍ବ୍ୟବହାର କରିଥିବା ସେହି ସମୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଛାତ୍ରଙ୍କ ଅଭିଭାବିକା ଅଭିଯୋଗ କରିଥିଲେ । ତେବେ ଉକ୍ତ ଘଟଣାକୁ ନେଇ ଗତ ୭ ତାରିଖରେ କୋକସରା ବ୍ଲକ ଦାୟିତ୍ୱରେ ଥିବା ସମାଜ ମଙ୍ଗଳ ଅଧିକାରୀ ଭବାନୀଶଙ୍କର ଜେନା ସ୍କୁଲରେ ପହଞ୍ଚି ତଦନ୍ତ କରିବା ପରେ ରିପୋର୍ଟ ପ୍ରଦାନ କରିଛନ୍ତି । ହେଲେ ଉକ୍ତ ତଦନ୍ତକୁ ପ୍ରାୟ ୧୭ ଦିନ ବିତିଯାଇଥିଲେ ସୁଦ୍ଧା ସମ୍ପୂକ୍ତ ଶିକ୍ଷକ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ । ଅନ୍ୟପଟେ ସ୍କୁଲର ପ୍ରଧାନ ଶିକ୍ଷକ ମୁଁ ଜଣେ ମନ୍ତ୍ରୀଙ୍କ ଗୁରୁ ମୋର କିଛି ଅସୁବିଧା ହେବନାହିଁ ବୋଲି କହୁଥିବା କଥା ଏବେ ହାଟରେ ବାଟରେ ଚର୍ଚ୍ଚା ହେଉଛି । ଏନେଇ ଜିଲ୍ଲା କଲ୍ୟାଣ ଅଧିକାରୀ ଅନ୍ତର୍ଯ୍ୟାମୀ କଅଁରଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ କରାଯାଇଛି, ଆମ ପାଖରେ ରିପୋର୍ଟ ମଧ୍ୟ ଆସିଛି । ଆମେ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମାଗିଛୁ ବୋଲି କହିଛନ୍ତି ।