ଲୁଟିନେଲେ ସୁନା ଓ ଲକ୍ଷାଧିକ ଟଙ୍କା 

 ବ୍ୟାସନଗର : ଗୁରୁବାର ରାତିରେ ପୌରାଞ୍ଚଳ ଦଳା ଇଲେକ୍ଟ୍ରି ଅଫିସ ନିକଟରେ ଭଡ଼ା ଘରେ ରହୁଥିବା ବିଦ୍ୟାନନ୍ଦ ଝାଙ୍କ ଘର ଝରକା ଗ୍ରୀଲ ତାଡି ଦୁର୍ବୃତ୍ତ ୧୦ ଭରି ସୁନା ଅଳଙ୍କାର ସହ ନଗଦ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଯାଜପୁର ରୋଡ ଥାନାରେ ଅଭିଯୋଗ ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ଖବର ମତେ ଗୁରୁବାର ରାତିରେ  ବିଦ୍ୟାନନ୍ଦ ଝାଙ୍କ ସପରିବାର ଲୋକେ ଗରମ ହେତୁ ଏସି ଲଗାଇ ସମସ୍ତେ ଗୋଟିଏ ଘରେ ଶୋଇଥିଲେ । ଏଇ ସୁଯୋଗରେ ଦୁର୍ବୃତ ଝରକା ଗ୍ରୀଲ ତାଡି ଘର ଭିତରକୁ ପଶିଥିଲେ । କେହି ଶୋଇ ନଥିବା ରୁମ୍ରେ ପଶି ଥିବାଆଲମିରା ଚାବି ଭାଙ୍ଗି ନଗଦ ୪ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ସହ ୧୦ଭରି ଓଜନର ସୁନା ଅଳଙ୍କାର ଲୁଟି ନେଇଥିଲେ । ଥାନାରେ ହୋଇଥିବା ଅଭିଯୋଗରେ ୩ଟା ମଙ୍ଗଳ ସୂତ୍ର, ୩ଟା ହାର, ୫ଟା ମୁଦି, ଦୁଇଟି ମଥାମଣି, ଦୁଇ ହଳ ସଙ୍ଖା, ୩୦ଟି ରୂପା କଏନ ଓ ୩ ହଳ ରୂପା ପାଉଁଜି ଦୁର୍ବୃତ୍ତ ଲୁଟି ନେଇଥିବାର ଦର୍ଶାଯାଇଛି । ପରିବାର ଲୋକେ ଭୋର ୪ ଟାରେ ଉଠିଥିଲେ ହେଁ ପଦାରୁ କବାଟ ଦିଆଯାଇଥିବା ଜାଣିବାକୁ ପାଇଥିଲେ । ପରିବାର ଲୋକେ କବାଟର ନଟ୍ ସ୍କ୍ରୁ ଖୋଲି ପଦାକୁ  ଆସିବା ପରେ ଝରକା ଗ୍ରୀଲ ଭଙ୍ଗାଯାଇଥିବା ଏବଂ ଗୋଟିଏ ରୁମ୍ର ଆଲମିରା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଅଭିଯୋଗ ପରେ ଥାନା ଅଧିକାରୀ ଉପେନ୍ଦ୍ରନାଥ ପ୍ରଧାନ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡର ସହାୟତା ନେଇଥିଲେ । ଡଗ୍ ସ୍କ୍ୱାର୍ଡ ମାଧ୍ୟମରେ ଅଳ୍ପ କିଛି ସୁନା ଓ ରୂପା କଏନ୍ ଘର ପଛପଟେ ପଡିଥିବା ଅବସ୍ଥାରେ ଜବଦ କରିଥିଲେ । ଯାଜପୁର ରୋଡ ଥାନା ଇଲାକାରେ ଗଲା କିଛି ମାସ ଧରି ନିୟମିତ ଭାବେ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ତଳେ ନହକା ଶିବ ମନ୍ଦିର ନିକଟରୁ ବଡ଼ଧରଣର ଚୋରି ହୋଇଥିଲା । ଯାହାର ସିସିଟିଭି ଫୁଟେଜ ପୁଲିସକୁ ହସ୍ତଗତ ହେଇଥିଲେ ହେଁ ଦୁର୍ବୃତ୍ତଙ୍କ ନିକଟରେ ପହଞ୍ଚିବାରେ ପୁଲିସ ବିଫଳ ହୋଇଛି ।