ଏୟାରଟେଲ୍ କମ୍ପାନୀର ଗ୍ରାହକ ଶୋଷଣ ; ଟାୱାର ଥାଇ ନେଟୱର୍କ ଆସୁନି
କୁଆଖିଆ : ବର୍ତମାନ ବ୍ୟସ୍ତବହୁଳ ଜୀବନରେ ମୋବାଇଲ୍ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ, ଦିନକୁଦିନ ମୋବାଇଲ୍ କମ୍ପାନୀ ମାନଙ୍କର ମନୋମୁଖୀ ବ୍ୟବସାୟ ଚାଲୁଥିବା ଦେଖାଦେଇଛି । ଯାହା ଫଳରେ ଗ୍ରାହକ ମାନେ ପ୍ରତି ମାସରେ ଟଙ୍କା ଗଣୁଥିଲେ ମଧ୍ୟ ଉତମ ସେବାରୁ ବଂଚିତ ହେଉଛନ୍ତି । ଅଭିଯୋଗ ଅନୁଯାୟୀ ରସୁଲପୁର ବ୍ଲକ ଅଂଚଳର ମଧୁବନ ହାଟ ନିକଟରେ ଏକ ପ୍ରାଇଭେଟ୍ ଜମିରେ କେତେ ଗୁଡିଏ କମ୍ପାନୀ ସେମାନଙ୍କ ଟାୱାର ଲଗେଇଛନ୍ତି । ସେମାନଙ୍କ ମଧ୍ୟରେ ଏୟାରଟେଲ୍ କମ୍ପାନୀର ଟାୱାର ରହିଛି । ଏହି ଟାୱାରଟି ଦୀର୍ଘ ଦିନ ଧରି ସଠିକ କାର୍ଯ୍ୟ କରୁ ନ ଥିବା ଯୋଗୁଁ ଏହାର ପାର୍ଶ୍ୱବର୍ତି ରାହାମ୍ବା, ବଡ଼କଇଁଚି, ଗନ୍ଧଣ, ଟିକରପଡା, ନଠୁଆବର ପ୍ରଭୃତି ଅଞ୍ଚଳର ଗ୍ରାହକ ମାନେ ଅନ୍ଲାଇନ୍ ସମ୍ପର୍କିତ ଟଙ୍କା ପଇସା ନେଣ ଦେଣ, ଛାତ୍ରଛାତ୍ରୀ ପାଠ ପଢିବା ପରି ବିଭିନ୍ନ କାର୍ଯ୍ୟରେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହେଉଛି । ଏପରିକି କେତେକ ଗ୍ରାହକ କମ୍ପାନୀର ସେବାରେ ଅସନ୍ତୋଷ ପ୍ରକାଶ କରି ଏୟାରଟେଲ୍ ସିମ୍କୁ ପୋଟେଡ୍ କରି ଅନ୍ୟ କମ୍ପାନୀର ସିମ୍ ବ୍ୟବହାର କରୁଛନ୍ତି । ତେବେ ଯଥା ସମ୍ଭବ କମ୍ପାନୀ ନେଟ୍ୱାର୍କ ସିଷ୍ଟମକୁ ସଜାଡି ଗ୍ରାହକଙ୍କୁ ସେବା ଦେବାପାଇଁ ଗ୍ରାହକ ମହଲରେ ଦାବି ହୋଇଛି ।