ମାୟାର ଇନ୍ଦ୍ରଜାଲ


      ଯାହାର ପ୍ରକୃତ ସତ୍ତା ନଥାଏ ଅଥଚ ଯାହା ପ୍ରକୃତ ପରି ବୋଧ ହୁଏ ତାହା ମାୟା । ଯାହା ବୁଦ୍ଧି ଭ୍ରମ ବା ମୋହଗ୍ରସ୍ତ ସୃଷ୍ଟି କରେ । କେତେକଙ୍କୁ ଭ୍ରଷ୍ଟ ମଧ୍ୟ କରିଥାଏ ତାହା ହେଉଛି ମାୟା । ମାୟାର ଅଗଣିତ ଶକ୍ତି ରହିଛି । ବ୍ରହ୍ମ ଦୃଶ୍ୟମାନ ହେବା ପରିବର୍ତ୍ତେ ମାୟା ବଳରେ ଏହି ଜଗତ ଦୃଶ୍ୟମାନ ହେଉଛି । ମାୟା ସତ୍ୟ ନୁହେଁ କି ମିଥ୍ୟା ନୁହେଁ । ତାହା ସତ୍ୟତଃ ଏକ ମିଥ୍ୟା ଏବଂ ମିଥ୍ୟାତଃ ଏକ ସତ୍ୟ । ମାୟା ପ୍ରକୃତ ନୁହେଁ କି ଅପ୍ରକୃତ ନୁହେଁ ତାହା ବ୍ରହ୍ମଙ୍କ ପରି ପ୍ରକୃତ ନୁହେଁ । କାରଣ ଜ୍ଞାନଲାଭ କରିଥିବା ବ୍ୟକ୍ତି ପାଖରେ ମାୟା ଅଦୃଶ୍ୟ ହୋଇଯାଏ । ଏମିତିରେ କହିଲେ ମାୟା ଏକ ପ୍ରକାର ଇନ୍ଦ୍ରଜାଲ । ଯେତେବେଳେ ଯାଏ ଆପଣ ଏହି ଐନ୍ଦ୍ରିୟ ଜାଲିକତାକୁ ଦେଖିନଥାନ୍ତି ସେତେବେଳ ଯାଏ ଇନ୍ଦ୍ରଜାଲ ଆପଣଙ୍କୁ ବିମୋହିତ ଓ କୁହୁକ ବିସ୍ମିତ କରି ରଖିଥାଏ । ଠିକ ସେହିପରି ଆପଣ ଗୁରୁଦେବଙ୍କୁ ଚିହ୍ନି ପାରିଲେ, ଉପଲବ୍ଧିଲେ କୃପାପ୍ରାପ୍ତ ହେଲେ ଠିକ ସେହି ମୁହୂର୍ତ୍ତରେ ଏହି ମାୟାର ଇନ୍ଦ୍ରଜାଲ ଉଭାନ ହୋଇଯିବ । ଆପଣ ଜାଣିପାରିବେ ଯେ ଯାହା ବିସ୍ମୟ ସୃଷ୍ଟି କରିଥିଲା ତାହା ମିଥ୍ୟା । 
        ଡ.ସୁରେଶ କୁମାର ନାୟକ,ମୋ : ୯୪୩୭୨୨୫୫୯୨