ଜାତୀୟ ମହୋତ୍ସବ- ବାଲିଯାତ୍ରା

ଜାତୀୟ ମହୋତ୍ସବ- ବାଲିଯାତ୍ରା

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ହେମନ୍ତର ହିମସ୍ପର୍ଶରେ ହିଲ୍ଲୋଳିତ ମହାନଦୀର ବେଳାଭୂମିରେ ରାସପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଥାଏ ଓଡ଼ିଶାର ଜାତୀୟ ମହୋତ୍ସବ ବାଲିଯାତ୍ରା । ଜ୍ୟୋତ୍ସ୍ନାବିଧୌତ ରଜନୀରେ ସ୍ୱଚ୍ଛ ସଲିଳା ମହାନଦୀର ରଜତ ଜଳଧାର ମଧ୍ୟସ୍ଥ କାଶତଣ୍ଡୀଭରା ପଠାରେ ଶୁଭ୍ର ଲହର ତଥା ବେଳାଭୂମିର ସିକତ ଶଯ୍ୟାରେ ମେଘମୁକ୍ତ ନିର୍ମଳ ଆକାଶ ତଳେ ବାଲିଯାତ୍ରାର ସମ୍ଭାର ଲକ୍ଷ ଲକ୍ଷ ଦର୍ଶକଙ୍କର ଆକର୍ଷଣ ହୋଇଉଠେ । ମନୋହାରିଣୀ ବିପଣୀମାଳା, ରଙ୍ଗବେରଙ୍ଗର ଆଲୋକ ସଜ୍ଜା, ନୃତ୍ୟ, ସଙ୍ଗୀତ, ଲୋକନୃତ୍ୟ, ଲୋକବାଦ୍ୟ, କୀର୍ତ୍ତନ, ଭଜନ, ଦୋଳି, ପ୍ରଦର୍ଶନୀ, ମ୍ୟାଜିକ୍‌, ଚିଡିଆଖାନା, ସର୍କସ, କଣ୍ଢେଇନାଚ ଓ ମୀନାବଜାର ବାଲିଯାତ୍ରା ପ୍ରାନ୍ତରକୁ ଲୋକାରଣ୍ୟ, କୋଳାହଳମୟ ଓ ଦୀପ୍ତିମନ୍ତ କରିଥାଏ । କାର୍ତ୍ତିକ ପୂର୍ଣ୍ଣମୀ ପ୍ରତ୍ୟୁଷରୁ ଜାତି ବର୍ଣ୍ଣ ନିର୍ବିଶେଷରେ ଅଗଣିତ ଓଡ଼ିଆ ମହାନଦୀରେ ସ୍ନାନକରି ବୋଇତ ବନ୍ଦାଣ ଓ ଦୀପଦାନ କରିଥାନ୍ତି । କଦଳୀ ବାସୁଙ୍ଗା, ସୋଲ ଓ କାଉଁରିଆରେ ନିର୍ମିତ ବୋଇତ ଭସାଇବା ସହିତ ଦୀପ ପ୍ରଜ୍ଜ୍ୱଳନ ଓ ‘ଆକା ମା ବୈ’ ଉଚ୍ଚାରଣ ଚତୁର୍ଦ୍ଦିଗକୁ ମୁଖରିତ କରିଥାଏ । କେବଳ କଟକର ମହାନଦୀ ଘାଟ ନୁହେଁ, ଓଡ଼ିଶାର ସର୍ବତ୍ର ବୋଇତ ବନ୍ଦାଣ ପର୍ବ ଏକ ସାଂସ୍କୃତିକ ସ୍ୱାଭିମାନ ଓ ଜାତୀୟ ମହୋତ୍ସବ ରୂପେ ପାଳନ କରାଯାଏ ।

     ପ୍ରାଚୀନ ଶାସ୍ତ୍ର, ଇତିହାସ, ଭୌଗଳିକ ବିବରଣୀ ଓ ପରିବ୍ରାଜକଙ୍କ ବିବରଣୀରୁ ଜଣାଯାଏ ଓଡ଼ିଆମାନେ ପ୍ରାଚୀନ ଯୁଗରୁ ନୌବାଣିଜ୍ୟରେ ଅଗ୍ରଣୀ ଥିଲେ । ସେମାନେ ବାଣିଜ୍ୟ ପୋତରେ ହାତୀଦାନ୍ତ, ମୂଲ୍ୟବାନ ରତ୍ନପଥର, କାଷ୍ଠ ଓ ସିଙ୍ଗରେ ନିର୍ମିତ ଉପକରଣ, ପିତ୍ତଳରେ ନିର୍ମିତ ଉପକରଣ, ଚାନ୍ଦୁଆ, ବଟୁଆ, ପଟ୍ଟଚିତ୍ର, ସୌଖୀନ ବସ୍ତ୍ର, ପାଟବସ୍ତ୍ର ପ୍ରଭୃତି ନେଇ ଦରିଆପାରି ଦେଶମାନଙ୍କରେ ବିକ୍ରୟ କରୁଥିଲେ ଓ ସେହିସବୁ ଦେଶର ସୁବର୍ଣ୍ଣ,  ରୌପ୍ୟ, ତାମ୍ର, ମୁକ୍ତା, ଅଗୁରୁ ଓ ମୂଲ୍ୟବାନ ମସଲା ପ୍ରଭୃତି ଓଡ଼ିଶାକୁ ଆଣୁଥିଲେ । ଏହି ବହିର୍ବାଣିଜ୍ୟ ମଧ୍ୟରେ ସାଧବ ପୁଅମାନେ ଓଡ଼ିଶାକୁ ସମୃଦ୍ଧିଶାଳୀ କରିଥିଲେ । ଏହି ସାଧବ ମହାଜନମାନେ ବର୍ଷାଋତୁ ପରେ କାର୍ତ୍ତିକ ପୂର୍ଣ୍ଣମୀରେ ସେମାନଙ୍କ ବାଣିଜ୍ୟ ଯାତ୍ରାର ଶୁଭାରମ୍ଭ କରୁଥିଲେ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ସମୁଦ୍ର ଉପକୂଳର ନଦୀ ମୁହାଣମାନଙ୍କରେ ବହୁ ପ୍ରାକୃତିକ ବନ୍ଦର ରହିଥିଲା । ଏହାବ୍ୟତୀତ କଟକ ବିଶ୍ୱର ଗୋଟିଏ ବୃହତ୍‌ ନଦୀବନ୍ଦର ଥିଲା । ମହାନଦୀର ବିସ୍ତୃତ ବକ୍ଷରେ ବଡ ବଡ ବାଣିଜ୍ୟପୋତ ଅନାୟାସରେ ଯିବା ଆସିବା କରିପାରୁଥିଲା । ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ କଟକ ନଦୀପଥରେ ସଂଯୁକ୍ତ ଥିବାରୁ ପଣ୍ୟଦ୍ରବ୍ୟ ସୁବିଧାରେ କଟକରେ ପହଞ୍ଚି ପାରୁଥିଲା । ସାଧବପୁଅମାନେ ସେହିସବୁ ପଣ୍ୟଦ୍ରବ୍ୟ ବାଣିଜ୍ୟତରୀରେ ବୋଝେଇ କରି କାର୍ତ୍ତିକ ପୂର୍ଣ୍ଣିମୀର ପ୍ରାତଃକାଳରେ ଯାତ୍ରାରମ୍ଭ କରୁଥିଲେ । ଯାତ୍ରାରମ୍ଭ ସମୟରେ ବୋଇତ ବନ୍ଦାଣ ଓ ବାଣିଜ୍ୟ ମେଳାରୁ କଟକରେ ବାଲିଯାତ୍ରାର ଅୟମାରମ୍ଭ ହୋଇଥିଲା ।

     ଅନେକଙ୍କ ମତରେ ସାଧବ ପୁଅମାନେ ବାଲିଦ୍ୱୀପକୁ ଯାତ୍ରା କରୁଥିବାରୁ ଯାତ୍ରାର ନାମ ବାଲିଯାତ୍ରା । ସେତେବେଳେ ସକଳ ପୂର୍ବ ଭାରତୀୟ ଦୀପପୁଞ୍ଜକୁ ବାଲିଦ୍ୱୀପ କୁହାଯାଉଥିଲା । ଇତିହାସ ବର୍ଣ୍ଣନା ଅନୁଯାୟୀ ଖୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ କୋଡିଏ ହଜାର ଓଡ଼ିଆ ସପରିବାର ଜାଭାଦ୍ୱୀପକୁ ବାଣିଜ୍ୟପୋତରେ ଯାଇ ସେଠାରେ ସ୍ଥାୟୀ ନିବାସ କଲେ । ସେମାନଙ୍କର ବଂଶଧରଙ୍କୁ “କ୍ଲିଙ୍ଗ୍‌” କୁହାଯାଉଛି । ବାଲିଦ୍ୱୀପରେ ପ୍ରାୟ ନବେ ଭାଗ ଲୋକ ହିନ୍ଦୁଧର୍ମାବଲମ୍ବୀ, ବାଲିଦ୍ୱୀପର ସେମ୍ବିରାମ ଶିଳାଲେଖରୁ ଜଣାଯାଏ  ଯେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକରୁ ଓଡ଼ିଶା ସହିତ ବାଲିଦ୍ୱୀପର ନୌବାଣିଜ୍ୟ ସଂପର୍କ ରହିଥିଲା । ବାଲିଦ୍ୱୀପରେ ଏକ ହଜାରରୁ ଊଦ୍ଧ୍ୱର୍ ହିନ୍ଦୁମନ୍ଦିର ରହିଅଛି । ବାଲିଦ୍ୱୀପବାସୀଙ୍କର ସାମାଜିକ ସାଂସ୍କୃତିକ ଓ ପାରିବାରିକ ଜୀବନରେ ଓଡ଼ିଶାର ପ୍ରଭାବ ରହିଛି । ଓଡ଼ିଶା ସଦୃଶ ମଣ୍ଡାପିଠା, ଏଣ୍ଡୁରୀ ପିଠା, ଚକୁଳି ପିଠା, ପାନ ପ୍ରଭୃତି ବାଲିବାସୀଙ୍କର ପ୍ରିୟ । ଜାଭାଦ୍ୱୀପ ଯବଦ୍ୱୀପ ନାମରେ ରାମାୟଣରେ ପରିଚିତ । ଏହି ଦ୍ୱୀପରେ ମଧ୍ୟଭାଗ କଳିଙ୍ଗ ଓ ସମୁଦ୍ର କଳିଙ୍ଗ ସାଗର ନାମରେ ନାମିତ । କିଛି ଶିଳାଲେଖ ଅନୁସାରେ ଜାଭା ରାଜବଂଶ ‘ଗଜପତି’ ଉପାଧି ବ୍ୟବହାର କରୁଥିଲେ । ଚୀନ ପରିବ୍ରାଜକ ପଞ୍ଚମ ଶତାବ୍ଦୀରେ ଲେଖିଛନ୍ତି ଯେ କଳିଙ୍ଗର ବ୍ରାହ୍ମଣ ଓ ବଣିକମାନେ ଜାଭାକୁ ଆସୁଥିଲେ । ଦ୍ୱାଦଶ ଶତାବ୍ଦୀରେ ଜାଭାରେ ରାଜତ୍ୱ କରୁଥିବା ରାଜା ଭୟାବହ ନିଜକୁ କଳିଙ୍ଗବାସୀ ବୋଲି ବ୍ୟକ୍ତ କରୁଥିଲେ । ଏଥିରୁ କଳିଙ୍ଗ ଓ ଜାଭାର ସଂପର୍କ ସୁସ୍ପଷ୍ଟ । ସୁମାତ୍ରା ହିଁ ରାମାୟଣ ବର୍ଣ୍ଣିତ ସ୍ୱର୍ଣ୍ଣଦୀପ । ପଶ୍ଚମ ଶତାବ୍ଦୀରେ ସେଠିକାର ରାଜା ଶ୍ରୀ ବିଜୟ କଳିଙ୍ଗ ସହିତ ନୌବାଣିଜ୍ୟ ଲାଗି ସଂପର୍କ ରଖିଥିଲେ । ସେଠିକାର ରାଜଉଦ୍ୟାନ ‘ଶ୍ରୀକ୍ଷେତ୍ର’ ନାମରେ ପରିଚିତ ଥିଲା । ଇଣ୍ଡୋନେସିଆ, ଲବଦ୍ୱୀପ (ଲାଓସ), ଭିଏତନାମ, କାମ୍ବୋଡିଆ ପ୍ରଭୃତି ଦେଶରେ ନୌବାଣିଜ୍ୟ ମାଧ୍ୟମରେ ଓଡ଼ିଆ ସଂସ୍କୃତିର ବ୍ୟାପକ ପ୍ରଚାର ଓ ପ୍ରସାର ଘଟିଥିଲା । ଏହି ଦୃଷ୍ଟିକୋଣରୁ ‘ଆକାମାବୈ’କୁ ଅନେକ ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ନକହି ଆଣ୍ଡାମାନ, କାମ୍ବୋଡିଆ, ମାଳୟ ଓ ବାଲି କହିଥାନ୍ତି । କାର୍ତ୍ତିକ ମାସ ଧାର୍ମିକ ରୂପେ ଖ୍ୟାତ । ଏହି ମାସ ଶେଷରେ ଉତ୍ତର ଦିଗରୁ ପବନ ପ୍ରବାହ ଆରମ୍ଭ ହୋଇଥାଏ । ତେଣୁ କାର୍ତ୍ତିକ ପୂର୍ଣ୍ଣମୀରେ ସାଧବ ପୁଅମାନେ ବାଣିଜ୍ୟ ବୋଇତକୁ ସାଗର ବକ୍ଷରେ ଚଳାଇ ଦରିଆପାରି ଦେଶମାନଙ୍କୁ ଯାଇଥାନ୍ତି । ଓଡ଼ିଆମାନେ ପ୍ରାଚୀନ ନୌବାଣିଜ୍ୟ ସ୍ମୃତିରେ ଏବେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ ଓ ଦୀପଦାନ କରୁଛନ୍ତି । ସୋଲ, କଦଳୀ ବାସୁଙ୍ଗା ବା କାଉଁରିଆରେ ବୋଇତ ନିର୍ମାଣ କରି ତହିଁ ଉପରେ ଦୀପ ଓ ପାନଗୁଆ ଥୋଇ ବୋଇତ ଭସାଇ ଲୋକମାନେ କହିଥାନ୍ତି;-

ଆକାମା ବୈ, ପାନ ଗୁଆ ଥୋଇ
ପାନଗୁଆ ତୋର, ମାସକ ଧର୍ମ ମୋର ।

    ପଞ୍ଚଦଶ ଶତାବ୍ଦୀରେ ଏହି ପରମ୍ପରା ଓଡ଼ିଶାରେ ଥିଲା ବୋଲି ସାରଳା ମହାଭାରତରୁ ଜଣାଯାଏ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୁଧବାର ଯେ ପୂର୍ଣ୍ଣମୀ ଆକାମାବଇ ସ୍ନାହାନ ଦିନ ଗଙ୍ଗାକୁ ଗଲେ କୁନ୍ତଭୋଜ ସ୍ୱାମୀ । ଓଡ଼ିଶାବାସୀ ମହାନଦୀକୁ ଗଙ୍ଗାନଦୀର ମାନ୍ୟତା ପ୍ରଦାନ କରନ୍ତି । ପ୍ରାଚୀନ ଶାସ୍ତ୍ରରେ ମହାନଦୀକୁ ମହାପୁଣ୍ୟା, ମହାଦେବ ପ୍ରିୟା, ବିନ୍ଧ୍ୟପାଦ ବିନିର୍ଗତା, ଅମର କଣ୍ଟକ ସମ୍ଭୂତା, ଚିତ୍ରୋତ୍ପଳା, ସର୍ବପାପହରା, ଶୁଭ୍ରା ଓ ଗଙ୍ଗା ବୋଲି କୁହାଯାଇଛି । କାର୍ତ୍ତିକ ପୂର୍ଣ୍ଣମୀ ପ୍ରତ୍ୟୁଷରେ ମହାନଦୀରେ ସ୍ନାନ ଗଙ୍ଗାନଦୀରେ ସ୍ନାନ ବୋଲି ଓଡ଼ିଆ ମଣନ୍ତି । ଏହି ଦିବ୍ୟ ଦୃଷ୍ଟିରେ ଅଗଣିତ ନରନାରୀ କଟକ ଗଡ଼ଗଡିଆ ଘାଟରେ କାର୍ତ୍ତିକ ପୂର୍ଣ୍ଣମୀ ପ୍ରତ୍ୟୁଷରୁ  ସ୍ନାନ ପୂର୍ବକ ବୋଇତ ବନ୍ଦାଣ ଓ ଦୀପଦାନ କରିଥାନ୍ତି । ଏହାଦ୍ୱାରା ପାପ ବିଧ୍ୱଂସନ ହୁଏ ବୋଲି ଓଡ଼ିଶାବାସୀଙ୍କ ବିଶ୍ୱାସ ।

     ମହାନଦୀର ଗଡ଼ଗଡିଆ ଘାଟସ୍ଥିତ ବାଲିଯାତ୍ରା ପ୍ରାନ୍ତର ଏକ ତୀର୍ଥ କ୍ଷେତ୍ର । ଏହି ତୀର୍ଥ ହେଉଛି ବିଶ୍ୱେଶ୍ୱର ତୀର୍ଥ । ଏଠାରେ ସ୍ୱୟମ୍ଭୁ ବିଶ୍ୱେଶ୍ୱର ଶିବଲିଙ୍ଗ ବିରାଜିତ, ଯାହାକୁ ସଂପ୍ରତି ଗଡଗଡିଆ ମହାଦେବ କୁହାଯାଉଅଛି । ବାରବାଟୀ ର୍ଦୁଗରେ ଗଙ୍ଗବଂଶୀ ତୃତୀୟ ଅନଙ୍ଗଭୀମ ଦେବ ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିର ଫିରୋଜ ଖାଁ ତୋଗଲକ ଭାଙ୍ଗି ଦେଇ ପାଷାଣ ବିଗ୍ରହଙ୍କୁ ନଷ୍ଟ କରି ଦେଇଛନ୍ତି । ଗଡ଼ଚଣ୍ଡୀ ଏପର୍ଯ୍ୟନ୍ତ ବାରବାଟୀ ଦୁର୍ଗରେ ପୂଜା ପାଉଛନ୍ତି । ଗଜପତି ପୁରୁଷୋତ୍ତମ ଦେବ ଦକ୍ଷିଣରୁ ସାକ୍ଷୀଗୋପାଳଙ୍କୁ ଆଣି ବାରବାଟୀ ଦୁର୍ଗ ମଧ୍ୟରେ ମନ୍ଦିରରେ ରଖି ପୂଜା କରୁଥିଲେ । ସେହି ସାକ୍ଷୀଗୋପାଳ  ସଂପ୍ରତି ସତ୍ୟବାଦୀର ପୁଲଅଳସା ଗ୍ରାମରେ ବିରାଜିତ । ଏହି ପୁରୋଦୃଷ୍ଟିରେ ଏହି ତୀର୍ଥକ୍ଷେତ୍ର ହେଉଛି ଶୈବ, ଶାନ୍ତ ଓ ବୈଷ୍ଣବ ଭାବଧାରାର ସମନ୍ୱୟାତ୍ମକ କ୍ଷେତ୍ର । ଶ୍ରୀଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଚଷାପଡା ଘାଟରେ ମହାନଦୀ ପାରି ହୋଇ ଏହି ତୀର୍ଥକ୍ଷେତ୍ରରେ ପଦାର୍ପଣ  କରିଥିଲେ । ଏହି କ୍ଷେତ୍ରରେ ପ୍ରତିଟି ଧୂଳିକଣା ପବିତ୍ର ବିବେଚନା କରି ସେ ଏଠାରେ ବାଲିରେ ଗଡ଼ିଥିଲେ ଏବଂ ସାକ୍ଷୀ ଗୋପାଳଙ୍କୁ ଦର୍ଶନ କରି କୃତ୍ୱ କୃତ୍ୱ ହୋଇଥିଲେ । ସେହିଦିନ ଠାରୁ ଏହି ତୀର୍ଥକ୍ଷେତ୍ର ଗଡଗଡିଆ ଘାଟ ଓ ମହାଦେବ ଗଡଗାଡିଆ ମହାଦେବ ନାମିତ । ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ଏଠାରେ ସଂକୀର୍ତ୍ତନ ଅନୁଷ୍ଠିତ ହୁଏ । କାର୍ତ୍ତିକ ପୂର୍ଣ୍ଣମୀରେ ବାଲିଯାତ୍ରା ପ୍ରାନ୍ତରରେ ଓଡ଼ିଶୀ କୀର୍ତ୍ତନ ଓ ନଦୀୟା କୀର୍ତ୍ତନର ରାସ କୀର୍ତ୍ତନରେ ମଧୁର ସମାବେଶ ସୃଷ୍ଟି ହୋଇଥାଏ । ଏହି କୀର୍ତ୍ତନ ପରମ୍ପରା ଅଦ୍ୟାବଧି ଉଜ୍ଜୀବିତ ।

     ବାଲିଯାତ୍ରା ଖ୍ରୀଷ୍ଟପୂର୍ବ କାଳରୁ କଟକରେ ଅନୁଷ୍ଠିତ ହୋଇଆସୁଅଛି । ଏହାର ଇତିହାସ ସହିତ କଟକ ମହାନଗରର ଇତିହାସ ଅଙ୍ଗାଙ୍ଗୀ ଭାବରେ ଜଡିତ । ଏହି ପରିପ୍ରେକ୍ଷୀରେ ହଜାରେ ବର୍ଷ ତଳେ କାଠଯୋଡି ପଥର ବନ୍ଦ ନିର୍ମାଣକୁ ଆଧାର କରି ‘କଟକ ନଗର ବରଷ ହଜାର’ କହିବା ସମୀଚୀନ ନୁହେଁ । ବାଲିଯାତ୍ରା ଏଠାରେ ଶତାବ୍ଦୀ ଶତାବ୍ଦୀ ଧରି ପାଳିତ । ଏହା ହେଉଛି ଓଡ଼ିଶାର ସର୍ବପ୍ରାଚୀନ ଯାତ୍ରା । ଏଠାରେ ପ୍ରାଚୀନ କାଳରୁ ସନ୍ଧ୍ୟା ଠାରୁ ନିଶାର୍ଦ୍ଧ ଯାଏ ମୁକ୍ତାକାଶ ତଳେ ମଶାଲ ଜଳାଇ କଳାକାର, ଗାୟକ ଓ ଅଭିନେତାମାନେ ନୃତ୍ୟ, ସଙ୍ଗୀତ ଓ ଅଭିନୟ ପ୍ରଦର୍ଶନ କରିଥାନ୍ତି । ସମବେତ ଦର୍ଶକ ସେମାନଙ୍କ ଲୋକନାଟ୍ୟ, ରାମଲୀଳା, ରାସଲୀଳା, ପାଲା, ଦାସକାଠିଆ ଓ ସୁଆଙ୍ଗ ପ୍ରଭୃତି ଦେଖି ମୁଗ୍ଧ ହେଉଥିଲେ । କ୍ରମେ କ୍ରମେ ଏହି କଳା, ନୃତ୍ୟ, ସଙ୍ଗୀତ ଓ ସୁଆଙ୍ଗ ପ୍ରଦର୍ଶନ ବିକଶିତ ହୋଇ ସୌଖିନ ଅଭିୟନ, ସଙ୍ଗୀତ ଓ ଯାତ୍ରାଦଳ ରୂପେ ଆତ୍ମପ୍ରକାଶ କରିଛି । ଏହି ଦୃଷ୍ଟିକୋଣରୁ ବାଲିଯାତ୍ରା ହିଁ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ ଅଭିନୟର ବିକାଶସ୍ଥଳୀ ।

      ସଂପ୍ରତି ବାଲିଯାତ୍ରାର ଅଙ୍ଗ ଓ ଆତ୍ମାରେ ବିରାଟ ପରିବର୍ତ୍ତନର ସୂତ୍ରପାତ ଘଟିଛି । ଏହା ବର୍ତ୍ତମାନ ବିଶ୍ୱର ଏକ ବୃହତ ବାଣିଜ୍ୟ ମେଳାର ସ୍ୱରୂପ ଧାରଣ କରିଛି । ଶତାବ୍ଦୀ ଶତାବ୍ଦୀର ପାରମ୍ପରିକ ପ୍ରବାହରେ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇ କଟକ ବାଲିଯାତ୍ରା ଓଡ଼ିଆଙ୍କ ସ୍ୱାଭିମାନ ଓ ଗୌରବବୋଧ ଜାଗ୍ରତ କରିଛି । ଓଡ଼ିଶା ସରକାର, ବିଭିନ୍ନ ଅନୁଷ୍ଠାନ, କଟକ ମହାନଗର ନିବାସୀ ଓ ଅଗଣିତ ଓଡ଼ିଶା ବାଲିଯାତ୍ରାକୁ ସରସ ଓ ସୁନ୍ଦର କରିବାକୁ ତତ୍ପର । ସାଂସ୍କୃତିକ ସୌରଭରେ ସୁରଭିତ ହୋଇ ବାଲିଯାତ୍ରା ଅଧିକ ଲୋକପ୍ରିୟତା ଲାଭ କଲାଣି । କେବଳ କଟକ ନୁହେଁ ଓଡ଼ିଶାର କୋଣେ ଅନୁକୋଣେ ଓ ଦେଶ ବିଦେଶରେ ବାଲିଯାତ୍ରା କାୟା ବିସ୍ତାର କଲାଣି । ଐକ୍ୟବୋଧର ଉନ୍ନତ ରୁଚି, ବୌଦ୍ଧିକ ସୃଜନଶୀଳତା, ସଂସ୍କାରର ଫଳପ୍ରସୂ ଶକ୍ତରେ ସମୃଦ୍ଧ ବାଲିଯାତ୍ରା ବର୍ତ୍ତମାନ ଜାତୀୟ ମହୋତ୍ସବର ସ୍ୱତନ୍ତ୍ର ଆସନରେ ଅଧିଷ୍ଠିତ ।

ଆନନ୍ଦନଗର, କାଠଗଡା, ଢେଙ୍କାନାଳ
 ମୋ-୮୮୯୫୦୩୦୭୨୨