ଆଜିଠାରୁ ମା’ହିଙ୍ଗୁଳା ଯାତ୍ରା ଓ ଚଇତି ପର୍ବ ଆରମ୍ଭ ସୁନା, ଚାନ୍ଦି ଅଳଙ୍କାରରେ ଝଲସିବେ ମା’
ରସୁଲପୁର : ରସୁଲପୁର ବ୍ଲକ ଅଂଚଳର ପ୍ରସିଦ୍ଧିଲାଭ କରିଥିବା ଭୋଟକା ପଂଚାୟତ ସ୍ଥିତ ବଇଁଚ ପଡିଆ ହିଙ୍ଗୁଳା ଓ ବଡକଇଁଚି ପଂଚାୟତର ମଧୁବନ ହାଟ ସ୍ଥିତ ମା ହିଙ୍ଗୁଳା ଯାତ୍ରା ଓ ଚଇତି ପର୍ବ ମଙ୍ଗଳବାର ଠାରୁ ଆରମ୍ଭ ହେବ । ଏଥି ସକାଶେ ମାଙ୍କ ପୀଠ, ଯାତ୍ରା ପଡିଆ ଚଳଚଂଚଳ ହୋଇଉଠିଲାଣି । ସଜେଇ ହେଲାଣି ମନ୍ଦିର ଓ ମାଙ୍କ ବିଜେସ୍ଥଳି । ରାତି ପାହିଲେ ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହେବେ ମା । ଝଲିସବ ମାଙ୍କ ମୂଣ୍ଣୟମୂର୍ତ୍ତି । ମାଙ୍କୁ ନାନା ବେଶରେ ଦର୍ଶନକରି ଭକ୍ତ ଓ ଶଦ୍ଧାଳୁମାନେ ବିଭୋର ହୋଇ ଉଠିବେ । ବିଶ୍ୱବାସୀଙ୍କ କଲ୍ୟାଣ ନିମିତ୍ତ ଯାଗଯଜ୍ଞ ଆରମ୍ଭ ହେବ । ଦୂରଦୂାରନ୍ତରୁ ମାଙ୍କ ପୀଠକୁ ଭକ୍ତମାନଙ୍କ ସୁଅ ଛୁଟିବ । ଖରା ତାତିକୁ ଖାତିରି ନକରି ଆବାଳ ବୃଦ୍ଧ ବନିତା ଯାତ୍ରା ପଡିଆରେ ଭିଡ ଜମାଇବେ । ସକଳା ଓ ସନ୍ଧ୍ୟା ମସୟରେ ମାଙ୍କ ପୀଠର ପୂଜା ଉତ୍ସବ ଅତ୍ୟନ୍ତ ଆକର୍ଷଣୀୟ ଓ ମନୋରାମ ହୋଇଉଠିବ । କିମ୍ବଦନ୍ତି ଅନୁସାରେ ମାଙ୍କ ମହିମା ରାଜ୍ୟ ଓ ବାହାର ରାଜ୍ୟରେ ପ୍ରଚାରିତ ଓ ପ୍ରସାରିତ ହୋଇଆସୁଛି । ରାଜ୍ୟ ଓ ଜିଲା ବାହାରର ଭକ୍ତମାନଙ୍କର ଦାନଦକ୍ଷୀଣାର ମାଙ୍କ ହୁଣ୍ଡି ପୁରି ଉଠିବ । ବର୍ଷକ ଥରେ ମାଙ୍କ ଅପୁର୍ବ ଦୃଶ୍ୟ ଦର୍ଶନ କରିବାର ସୁଯୋଗକୁ ହାତଛଡା କରିନଥାଅନ୍ତି । ସପରିବାର ମାଙ୍କ ପୀଠକୁ ଆସି ମାନସିକ ପୁରଣ କରିବେ । ଅନ୍ନଦାନ, ଅଳଙ୍କାରଦାନ, ମାଙ୍କ ନିକଟରେ ବିଶେଷ ପୂଜା ଅର୍ଚ୍ଚନା କରିବା ପାଇଁ ସାନସିକିଆଙ୍କ ପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିବ । ଏହି ସୁଯୋଗକୁ ହାତଛଡା ନକରି ଭକ୍ତମାନେ ମାନସିକ ପୁରଣ କରିବେ ବୋଲି ପୂଜା ପରିଚାଳନା କମିଟି ନିକଟରେ ନିବେଦନ କରିଛନ୍ତି ବୋଲି କମିଟିର କାର୍ଯ୍ୟକର୍ତ୍ତାମାନଙ୍କ ଠାରୁ ସୂଚନା ମିଳିଛି । ଏହି ପର୍ବକୁ ଭୋଟକା ଓ ମଧୁବନ ସ୍ଥିତ ମା ହିଙ୍ଗୁଳା ପୀଠରେ ଖୁବ୍ ଧୁମ୍ ଧାମର ସହ ପାଳନ କରାଯାଇଆସୁଛି । ଏହାଛଡା ରସୁଲପୁର ବ୍ଲକ ଅଂଚଳର ଟିକରପଡା, ବାଲଙ୍ଗୀ, ଗୋପାଳପୁର ଆଦି ସ୍ଥାନରେ ହିଙ୍ଗୁଳା ଯାତ୍ରା ଓ ଚଇତିପର୍ବକୁ ଖୁବ୍ ଧୁମ୍ଧାମର ସହ ପାଳନ କରାଯାଉଛି ବୋଲି ଜଣାଯାଇଛି । ପ୍ରତ୍ୟେକ ସ୍ଥାନରେ ମାଙ୍କ ପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ।