ଉଚ୍ଚଶିକ୍ଷା ଓ ଭାରତ
ଭାରତ ଆଜି ସମଗ୍ର ବିଶ୍ୱର ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତା ଜାରି ରଖିଛି । ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏକ ସମ୍ପୂର୍ଣ୍ଣ ବିକଶିତ ଦେଶରେ ପରିଣତ ହେବାର ଯେଉଁ ଯୋଜନା ରଖିଛି ଏ କ୍ଷେତ୍ରରେ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କର ମର୍ଯ୍ୟାଦା, ପ୍ରତିଷ୍ଠା, ଛାତ୍ରଛାତ୍ରୀଙ୍କ ଉକ୍ରୃର୍ଷତା ଗୁରୁତ୍ୱ ବହନ କରିବାକୁ ଯାଉଛି ।
ସପ୍ତାହକ ତଳେ ପ୍ରକାଶିତ ପୃଥିବୀର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କର ମର୍ଯ୍ୟାଦା ତାଲିକା, କୁ୍ୟଏସ ୱର୍ଲଡ଼ ୟୁନିଭରସିଟି ର୍ୟାଙ୍କିଙ୍ଗସ ଭାରତ ପାଇଁ ସୁସମ୍ବାଦ ବହନ କରିବା ଦେଖାଯାଇଛି । ଗତ ବର୍ଷ ତୁଳନାରେ ଏଥିରେ ପ୍ରାୟ ୫୦ ଶତାଂଶ ଭାରତୀୟ ବିଶ୍ୱ ବିଦ୍ୟାଳୟ ମାନଙ୍କୁ ପ୍ରଦତ୍ତ ର୍ୟାଙ୍କରେ ଉନ୍ନିତ ଘଟିଛି । ବର୍ତ୍ତମାନ ଭାରତର ୫୪ଟି ଉଚ୍ଚଶିକ୍ଷା ଅନୁଷ୍ଠାନ ସେଇ ସମ୍ମାନଜନକ କୁ୍ୟଏସ ତାଲିକାରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଂଖ୍ୟା ଅନୁସାରେ ଭାରତ ବର୍ତ୍ତମାନ ପୃଥିବୀରେ ଚତୁର୍ଥ ସ୍ଥାନ ହାସଲ କରିଛି ୧୯୨ଟି ଏଭଳି ଶିକ୍ଷାନୁଷ୍ଠାନ ଥିବା ଆମେରିକା ଅଛି ପ୍ରଥମ ସ୍ଥାନରେ, ୯୦ଟି ଶିକ୍ଷାନୁଷ୍ଠାନ ଥିବା ବ୍ରିଟେନ ଅଛି ଦ୍ୱିତୀୟ ସ୍ଥାନରେ ଓ ୭୨ଟି ଶିକ୍ଷାନୁଷ୍ଠାନ ଥିବା ଚୀନ ଅଛି ତୃତୀୟ ସ୍ଥାନରେ । ଏଥର ଭାରତର ୮ଟି ବିଶ୍ୱବିଦ୍ୟାଳୟ ନୂତନ କରି ଏହି ତାଲିକାରେ ପ୍ରବେଶ କରିଛନ୍ତି, ଯାହା ମଧ୍ୟ ହେଉଛି ଏକ ଉଲ୍ଲେଖନୀୟ ଉପଲବ୍ଧି । କାରଣ ଅନ୍ୟ କୌଣସି ଦେଶର ଏତେ ସଂଖ୍ୟକ ବିଶ୍ୱବିଦ୍ୟାଳୟ ଏଥର ନୂତନ ଭାବେ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି । ଭାରତର କେତେକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ମାନ ମଧ୍ୟ ଏହି ମର୍ଯ୍ୟାଦା ତାଲିକାରେ ଯେଉଁଭଳି ଆରୋହଣ କରିବାରେ ସଫଳ ହୋଇଛନ୍ତି, ତାହା ପ୍ରଭାବଶାଳୀ ବୋଲି କହିଲେ ଅତିରଞ୍ଜନ ହେବନାହିଁ । ଭାରତୀୟ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ତାଲିକାରେ ସର୍ବାଗ୍ରେ ଥିବା ଦିଲ୍ଲୀ ଆଇଆଇଟିକୁ ଏଥର ତାଲିକାରେ ୧୨୩ତମ ସ୍ଥାନ ପ୍ରଦାନ କରାଯାଇଛି ଗତ ବର୍ଷ ଏଡାକୁ ମିଳିଥିଲା ୧୫୦ ତମ ସ୍ଥାନ ଓ ତା’ପୂର୍ବ ବର୍ଷ ଏହାର ସ୍ଥାନ ୧୯୬ତମ । ଭାରତୀୟ ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ଅଛି “ବମ୍ବେ ଆଇଆଇଟି’ ଓ ତୃତୀୟ ସ୍ଥାନରେ ଅଛି “ମାଡ଼୍ରାସ ଆଇଆଇଟି’ । “ଖଡ଼ଗପୁର ଆଇଆଇଟି’ ଚତୁର୍ଥ ସ୍ଥାନରେ ଥିବାବେଳେ ବେଙ୍ଗାଲୁରସ୍ଥିତ “ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସ’ ରହିଛି ପଞ୍ଚମ ସ୍ଥାନରେ । ଆମ ବିଶ୍ୱବିଦ୍ୟାଳୟମାନଙ୍କର ଏହି ପ୍ରଶଂସନୀୟ ଉପଲବ୍ଧି ଭାରତ ପାଇଁ ଆଉ ଏକ ଆକର୍ଷଣୀୟ ସମ୍ଭାବନା ମଧ୍ୟ ସୃଷ୍ଟି କରିଛି । ଭାରତ ବର୍ତ୍ତମାନ ଚାହିଁଲେ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଉଚ୍ଚଶିକ୍ଷା ସନ୍ଧାନୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଆଦର୍ଶ ଗନ୍ତବ୍ୟ ସ୍ଥଳୀରେ ପରିଣତ ହୋଇଯାଇ ପାରିବ । ସେ ଦେଶ ମାନଙ୍କରେ ଉଚ୍ଚଶିକ୍ଷା ମଧ୍ୟ ଅତ୍ୟନ୍ତ ବ୍ୟୟ ବହୁଳ ହୋଇଥାଏ, ଯାହା ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅସହ୍ୟ ହୋଇଥିଲେ ମଧ୍ୟ ସେମାନେ ଉଚ୍ଚମାନର ଶିକ୍ଷା ଲାଭ ଆଶାରେ କୌଣସି ମତେ ଏହି ବୋଝ ବହନ କରିବାକୁ ଚେଷ୍ଟା କରିଥାନ୍ତି । ଭାରତର ବିବିଧତାଭରା ସାଂସ୍କୃତିକ ପରିବେଶ ମଧ୍ୟ ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ପାଶ୍ଚାତ୍ୟ ଜାତିଆଣ ସଂସ୍କୃତି ଠାରୁ ଅଧିକ ଅନୁକୂଳ ସାବ୍ୟସ୍ତ ହେବ । ଅନେକ ଭାରତୀୟ ଶିକ୍ଷାନୁଷ୍ଠାନ ବର୍ତ୍ତମାନ ଆନ୍ତର୍ଜାତିକ ଗବେଷଣା ସହଭାଗିତାରେ ଅଂଶୀଦାର ଅଛନ୍ତି, ଯାହା ଏହି ଛାତ୍ରଛାତ୍ରୀମାନଙ୍କୁ ଏଠାକୁ ଆସିବା ପାଇଁ ଉତ୍ସାହିତ କରିବ । ସରକାର ଯଦି ସୁଯୋଗର ସଦବ୍ୟବହାର କରି ଭାରତକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଆନ୍ତର୍ଜାତିକ କେନ୍ଦ୍ରରେ ପରିଣତ କରିବାକୁ ଆବଶ୍ୟକ ଅନ୍ୟାନ୍ୟ ଆନୁସଙ୍ଗିକ ପଦକ୍ଷେପମାନ ନେବେ, ତେବେ ଭାରତ ପ୍ରକୃତରେ ଅବିଳମ୍ବେ ଏକ ବିଶ୍ୱଗୁରୁରେ ପରିଣତ ହୋଇପାରେ । ଭାରତରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଭାବେ ସରକାରୀ ପ୍ରୋତ୍ସାହନ ମିଳିବା ସହ ଅନେକ ବିଦେଶୀ ଛାତ୍ରମାନେ ମଧ୍ୟ ଭାରତ ଆଗମନ କରି ସେମାନଙ୍କର ମନଲାଖି ଉଚ୍ଚଶିକ୍ଷା ପାଉଛନ୍ତି ।
ଡ.ଅରୁନ୍ଧତୀ ଦେବୀ,ମୋ: ୯୯୩୭୧୭୨୮୧୦