ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ

 ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ମାଣିକନଗର ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ରଜାତୋଟା ସାହିର ଅଭିମନୁ୍ୟ ପୃଷ୍ଟି (୭୦) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୦୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ଭୋରୁ ପ୍ରାୟ ବୃଦ୍ଧ ଜଣଙ୍କ ସାଇକେଲ ଯୋଗେ ଘରୁ ସିନେମାହଲ ଛକରେ ଥିବା ଜଳଖିଆ ଦୋକାନ ଖୋଲିବା ପାଇଁ ଯାଉଥିଲେ । ମାଣିକନଗର ଛକରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ଅଜଣା ଗାଡି ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା  । ଗାଡି ଧକ୍କାରେ ବୃଦ୍ଧଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ରାସ୍ତାସାରା ବିଛାଡି ହୋଇ ପଡିଥିଲା ।  ଶବ ବ୍ୟବଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ଚମ୍ପଟ ମାରିଥିବା ଗାଡ଼ିର ସନ୍ଧାନ ପାଇଁ ପୁଲିସ ନିକଟସ୍ଥ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି । ଘଟଣା ପରେ ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବ୍ୟବସାୟିକ ପ୍ରତିଷ୍ଠାନ ମାଲିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।