ଓକିଲଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଫେରାର ଅଭିଯୁକ୍ତ ଗିରଫ

ଓକିଲଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଫେରାର ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୧୪ା୫ : ଜମି କାରବାର ବିଷୟରେ କଥା ହେବାକୁ ଡାକି ହାଇକୋର୍ଟ ଓକିଲଙ୍କୁ କାରରୁ ଟାଣି ଆଣି ଲୁହାରଡ଼ରେ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ପରେ ଏନେଇ ଅଭିଯୋଗ ପରେ ପୂର୍ବରୁ ଜଣକୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ପଥର ଗାଡିଆ ଅଞ୍ଚଳର ସାରଙ୍ଗଧର ବେହେରା । ଆଜି ଥାନା କେସ ନମ୍ବର ୨୧୪ରେ ମାମଲା ରୁଜୁକରି ଦଫା ୩୪୧, ୨୯୪, ୩୨୩, ୩୨୪, ୪୨୭, ୩୦୭, ୩୭୯, ୫୦୬,୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ପ୍ରଫୁଲ କୁମାର ସେଠୀ ଓଡ଼ିଶା ହାଇକୋର୍ଟର ଜଣେ ଓକିଲ ହୋଇଥିବା ବେଳେ ସେ ଜମି କାରବାର ମଧ୍ୟ କରନ୍ତି । ଅଭିଯୁକ୍ତ ଜଣକ ଅଟୋ ଚଳାଇ ପରିବାର ଚଳାଇବା ସହ ସେ ପଥରଗାଡିଆ ଅଞ୍ଚଳରେ ରହିଥିବା ଭଉଣୀ ଘରେ ଗତ ୧ ବର୍ଷ ହେବ ରହିଆସୁଛନ୍ତି । ଅଭିଯୁକ୍ତଙ୍କ ବଡ଼ ଭଉଣୀ ଅଭିଯୋଗକାରୀଙ୍କ ନିକଟରୁ ଜମି ଏକ ଜମି କିଣିବା ପରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ଭଉଣୀ ଭଲ ଭାବରେ ଜଣାସୁଣା । ଗତ ୫ ତାରିଖ ସନ୍ଧ୍ୟାରେ ପ୍ଲଟ୍ ବ୍ୟବସାୟ ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ଅଭିଯୋଗକାରୀଙ୍କୁ ତାଙ୍କର ଜଣେ ବନ୍ଧୁ ଫୋନ କରି ପଥରଗାଡିଆ ଗାଁମୁଣ୍ଡକୁ ଡାକିଥିଲେ । ପରେ ଅଭିଯୋଗକାରୀ କଥା ସୁଣି ସେଠାକୁ ଯାଇ ଆଲୋଚନା କରିବାର କିଛି ସମୟ ପରେ ଅଭିଯୁକ୍ତ ଓ ତାର କିଛି ସହଯୋଗୀ ସେଠାରେ ପହଞ୍ଚି ଅଭିଯୋଗକାରୀଙ୍କୁ କାର ଭିତରୁ ଟାଣି ଆଣି ଗାଳିଗୁଲଜ କରିବା ସହିତ ଆକ୍ରମଣ କରି ତାଙ୍କର ମୋବାଇଲ ଛଡ଼ାଇ ନେଇଥିଲେ । ତାପରେ ତାଙ୍କୁ ଏକ ଲୁହାରଡରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଅଭିଯୋଗକାରୀ ଜଣକ ଗୁରୁତର ଆହତ ହୋଇ ତଳେ ଅଚେତ ଅବସ୍ଥାରେ ପଡ଼ିଯାଇଥିଲେ । ସେହି ସମୟରେ କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କିମସ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଏନେଇ ଅଭିଯୋଗକାରୀ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମୁଖ୍ୟ ଅଭିଯୁକ୍ତ ମାଗୁଣୀକୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ଗିରଫ କରିଛି ।