ଉଚ୍ଚଶିକ୍ଷାରେ ଏସ୍ଇବିସି ପିଲାଙ୍କ ସଂରକ୍ଷଣ ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

 ଭୁବନେଶ୍ୱର : ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ପାଇଁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀକୁ  ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିବା ସହ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର । ଏହି ଐତିହାସିକ ନିଷ୍ପତ୍ତି ଏସଇବିସି ବର୍ଗର ଲୋକଙ୍କୁ ସଶକ୍ତ କରିବା ସହ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ । ଜାତୀୟ ଶିକ୍ଷା ନୀତି ଦୃଷ୍ଟିକୋଣରେ ଏହି ପଦକ୍ଷେପ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ବଢାଇବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସହାୟକ ହେବ । ଏହି ନୀତି ଶିକ୍ଷାବର୍ଷ ୨୦୨୫-୨୬ରୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳନ କରାଯିବ । 
‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମୋଦି ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ । ମୋଦି ସରକାର ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଆସୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଏପ୍ରିଲ ୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଅବଗତ କରାଇଥିଲେ । ଶ୍ରୀ ପ୍ରଧାନ ତକôାଳୀନ ମୁଖ୍ୟମନ୍ତ୍ରୀଙ୍କୁ ୩୧ ଡିସେମ୍ବର ୨୦୨୦, ୧୫ ଜାନୁଆରୀ ୨୦୨୦ ଏବଂ ୨୫ ଜୁଲାଇ ୨୦୧୯ରେ ଏହି ପ୍ରସଙ୍ଗରେ ତିନି ଥର ପତ୍ର ଲେଖିବା ପରେ ବି ପୂର୍ବ ସରକାର କୌଣସି ତତ୍ପରତା ଦେଖାଇ ନ ଥିଲେ ।