ଆନ୍ଧ୍ର ପୌରାଞ୍ଚଳ ଦାରିଦ୍ର୍ୟଦୂରୀକରଣ ମିଶନର ଜଟଣୀ ଗସ୍ତ
ଜଟଣୀ : ଆନ୍ଧ୍ରପ୍ରଦେଶ ରାଜ୍ୟର ପୌରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମିଶନ ନାମକ ଏକ ସଂସ୍ଥାର ଛଅ ଜଣିଆ ପ୍ରତିନିଧି ମଣ୍ଡଳୀ ଜଟଣୀ ପୌରାଞ୍ଚଳ ଗସ୍ତରେ ଆସିଥିଲେ । ସେମାନେ ଗସ୍ତ ସମୟରେ ଜଟଣୀ ପୌର ପରିଷଦ ଷଣ୍ଢପୁରଠାରେ ନିର୍ମିତ ଥିବା ମଳ ଉପଚାର କେନ୍ଦ୍ର, ସମ୍ପଦ କେନ୍ଦ୍ର, ଗାନ୍ଧିପାର୍କ ଓ ମୋ’ ଜଟଣୀ ଅଞ୍ଚଳ ବୁଲିବା ସହ ଉକ୍ତ ପ୍ରକଳ୍ପକୁ ପରିଚାଳନା କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କିନ୍ନର ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ପରେ ପରେ ସେମାନେ ଜଟଣୀ ପୌର ପରିଷଦ ଅଧୀନରେ ଥିବା ୱାର୍ଡ ସଂଖ୍ୟା ୨୨ର ନାରୀଚେତନା ମହିଳା ଗୋଷ୍ଠୀର ସଦସ୍ୟାଙ୍କଦ୍ୱାରା ନିର୍ମିତ ବିଭିନ୍ନ ହାତ ତିଆରି ହସ୍ତଶିଳ୍ପ ଦେଖିବା ସହ ୱାର୍ଡ ସଂଖ୍ୟା ୮ରେ ଥିବା ପ୍ରଗତି ଆଞ୍ଚଳିକ ମହିଳା ମହାସଂଘଦ୍ୱାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାରର ମସଲାଗୁଡିକ ଦେଖି ସେମାନଙ୍କ ସହ ଆଲୋଚନା କଲେ । ସେମାନଙ୍କର ପରିଦର୍ଶନର ମୁଖ୍ୟ ଉଦେ୍ଦଶ୍ୟ ଥିଲା ଜାତୀୟ ସହରାଞ୍ଚଳ ଜୀବିକାମିଶନ ଅଧୀନରେ ପଞ୍ଜିକୃତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜଟଣୀ ପୌରାଞ୍ଚଳଦ୍ୱାରା କିପରି ସହାୟତା ପ୍ରଦାନ କରାଯାଇ ମହିଳାଙ୍କୁ ସଶକ୍ତ କରାଯାଉଅଛି । ପରିଶେଷରେ ପରିଦର୍ଶନରେ ଆସିଥିବା ସମସ୍ତ ପ୍ରତିନିଧି ମହିଳା ଗୋଷ୍ଠୀଙ୍କ କାର୍ଯ୍ୟକଳାପରେ ଖୁସିବ୍ୟକ୍ତ କରିଥିଲେ । ଏହି ଗ୍ରସ୍ତ ସମୟରେ ଜଟଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ସହ ପୌର କର୍ମଚାରୀ ସାଗରିକା ପ୍ରଧାନ, ଚିନ୍ମୟ ସାହୁ, ଜ୍ୟୋତିରଞ୍ଜନ ରାଉତରାୟ, ପିତାମ୍ବର ପଲେଇଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।