ଆମିଷ ବଜାର ଉପରେ ପଡୁନି ଏନ୍ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି  : ହିନସ୍ତା ହେଉଛନ୍ତି ସହରବାସୀ

 ଚମ୍ପୁଆ : ସ୍ଥାନୀୟ ଏନ୍ଏସି ସ୍ଥାପନକୁ ଇତି ମଧ୍ୟରେ ୧୨ ବର୍ଷ ପୁରି ଯାଇଥିଲେ ମଧ୍ୟ ଏଠାରେ ଏକ ଆମିଷ ବଜାର ନିର୍ମାଣ କାର୍ଯ୍ୟ ଶୀତଳଭଣ୍ଡାରରେ ପଡିରହିଥିବା ମନେ ହେଉଛି । ପରିଷଦକୁ ସ୍ୱଚ୍ଛ, ସୁନ୍ଦର କରି ଗଢିତୋଳିବା ପାଇଁ ଅନେକ ପ୍ରଶଂସନୀୟ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଆମିଷ ବଜାର ନିର୍ମାଣ ଲକ୍ଷରୁ ବାଟ ହୁଡିଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସ୍ମରଣ ଥାଉକି ୩ ବର୍ଷ ପୂର୍ବରୁ ଏନେଇ ଜାଗା ଚିହ୍ନଟ କରି ମାଟି ଫିଲିଂ ଓ କଂକ୍ରିଟ ବାଡ ଦିଆଯାଇଛି । ଦିନ ପରେ ଦିନ ଗଡି ଚାଲିଥିଲେ ସୁଦ୍ଧା ଏନ୍ଏସିର ଏ ପ୍ରକଳ୍ପଟି ଅଣ୍ଠେଇ ପଡିରହିିଛି । ବିଶେଷତଃ ଜନସାଧାରଣଙ୍କ ଚାହିଦା ସାଙ୍ଗକୁ ଆମିଷ ଦୋକାନ ବୃଦ୍ଧି ପାଉଥିବାରୁ ଏକ ସ୍ୱତନ୍ତ୍ର ଆମିଷ ବଜାର ନିର୍ମାଣ ପାଇଁ ଏନ୍ଏସି ଅନ୍ତରିକତା ପ୍ରକାଶ କରୁନଥିବାରୁ ବାଧ୍ୟ ହୋଇ ବ୍ୟବସାୟୀ ମାନେ ୨୦ ନମ୍ବର ଜାତୀୟ ରାଜପଥ କଡରେ ଆମିଷ ଦୋକାନ ଖୋଲି ବ୍ୟବସାୟ କରି ଚାଲିଛନ୍ତି । ଏନ୍ଏସି ଲଗାମ ଲଗାଉନଥିବାରୁ ପିବେଶ ପ୍ରଦୂଷିତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଯେଉଁଥିପାଇଁ ଦୁର୍ଘଟଣା ବଢୁଥିବାର ମଧ୍ୟ ନଜିର ରହିଛି । ମାଛ ବଜାରର ତ୍ରିକୋଣ ସ୍ଥଳରେ ମୁଖ୍ୟ ବଜାରକୁ ଜାତୀୟ ରାଜପଥ ଯାଇଥିବା ବେଳେ ଅନ୍ୟ ଏକ ରାସ୍ତା ଉପଜିଲାପାଳଙ୍କ ଆବସିକ ବାସଭବନ ଓ କଚେରୀ ଏବଂ ଅନ୍ୟ ରାସ୍ତାଟି ମୁସଲିମ ବସ୍ତିକୁ ଯାଇଛି । ଫଳରେ ଆମିଷ ବଜାରର ପୂତ୍ତି ଗନ୍ଧମୟ ପରିବେଶ ସାଧାରଣ ଜୀବନ ଯାତ୍ରାକୁ ଅସହ୍ୟ କରିଛି । ଏହା ଛଡା ନିୟନ୍ତ୍ରିତ ବଜାର କମିଟି ତରଫରୁ ଆମିଷ ବଜାରର ଦର ନିର୍ଦ୍ଧାରଣ କରାଯାଉନଥିବା ଏବଂ ଓଜନରେ ସ୍ୱଚ୍ଛତା ରହୁନଥିବାରୁ ସାଧାରଣ ଉପଭୋକ୍ତା ଟି ଅନେକ ସମୟରେ ଠକାମୀର ଶିକାର ମଧ୍ୟ ହେଉଛି । ଏନେଇ ସଂପୃକ୍ତ ବିଭାଗ ଗୁଡିକ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ଆମିଷ ବଜାରର ନିର୍ମାଣ ସମ୍ବନ୍ଧରେ ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରାଙ୍କୁ ପଚାରିବାରୁ କହିଥିଲେ କି ୨୦ ରୁ ୨୫ ଟି ମାଛ ମାଂସ ଦୋକାନ ଗୃହ ପାଇଁ ଖୁବ ଶ୍ରୀଘ୍ର ଟେଣ୍ଡର ଆହ୍ୱାନ କରାଯଅଇ କାମ ଆରମ୍ଭ କରାଯିବ ।