ଆଶାକର୍ମୀ ଝିଅଙ୍କୁ ଆକ୍ରମଣ ଥାନାରେ ଏତଲା 

 ହିଞ୍ଜିଳିକାଟୁ :  ହିଞ୍ଜିଳି ଥାନା ତହଁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଶାକର୍ମୀଙ୍କୁ ହତ୍ୟା ଧମକ ଦେବା ସହ ଝିଅକୁ ଛୁରୀରେ ଆକ୍ରମଣ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର-  ୪୪୮/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଲାଇଛି । ପ୍ରକାଶ ଯେ, ମଙ୍ଗଳବାର ସକାଳେ ସ୍ଥାନୀୟ ଥାନା ତହଁର ଗ୍ରାମର ଆଶାକର୍ମୀ ବିନଦିନି ମୁନି (୫୧) ଗ୍ରାମରେ ଆୟୁଷ୍ମାନ କାର୍ଡ ବାଣ୍ଟିବାକୁ ଯାଉଥିଲେ । ସେହି ସମୟରେ ସେହି ଗ୍ରାମର ରମେଶ ଆପଟ ମଦ୍ୟପାନ କରି ମହିଳାଙ୍କୁ ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ । ଖବର ଶୁଣି ମହିଳାଙ୍କ ଝିଅ ପ୍ରତିମା ମୁନି (୨୮) ଘଟଣା ସ୍ଥଳକୁ ଆସି ରମେଶଙ୍କୁ ଗାଳି ଗୁଲଜ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ରମେଶ ଧରିଥିବା ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରତିମା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।  ଘଟଣା ନେଇ ଥାନାରେ ଅଭିଯୋଗ କଲେ ଆହତଙ୍କ ମାଆଙ୍କୁ ହତ୍ୟା କରିବାର ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ନେଇ ଆଶାକର୍ମୀ ବିନଦିନି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଆକ୍ରମଣକାରୀ ରମେଶଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।