ଉଦୟବଟ ଧାମ ଉନ୍ନତି ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି
ପାରାଦୀପ : ମାଳିକା ବର୍ଣ୍ଣିତ ପାରାଦୀପ ଉପକଣ୍ଠ ଉଦୟବଟ ଧାମର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ଏହି ଶ୍ରୀ ଜଗନ୍ନାଥ ତତ୍ତ୍ୱ ଆଶ୍ରମ ୧୯୮୮ ମସିହାରେ ପ୍ରତିଷ୍ଠା କରିଥିଲେ ପଞ୍ଚସଖା ବୈଷ୍ଣବ ପରମ୍ପରାର ଗୁରୁ ଶ୍ରୀ ଭଗବାନ ଦାସ ମହାରାଜ । ଆଶ୍ରମର ପରିଚାଳକଙ୍କ ଅନୁରୋଧ ରକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜୁନ ମାସ ୨୯ ତାରିଖ ଦିନ ଆଶ୍ରମକୁ ପରିଦର୍ଶନ କରିବା ଅବସରରେ ଦେବାଦେବୀଙ୍କୁ ଦର୍ଶନ କରିବା ସହ ଶ୍ରୀଜଗନ୍ନାଥ ତତ୍ତ୍ୱ ଆଶ୍ରମରେ କିଛି ସମୟର ରହଣି ଭିତରେ ଉଦୟବଟ ଧାମ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ଶ୍ରୀ ଜଗନ୍ନାଥ ତତ୍ତ୍ୱ ଆଶ୍ରମରେ ସ୍ଥାପନ ହେବାକୁ ଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର, ପାଠାଗାର ଓ ଯୋଗଶିକ୍ଷା କେନ୍ଦ୍ର ପାଇଁ ମନ୍ତ୍ରୀ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶ୍ୱପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ପରମଭକ୍ତ ତାପସ ରଞ୍ଜନ ପତି ଏହି ଆଶ୍ରମ ପରିସରରେ ପ୍ରତିଷ୍ଠା ହେବାକୁ ଥିବା ପାରାଦୀପର ପ୍ରଥମ ବୃହତ୍ ଯୋଗଶିକ୍ଷା କେନ୍ଦ୍ରକୁ ପରିଚାଳନା କରିବେ ବୋଲି ମନ୍ତ୍ରୀଙ୍କୁ ସୂଚନା ଦେଇଥିବା ନେଇ ଆଶ୍ରମ ପରିଚାଳନା କମିଟିରର ସଭାପତି ପ୍ରକାଶ କରିଛନ୍ତି । ଆଶ୍ରମର ମୁଖ୍ୟ ବାବାଜୀ ଭବସାଗର ଦାସ, ବାବା ଉଦୟନାଥ ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ, ବସନ୍ତ କୁମାର ନାୟକ, ଚିନ୍ମୟ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।