ଆଗରପଡ଼ା ଯୁବ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ‘ସମାଜରେ ଯୁବଶକ୍ତି ଭୂମିକା ଗୁରୁତ୍ୱପୂର୍ଣ୍ଣ’
ବନ୍ତ: ଆଗରପଡ଼ା ଯୁବ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସଭାର ମୁଖ୍ୟଅତିଥି ସିପିଏମ୍ ରାଜ୍ୟ ନେତା ଜନାର୍ଦ୍ଦନ ପତି ଅବକ୍ଷୟମୁଖୀ ସମାଜର ଅଗ୍ରଗତି ଲାଗି ଯୁବଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସିପିଏମ୍ର ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକ ପ୍ରବଞ୍ଚନା, ପ୍ରତାରଣା, ପ୍ରତିହିଂସା ଓ ପ୍ରହେଳିକାକୁ ପ୍ରତିହତ କରି ପ୍ରଗତିକାମୀ ଜୀବନଚର୍ଯ୍ୟା ପ୍ରତି ଅଙ୍ଗୀକାରବଦ୍ଧ ଯୁବ ସମାଜର ଧେୟ ହେଉ ବୋଲି କହିଥିଲେ । ମହୋତ୍ସବ କମିଟି ସଭାପତି ଇଂ. ଅମୀୟ ରଞ୍ଜନ ରାମଙ୍କ ସଭାପତିତ୍ୱରେ ଅନ୍ୟତମଅତିଥି ଭାବେ ସିପିଏମ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଜିଲ୍ଲା କ୍ଷେତ ମଜଦୁର ସଙ୍ଘ ସମ୍ପାଦକ ମଣ୍ଡଳୀ ସଭ୍ୟ ଗିରିଧାରୀ ନାଥ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଭାସଚନ୍ଦ୍ର ମହାପାତ୍ର, ଆଗରପଡ଼ା ନାଗରିକ ସୁରକ୍ଷା ମଞ୍ଚ ସଭାପତି କୈଳାସଚନ୍ଦ୍ର ଧଳ, ଉପଦେଷ୍ଟା ଶିକ୍ଷାବିତ୍ ପ୍ରଣୟ ସିଂହ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।