ଅନିଶ୍ଚିତତା ଭିତରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭବିଷ୍ୟତ
ଯଖପୁରା: ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର । ଆଜିର ଶିଶୁ କାଲିର ଭବିଷ୍ୟତ । ଏହାକୁ ନେଇ ଅଭିଭାବକ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସଚେତନ ଥିବାର ନଜିର ଆସେ । ରାଜ୍ୟରେ ସମସ୍ତ ବିଦ୍ୟାଳୟକୁ ଉନ୍ନତ ମାନର କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି ବୋଲି ଦେଖାଯାଏ । ପ୍ରତ୍ୟେକ ବିଦ୍ୟାଳୟର ଭିତ୍ତି ଭୂମିକୁ ସୁଦୃଢ କରିବା ପାଇଁ ସରକାର ସଂକଳ୍ପ ବଧ ।
ଶିକ୍ଷାକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସରକାର ଶିକ୍ଷା ବିଭାଗକୁ ୫-ଟିରେ ଅନ୍ତର୍ଭୁକ୍ତ କରିଛନ୍ତି । ଫଳରେ ରାଜ୍ୟର ଅନେକ ସ୍କୁଲ କଲେଜର ଭିତିଭୂମିକୁ ସୁଦୃଢ କରିଛନ୍ତି । ଶିକ୍ଷାକୁ ଗୋଟେ ଅନ୍ୟ ଦିଗକୁ ନେବା ପାଇଁ ଚେଷ୍ଟା କରିଛନ୍ତି । କିନ୍ତୁ ରାଜ୍ୟର ଏମିତି ଅନେକ ବିଦ୍ୟାଳୟ ଅଛି ଯେଉଁଠି ଉନ୍ନତ ଶିକ୍ଷାର ଛାପ ପଡ଼ିପାରି ନାହିଁ । ଏସବୁ ସ୍କୁଲକୁ ଦେଖିଲେ ଶିକ୍ଷା ପ୍ରତି ଏହାର ନଗ୍ନ ଚିତ୍ର ମନେ ପଡେ । ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ବର୍ତମାନ ରାଜ୍ୟର ଅନେକ ସ୍କୁଲ କଲେଜ ବନ୍ଦ ହେବାକୁ ଯାଉଛି । ଯାହାକୁ ନେଇ ଅତୀତରେ ଅନେକ ଦୁର୍ବାର ଆନେ୍ଦାଳନ ଶିକ୍ଷକ ସଂଘ ବିଧାନସଭା ସମ୍ମୁଖରେ କରୁଥିବାର ଦେଖିବାକୁ ମିଳିଛି । ରାଜ୍ୟରେ ଥିବା ୧୩ଶହ ବ୍ଲକ୍ ଗ୍ରାଣ୍ଟବିଦ୍ୟାଳୟର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । କହିବାକୁ ଗଲେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷକଙ୍କ ଭାଗ୍ୟ ଅନ୍ଧକାର ହେବାକୁ ଯାଉଛି ବୋଲି ଜଣାଯାଏ । ଏହାରି ଭିତରେ ଦାନଗଦୀ ବ୍ଲକ୍ ଅଧୀନସ୍ଥ ରାବଣା ଗ୍ରାମ ସ୍ଥିତ ରଘୁନାଥ ସାହୁ ଉ.ପ୍ରା ବିଦ୍ୟାଳୟ ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତି କରୁଛି । ବିଦ୍ୟାଳୟରେ ମୋଟ ଦୁଇଟି ଶ୍ରେଣୀ ଅଛି । ଷଷ୍ଠ ଓ ସପ୍ତମ ଶ୍ରେଣୀରେ ମୋଟ ୫୧ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଦୁଇଟି ଶ୍ରେଣୀ ପାଇଁ ଦୁଇଜଣ ଶିକ୍ଷକ ଅଛନ୍ତି । ଯାହା ଖବର ନେବାରେ ଜଣା ପଡ଼ିଛି କି ରାବଣା ରଘୁନାଥ ସାହୁ ଉ.ପ୍ରା ବିଦ୍ୟାଳୟଟି ବ୍ଲକ୍ ଗ୍ରାଣ୍ଡ ବିଦ୍ୟାଳୟ ଅନ୍ତର୍ଭୁକ୍ତ । ଯାହାକି ଏହା ସମ୍ପୂର୍ଣ୍ଣ ସରକାରୀ ବିଦ୍ୟାଳୟ ନୁହେଁ; ଆଂଶିକ ସରକାରୀ ବିଦ୍ୟାଳୟ । ଏହା ହୋଇଥିବାରୁ ସରକାରଙ୍କ ଶିକ୍ଷା ନୀତି ଯୋଗୁଁ ଏହାର ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି । ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି । ଏହା କହିବାର କାରଣ ହେଉଛି ବିଦ୍ୟାଳୟରେ ଥିବା ଶିକ୍ଷକଙ୍କୁ ନେଇକି ସମସ୍ୟା ଉପୁଜିଛି । ବିଦ୍ୟାଳୟରେ ଥିବା ଦୁଇ ଜଣ ଶିକ୍ଷକ ମଧ୍ୟରୁ ଜଣେ ଶିକ୍ଷକଙ୍କ ଅବସର ସମୟ ମେ ମାସରେ ହେବାକୁ ଥିବା ସମୟରେ ଅନ୍ୟଜଣେ ଶିକ୍ଷକଙ୍କ ଅବସର ନଭେମ୍ବର ମାସରେ ଅଛି । ଆଉ କିଛି ମାସ ପରେ ଉଭୟ ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ? ଏହି ସଙ୍କଟ ଯୋଗୁଁ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବାର ସମ୍ଭାବନା ଅଛି । ବିଦ୍ୟାଳୟରୁ ଉଭୟ ଶିକ୍ଷକ ଅବସର ନେବା ପରେ ଛାତ୍ରଛାତ୍ରୀ ଯିବେ କୁଆଡେ ଆଉ କରିବେ କ’ଣ? ଯଦିଓ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହକୁ ଦେଖି ସବୁ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି ତେବେ ଗ୍ରୀଷ୍ମ ଛୁଟି ପରେ ଯେତେ ବେଳେ ବିଦ୍ୟାଳୟ ଖୋଲିବ ସେତେ ବେଳେ ଦୁଇଜଣଙ୍କ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ଅବସର ନେଇସାରିଥିବେ । ଗ୍ରୀଷ୍ମ କାଳୀନ ଛୁଟି ପରେ ୫୧ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଥିବେ । ଦୁଇଟି ଶ୍ରେଣୀ ଓ ୫୧ ଜଣ ଛାତ୍ରଛାତ୍ରୀ ପାଇଁ ମାତ୍ର ଜଣେ ଶିକ୍ଷକ କିପରି ପଢାଇବେ ଓ ଛାତ୍ରଛାତ୍ରୀ କେମିତି ପଢ଼ିବେ ତାହା ପ୍ରଶ୍ନ ସୃଷ୍ଟି କରିଛି । ଦୁଇଜଣ ଶିକ୍ଷକଙ୍କ ପରେ ସ୍କୁଲଟି ବନ୍ଦ ହୋଇଯିବାର ଯଥେଷ୍ଟ ସମ୍ଭାବନାଅଛି । ଯଦି ବ୍ଲକ୍ଗ୍ରାଣ୍ଡ ବିଦ୍ୟାଳୟ ସରକାରୀ ଅଧୀନସ୍ଥ ହୋଇଥାନ୍ତା ତେବେ ଉଭୟ ପ୍ରାଥମିକ ଓ ଉ.ପ୍ରା ବିଦ୍ୟାଳୟକୁ ଏକତ୍ରିତ କରି ନୋଡାଲ ସ୍କୁଲ ହୋଇପରିଥାନ୍ତା । ମାତ୍ର ଯେହେତୁ ଏହା ଆଂଶିକ ସରକାରୀ ବିଦ୍ୟାଳୟ ତେବେ ସେ ସୁଯୋଗ ମଧ୍ୟ ନାହିଁ । ତେବେ ବିଦ୍ୟାଳୟର ଭବିଷ୍ୟତକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଅକଳରେ ପଡିଯାଇଛନ୍ତି । ଯଦି ସ୍କୁଲଟି ବନ୍ଦ ହୋଇଯାଏ ତେବେ ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀ ମାନେ କରିବେ କଣ । ଆହୁରି ଖବର ନେବାରେ ଜଣାପଡିଛି କି ବର୍ତ୍ତମାନ ୨୦୨୩/୨୪ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀ ମାନଙ୍କ ଆଡ଼ମିଶନ ନିଆଯାଉ ନାହିଁ । ବିଦ୍ୟାଳୟର ଭବିଷ୍ୟତକୁ ନେଇ ଉଭୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମାନେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।