ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

 ସମ୍ବଲପୁର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶୁଭାରମ୍ଭ ସହ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟ ପରିସରରେ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି  । ପ୍ରଧାନ ଏହି ଗସ୍ତ କାଳରେ ପ୍ରଥମେ ସମ୍ବଲପୁରର କଣ୍ଟାପାଲି ଠାରେ ବରଗଡ଼ ପାର୍ଶ୍ୱ ଏବଂ ପରଢିଆପାଲୀ ଝାରସୁଗୁଡ଼ା ପାର୍ଶ୍ୱ  “ଐହିତ୍ୟ ସ୍ୱାଗତମ୍ ସମ୍ବଲପୁର ତ୍ୱରଣ”ର ଉଦଘାଟନ କରିଥିଲେ  । ସମ୍ବଲପୁର ଦୁର୍ଗାପାଲି ଛକରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ  । ଏହି ଅବସରରେ ସେ କହିଥିଲେ ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ଥିବା ଲୋକାର୍ପିତ ସ୍ୱାଗତ ତ୍ୱରଣ ସହରକୁ ଯାଉଥିବା ପଥଚାରୀଙ୍କ ଶୋଭାବର୍ଦ୍ଧନ କରିବ  । ସମ୍ବଲପୁର ମହାନଗର ନିଗମକୁ ଅଧିକ ସୁନ୍ଦର କରିବାରେ ଏହି ପଦକ୍ଷେପ ପ୍ରଶଂସନୀୟ  । ସମ୍ବଲପୁରକୁ ଏକ ଆକର୍ଷଣୀୟ ସହର କରିବା ପାଇଁ ସମସ୍ତେ ଉଦ୍ୟମ କରିବା ଉପରେ ପ୍ରଧାନ ମତପ୍ରକାଶ କରିଥିଲେ  । ପରବର୍ତ୍ତୀ ସମୟରେ ପ୍ରଧାନ ସମ୍ବଲପୁର ଆରଡ଼ିସି କାର୍ଯ୍ୟାଳୟକୁ ଯାଇ ସେଠାରେ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ  । ସମ୍ମିଳନୀ କକ୍ଷକୁ ‘ସ୍ୱଭାବ କବି ଗଙ୍ଗାଧର ମେହେର କକ୍ଷ’ରେ ନାମିତ ଏବଂ ଓଡ଼ିଶାର ବରପୁତ୍ରମାନଙ୍କର ପେନସିଲ୍ ଫଟୋଚିତ୍ର ଲୋକାର୍ପଣ କରିଥିଲେ  ।