ଉଛୁଳୁଛି ଖରସ୍ରୋତା ଓ ବ୍ରାହ୍ମଣୀ ଦୁର୍ବଳ ନଦୀବନ୍ଧକୁ ନେଇ ବଢିଲା ଚିନ୍ତା
ବରୀ: ରେଙ୍ଗାଲି ଡ୍ୟାମରୁ ୩ଟି ଗେଟ ଖୋଲା ହେବା ପରେ ବ୍ରାହ୍ମଣୀ ଏବଂ ଏହାର ଶାଖାନଦୀ ଖରସ୍ରୋତା ଉଛୁଳିବାରେ ଲାଗିଛି । ଯଦିଓ ଉଭୟ ବ୍ରାହ୍ମଣୀ ଏବଂ ଖରସ୍ରୋତାରେ ବିପଦସଂକୁଳ ତଳେ ବନ୍ୟାଜଳ ପ୍ରବାହିତ ହେଉଛି, କିନ୍ତୁ ରେଙ୍ଗାଲିରୁ ଛଡ଼ା ଯାଇଥିବା ବନ୍ୟାଜଳ ବ୍ରାହ୍ମଣୀରେ ପ୍ରବେଶ କରିବାପରେ ଜଳସ୍ତର ବୃଦ୍ଧିପାଇବ । ବର୍ତ୍ତମାନ ସ୍ଥିତିରେ ବନ୍ୟାଜଳ ଆସିବା ପରେ ବିସ୍ତୃତ ଚାଷଜମି ଜଳମଗ୍ନ ହେଉଛି । ଫଳରେ ଧାନଫସଲ ସାଙ୍ଗକୁ ପନି ପରିବା ଫସଲ ନଷ୍ଠ ହେବାକୁ ଲାଗିଛି । ତେବେ କେତେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ଏହାଜନସାଧାରଣଙ୍କୁ ଚିନ୍ତାରେ ପକାଇ ଦେଇଛି । ଖରସ୍ରୋତା ଓ ତାହାର ଶାଖାନଦୀ ତନ୍ତୀଘାଇ ଓ କାଣି ନଦୀରେ ବନ୍ୟା ଆସି ବରୀ ବ୍ଲକର ଭଅଁରା, ବୋଦୁଅ, ରମ୍ପା, ଉଦୟନାଥପୁର, ରତଳାଙ୍ଗ, ବରୀ, ବାଲିବିଲି, ଅନ୍ୟାସପୁର, କଳାମାଟିଆ, ଅଙ୍ଗାଳେ ପଂଚାୟତର ଚାଷ ଜମିରେ ବନ୍ୟାଜଳ ପ୍ରବେଶ କରିଛି । ବ୍ରାହ୍ମଣୀ ନଦୀର ଜଳ ସମ୍ପଦ ବିଭାଗର ରନôଗିରି ସେକସନର ବନ୍ଧଡ଼ିହ, ମାଟିଆପଡା, ରୁଦ୍ରପୁର ସେକନର ଝାଳପଡା ଠାରେ ନଦୀବନ୍ଧର ଅବସ୍ଥା ଦୁର୍ବଳ ରହିଛି । ଏହି ସ୍ଥାନ ଗୁଡିକ ବରୀ ଜଳସମ୍ପଦ ଅଧିକାରୀ ଇଂ ମନୋରଂଜନ ତ୍ରିପାଠୀ ଓ ବରୀ ବ୍ଲକ ବିଡ଼ିଓ ଅସିତ କୁମାର ମହାନ୍ତି ତନ୍ତୀ ଘାଇ ନଦୀ କୂଳ ଚଟୁମାରୀ ଓ ବାଲି ବିଲି, ସେହିପରି ବରୀ ତହସିଦାର ଦୀପ୍ତିମୟୀ ବେହେରା ନଦୀବନ୍ଧ ଓ ବନ୍ୟାକୁ ନେଇ ବିଭିନ୍ନ ସ୍ଥାନରେ ପହଁଚି ପରିସ୍ଥିତି ଅନୁଧ୍ୟାନକରି ଫେରିଛନ୍ତି । ବନ୍ୟା ଆଶଙ୍କା ନେଇ ବରୀ ବ୍ଲକର ପ୍ରସାଶନ ପକ୍ଷରୁ ଚୂଡ଼ା, ଚାଉଳ, ଗୁଡ଼, ପାଲ, ବାତ୍ୟା ଆଶ୍ରୟସ୍ଥଳ, ବିଭିନ୍ନ ସ୍କୁଲଗୃହ ଗୁଡିକ ରହିଥିବା ସୂଚନା ଦେଇଛନ୍ତି । ସେହିପରି ବିଞ୍ଝାରପୁର ଜଳସମ୍ପଦ ଅଧିନ ବୋଦୁଅ, ପାଳସାହି, ନିକଟରେ ଦୁର୍ବଳ ବନ୍ଧ ସ୍ଥାନକୁ ମାଟି ପକାଯାଇଛି ।