ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ । ମାର୍ଗଶିର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ନୀତି ପାଇଁ ଆଜି ସନ୍ଧ୍ୟା ୫ ରୁ ରାତି ୧୦ ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।
ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ପଇତା ଲାଗି ଅନ୍ୟତମ । ଶ୍ରୀବିଗ୍ରହଙ୍କ ଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଏହି ପଇତା ଲାଗି କରାଯାଇଥାଏ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ, ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ ।