ଜାତୀୟ ରାଜପଥରେ ବେଆଇନ ପାର୍କିଂ, ବଢୁଛି ଦୁର୍ଘଟଣା
କେନ୍ଦୁଝର: ଜାତୀୟ ରାଜପଥ ୨୦ ଅନ୍ତର୍ଗତ ହୁଣ୍ଡୁଳାରେ ବେଆଇନ ଭାରୀଯାନ ପାର୍କିଂ ଯୋଗୁଁ ଦୁର୍ଘଟଣା ବଢୁଛି । ଗତକାଲି ବିଳମ୍ବିତ ରାତିରେ ଏକ କଂଜୁମର ଡିଜେଲ ପମ୍ପ ସମ୍ମୁଖରେ ଛିଡା ହୋଇଥିବା ଏକ ଆଇରନ ବୋଝେଇ ଟ୍ରକକୁ ପଛ ପଟୁ ଆଉ ଏକ ଟ୍ରକ ଧକ୍କା ଦେବାରୁ ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ସିଜେ ଡାରସେଲ ଲଜିଷ୍ଟିକ ଲିଃ କଂଜୁମର ଡିଜେଲ ପମ୍ପ ସମ୍ମୁଖରେ ଗାଡି ଭଡା ଚାଲାଣ ପାଇଁ ଅଟକିଥିବା ଏକ ଟ୍ରକ କୁ ପଛ ପଟୁ ଆଉ ଏକ ଟ୍ରକ ଧକ୍କା ଦେଇଥିଲା । ଏହି ସ୍ଥାନରେ ଗାଡି ଚାଲାଣ ପାଇଁ ନିୟମିତ ଭାବେ ଭାରୀଯାନ ଘଂଟା ଘଂଟା ଧରି ଅଟକି ରହୁଥିବାରୁ ବାରମ୍ବାର ଦୂର୍ଘଟଣା ଘଟୁଛି । ହୁଣ୍ଡୁଳାରେ ବହୁ ସଂଖ୍ୟାରେ କଂଜୁମର ଡିଜେଲ ଏବଂ ପେଟ୍ରୋଲ ପମ୍ପ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଅନୁମତି ଦେଉଥିବାରୁ ରାଜପଥ ଉପରେ ବହୁ ସଂଖ୍ୟାରେ ଟ୍ରକ ଜାତୀୟ ରାଜପଥ ଉପରେ ପାର୍କିଂ କରୁଛନ୍ତି । ପେଟ୍ରୋଲ ପମ୍ପରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସର୍ଭିସ ରୋଡ ସଠିକ ଭାବେ ନିର୍ମାଣ ନ ହୋଇ ପମ୍ପ ଚାଲିଛି । ଏନ୍ଏଚ୍ଏଆଇ ଏ ସବୁ ଦିଗ ପ୍ରତି ଅଣଦେଖା କରି ପେଟ୍ରୋଲ ଏବଂ କଂଜୁମର ଡିଜେଲ ପମ୍ପ୍କୁ ଅନୁମତି ପ୍ରଦାନ କରୁଛି । ଫଳରେ ଏହି କାରଣରୁ ଜାତୀୟ ରାଜପଥ ଖରାପ ହେବା ସହ ଦୂର୍ଘଟଣା ଘଟୁଛି । ଜାତୀୟ ରାଜପଥ ପାଶ୍ୱର୍ରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଯାତାୟତରେ ସମସ୍ୟା ସୃଷ୍ଟି କରୁଥିବାବେଳେ, ଧୂଳି ଉଡି ବାୟୁ ପ୍ରଦୂଷଣ ସୃଷ୍ଟି କରୁଛି । ପୂର୍ବରୁ ସିଜେ ଡାରସେଲ କଂଜୁମର ଡିଜେଲ ପମ୍ପ ସର୍ଭିସ ରୋଡ ଖରାପ ଥିବାରୁ ବାରମ୍ବାର ଦୂର୍ଘଟଣା ଘଟୁଥିବା ଏବଂ ରାସ୍ତା ଖରାପ ହେଉଥିବା ଅଭିଯୋଗ ହେବା ପରେ ଏନ୍ଏଚ୍ଏଆଇ ପକ୍ଷରୁ ବନ୍ଦ କରିବା ପାଇଁ ନୋଟିସ କରାଯାଇଥିଲା । ତେବେ ଏନ୍ଏଚ୍ଏଆଇ ନିଦେ୍ର୍ଦଶକୁ ବେଖାତିର କରି ଏହି ସଂସ୍ଥା ବ୍ୟବସାୟ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଜାତୀୟ ରାଜପଥ ୨୦ ଏବଂ ଜାତୀୟ ରାଜପଥ ୪୯ର ଉପରେ ରାସ୍ତାକୁ ଅବରୋଧ କଲା ଭଳି ଅନେକ ସ୍ଥାନରେ ଭାରୀଯାନ ଗୁଡିକ ଅଟକି ରହୁଛନ୍ତି । ଫଳରେ ରାସ୍ତାରେ ସବୁବେଳେ ଦୁର୍ଘଟଣା ଘଟୁଛି । ବିନା କାରଣରେ ଗାଡି ଗୁଡିକ ରାସ୍ତାକୁ ଲାଗି ଘଣ୍ଟା ଘଣ୍ଟା ଛିଡା କରିବା କାରଣରୁ ବାଟୋଇଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଏଥିରେ ଦୁର୍ଘଟଣା ଜନିତ ମୃତାହତଙ୍କ ସଂଖ୍ୟା ବୃଦ୍ଧି କାରଣରୁ କେନ୍ଦୁଝର ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହୁଛି । ଜିଲ୍ଲାର ଦୁର୍ଘଟଣା ସଂଖ୍ୟା କମିବା ବଦଳରେ ବଢି ବଢି ଚାଲିଛି । ଜିଲ୍ଲା ପ୍ରଶାସନ ଦୂର୍ଘଟଣା କମାଇବାକୁ ସଚେତନତା କାର୍ଯ୍ୟକ୍ରମ କରୁଛି । କିନ୍ତୁ ଏ କଥାକୁ କେହି କାମରେ ଲଗାଉଥିବା ଭଳି ଜଣାପଡୁନାହିଁ । ଜାତୀୟ ରାଜପଥ ପ୍ରାଧିକରଣ, ପୁଲିସ ପ୍ରଶାସନ ଏବଂ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ଦୁର୍ଘଟଣା ସଂଖ୍ୟା କମିବା ବଦଳରେ ବୃଦ୍ଧି ହେବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ଏ ସମ୍ପର୍କରେ ଏନ୍ଏଚ୍ଏଆଇ ମ୍ୟାନେଜର ଟେକନିକାଲ ପୁନିତ ଖାନ୍ନାଙ୍କ ସହ ଯୋଗଯୋରୁ କରିବାରୁ ଘଟଣାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସଦର ଥାନା ଆଇଆଇସି ଅମିତ କୁମାର ଭୂୟାଁ ଙ୍କ ସହ ଯୋଗଯୋଗ କରିବାରୁ ଗାଡି ଭଡା ଚାଲାଣ ଦେଉଥିବା ଟ୍ରାନ୍ସପୋର୍ଟର ଏବଂ କଂଜୁମର ପମ୍ପ ମାଲିକ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନିଆଯିବ । ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ଗୋପାଳ କୃଷ୍ଣ ଦାସଙ୍କୁ ପଚାରିବାରୁ ରାସ୍ତା ପାଶ୍ୱର୍ରେ ବେଆଇନ ପାର୍କିଂ କରୁଥିବା ଗାଡିକୁ ଜୋରିମାନା ଆଦାୟ କରାଯାଉଛି ।