ନାଁକୁ ଖାଲି ଶ୍ରମିକ ; ମନମାନିରେ ଚାଲିଛି ରାସ୍ତା ଓ ଖେଳପଡ଼ିଆ ଉନ୍ନତୀକରଣ 

ଯାଜପୁର : ସୂଚନା ଫଳକ ଲେଖା କହୁଛି ଜବକାଡର଼୍ଧାରୀଙ୍କ ଦ୍ୱାରା କାର୍ଯ୍ୟ ହେବ। ଜବକାଡର଼୍ଧାରୀଙ୍କ ପାଇଁ ଦୈନିକ ମଜୁରୀ କେତେ ତାହା ସ୍ପଷ୍ଟ ଭାବେ ଫଳକରେ ଦର୍ଶାଯାଇଛି । କିନ୍ତୁ ଜବକାଡର଼୍ଧାରୀଙ୍କ ବଦଳରେ ମେସିନ କାମ କରି ଚାଲିଯାଉଛି । ଟ୍ରାକ୍ଟରରେ କଞ୍ଚାମାଲ ପଡ଼ିବା ପରେ ତାହାକୁ ବିଛାଇବା ହେଉ କି ସମତଳ କରିବାକୁ ୨୫୪ ଟଙ୍କା ମଜୁରୀରେ ଜବକାଡର଼୍ଧାରୀଙ୍କୁ କାମ ଯୋଗାଇ ଦିଆଯିବା ବଦଳରେ ମନମାନିରେ ଚାଲିଛି ରାସ୍ତା ଓ ଖେଳ ପଡ଼ିଆ ଉନ୍ନତି କରଣ । ଏଭଳି ଅଭିଯୋଗ ସୁକିନ୍ଦା ବ୍ଲକ ଖରଡ଼ି ପଞ୍ଚାୟତରୁ ଆସିଛି । ଉକ୍ତ ପଞ୍ଚାୟତର ଖରଡ଼ି(ନାଉପାଳସାହି)ରେ ୧୦ଲକ୍ଷ କରି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ୧୦ଲକ୍ଷରେ ନାଉପାଳସାହି ଖେଳ ପଡ଼ିଆ ଉନ୍ନତି କରଣ ଗୋଟିଏ ହୋଇଥିବା ବେଳେ ଅନ୍ୟଟି ଖରଡ଼ି ଠାରୁ ନାଉପାଳ ରାସ୍ତା ଉନ୍ନତୀକରଣ । ଦୁଇଟି ଯାକ କାର୍ଯ୍ୟ ବିଭାଗୀୟ ମାନେ ପିଇଓଙ୍କ ଦ୍ୱାରା କରାଯାଉଛି । ଯଦିଓ ସୂଚନା ଫଳକରେ ଏହା ଲେଖା ଅଛି, କିନ୍ତୁ ବାସ୍ତବକ୍ଷେତ୍ରରେ ପିଇଓଙ୍କ ଠିକାଦାରୀରେ ଅନ୍ୟମାନେ କାର୍ଯ୍ୟ କରୁଛନ୍ତି । ତା୨୫ା୧ା୨୫ରୁ ଆରମ୍ଭ ହୋଇଥିବା ପ୍ରକଳ୍ପ କେବେ ଶେଷ ହେବ, ତାର ସଠିକତା ଦର୍ଶାଯାଇନି । ଏକଥା ସୂଚନା ଫଳକ ହିଁ ପ୍ରମାଣିତ କରୁଛି । କାର୍ଯ୍ୟାରମ୍ଭ ତାରିଖ ଉଲ୍ଲେଖ କରାଯାଇ ଶେଷ ହେବା ତାରିଖକୁ ଏଡ଼ାଇଯାଇ ଠିକାଦାର ପିଇଓ ଆରମ୍ଭରୁ ହିଁ ସରକାରୀ ନୀତି ନିୟମ ବାହାରେ କାର୍ଯ୍ୟ କରାଯାଉଥିବା ପ୍ରମାଣ ଥୋଇଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ହେଉଥିବା କଥା ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲେ ହେଁ ବାସ୍ତବ ପକ୍ଷେ କର୍ମଜୀବୀଙ୍କୁ କର୍ମ ଯୋଗାଇ ଦେବା ବଦଳରେ ମେସିନ ଉପରେ ପୁରା ଭରସା କରାଯାଇଛି । ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଲା କାର୍ଯ୍ୟସ୍ତଳରେ ସୂଚନା ଫଳକ ଲଗାଇବା ବଦଳରେ କିଲୋମିଟର ଦୂରରେ ଲଗାଯାଇଛି । ଏଭଳି କରିବା ପଛରେ ସତକୁ ଲୁଚାଇବାକୁ ଚେଷ୍ଟା କରାଯାଇଛି ବୋଲି ଅଭିଯୋଗ ହେଉଛି । ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ଜବକାଡର଼୍ଧାରୀଙ୍କ ରୋଜଗାରକୁ ନିଶ୍ଚିନ୍ତ କରିବା ବଦଳରେ ଏଠାରେ ଉପେକ୍ଷା କରାଯାଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ମନରେଗାରେ ଚାଲିଥିବା ମନମାନିକୁ ରୋକାଯାଇପାରନ୍ତା ।