ହନୁମାନ ମେଢ ଲୋକାର୍ପିତ, ପଞ୍ଚ ଠାକୁରାଣୀଙ୍କ ସାହି ପରିକ୍ରମା 

ବୁଗୁଡ଼ା : ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ସୁମନ ସଜ୍ଜିତ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ବିଭିନ୍ନ ବେଶଧାରୀଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ବଡଦାଣ୍ଡ ସାହିର ହନୁମାନ ମେଢ ଲୋକାର୍ପିତ ହୋଇଯାଇଥିବା ବେଳେ ଆଉ କେତେକ ସ୍ଥାନରେ ମେଢ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା କେ.ଶାନ୍ତିଲତା ପାତ୍ର, ଭାଗ୍ୟଲତା ସାହୁ, କେ.ସନ୍ଧ୍ୟାରାଣୀ ପାତ୍ର, ସୁଷମା ସାହୁ, ଏସ୍.ଜୟନ୍ତୀ ପାତ୍ର  ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ବଳଦେବ ମନ୍ଦିର, ଥାନା ରୋଡ, ହାଇସ୍କୁଲ ଛକ, ଶକ୍ତି ନଗର, ସୁନ୍ଦରୀ ନଗର, କେନାଲ ସାହି, ଗୌଡ ସାହି, ଦାଶ କଲୋନୀ, ଅରବିନ୍ଦ ନଗର-୧, ୨ ଓ ୩ ଲାଇନ୍ ଆଦି ପରିକ୍ରମା କରିଥିଲେ । ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ପୂଜା ସାମଗ୍ରୀ ଏବଂ ପୂର୍ଣ୍ଣ କୁମ୍ଭ ବାଢି ପ୍ରଦୀପ ପ୍ରଜ୍ୱଳନ ସହକାରେ ଘଟଧାରିଣୀଙ୍କ ପାଦ ହଳଦୀ ପାଣିରେ ଧୋଇ ପଞ୍ଚ ଠାକୁରାଣୀଙ୍କ ସ୍ୱାଗତ କରିଥିଲେ ।
ସେହିଭଳି ଗତକାଲି ଯାତ୍ରାର ସପ୍ତମ ଦିବସରେ ମାନସିକଧାରୀ ମହିଳା ଗାୟତ୍ରୀ ସାହୁ, କେ.ଅନ୍ନପୂର୍ଣ୍ଣା ବୈଠାରୁ, ଏସ୍.ଆରତୀ ପାତ୍ର, ୟୁ. ସୁଜାତା ପାତ୍ର, କେ.ସିଲକି ପାତ୍ର ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ନୂଆଁ ବସଷ୍ଟାଣ୍ଡ, ମହାପାତ୍ର ସାହି, ନବଗୁଞ୍ଜର ସାହି, ଟୁଣୁଟୁଣିଆ ସାହି, ଇରିଗେସନ କଲୋନୀ, ମେଡିକାଲ କଲୋନୀ, ବ୍ଲକ୍ କଲୋନୀ, ପ୍ରେମଚାନ୍ଦ ନଗର, ମହୁଲିଆତୋଟା, ପୋଲସରା ରୋଡ ସାହି ଭ୍ରମଣ କରି ବଳଦେବ ମନ୍ଦିର ପଥ ଦେଇ ଆସ୍ଥାନକୁ ଫେରିଥିଲେ ।