ଉପକାରାଗାର ଅନ୍ତେବାସୀଙ୍କୁ ଦକ୍ଷତା ବିକାଶ ତାଲିମ
ରଗଡ଼ି : ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ମାଧ୍ୟମରେ ରଗଡ଼ି ଉପକାରାଗାରର ଅନ୍ତେବାସୀ ମାନଙ୍କୁ ଗାଈ, ମଇଁଷି ଓ ଛେଳି ଚାଷ ସହିତ ଜିଆ ଖତ ଉତ୍ପାଦନ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ଆୟୋଜିତ ତାଲିମ୍ କାର୍ଯ୍ୟକ୍ରମ ଜୁନ ମାସ ୬ ତାରିଖରେ ଶେଷ ହେବ । କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ, ପ୍ରଭାତ କୁମାର ବସ୍ତୀ, ସୋମାଞ୍ଜଳି ପ୍ରଧାନ, ରାକେଶ ନାୟକ, ପ୍ରସନ୍ନ ରାଉତ, ଷ୍ଟେଟ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ କାରାଗାରର ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ । ତାଲିମ୍ କାର୍ଯ୍ୟକ୍ରମରେ ଚୟନ କରାଯାଇଥିବା ଉପ କାରାଗାରର ଅନ୍ତେବାସୀଙ୍କୁ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ମାଧ୍ୟମରେ ତାଲିମ୍ ପ୍ରଦାନ କରାଯିବ । ତାଲିମ୍ ପରେ ତାଲିମ୍ ପ୍ରାପ୍ତ ସମସ୍ତ ଅନ୍ତେବାସୀ ମାନଙ୍କୁ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ପ୍ରଦତପ୍ରମାଣ ପତ୍ର ସହିତ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯିବ । ପ୍ରମାଣ ପତ୍ର ମାଧ୍ୟମରେ ଉପକାରାଗାର ଅନ୍ତେବାସୀ ମୁକ୍ତ ହେବା ପରେ ବ୍ୟାଙ୍କ୍ ମାଧ୍ୟମରେ ଋଣ ପାଇଁ ଆବେଦନ କରିପାରିବେ ଓ ଉଦ୍ୟୋଗୀ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ ।