ଓଡ଼ିଆ ଭାଷା ଓ ସାହିତ୍ୟର ଗତି
ଡକ୍ଟର ଲକ୍ଷ୍ମଣ ସାହୁ : ଓଡ଼ିଆ ଭାଷା ଏକ ଖ୍ରୀଷ୍ଟ- ପୂର୍ବ କାଳୀନ ପ୍ରାଚୀନ, ଉତ୍କୃଷ୍ଟ, ସ୍ୱତନ୍ତ୍ର ସମୃଦ୍ଧ ଶାସ୍ତ୍ରୀୟ ଭାଷା । ବହୁ ଘାତ ପ୍ରତିଘାତ ଗଡାଣି ଉଠାଣି ଦେଇ ସର୍ବଶେଷରେ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି । ଏ ମାଟିର ସ୍ରଷ୍ଟାଗଣ ସାହିତ୍ୟ ସର୍ଜନା ମାଧ୍ୟମରେ ଓଡ଼ିଆ ଭାଷାକୁ ଉନ୍ନତ କରିଆସିଛନ୍ତି । ଯୁଗ ଯୁଗ ଧରି ସର୍ଜନାଶୀଳ ସ୍ରଷ୍ଟାଗଣ ଓଡ଼ିଆ ଭାଷାର ବିକାଶ ଘଟାଇବାକୁ ଯତ୍ନବାନ ହେବା ଏକ ଜାତୀୟ କର୍ତ୍ତବ୍ୟ ବୋଧ ବୋଲି ମନେ କରିଛନ୍ତି । ସତ୍ ସାହିତ୍ୟ ହିଁ ମାନବସମାଜର ବିବିଧ ସାମାଜିକ, ରାଜନୀତିକ, ଅର୍ଥନୀତିକ ସମସ୍ୟାର ସମାଧାନ କରିପାରେ । ମାନବିକତାର ବିକାଶ ଦିଗରେ ଏହାର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ମଣିଷ ଓ ସମାଜର ଅନେକ ସମସ୍ୟାକୁ ସମାଧାନ କରିବାରେ ସାହିତ୍ୟର ସ-ହିତର ଭାବନା ଲୁଚି ରହିଛି । ତେଣୁ ସାହିତ୍ୟ ହେଉଛି ସତ୍ୟମ୍, ଶିବମ୍ ଓ ସୁନ୍ଦରମ୍ । ଦୁଃଖ-ସୁଖ ଓ ହସ -କାନ୍ଦ, ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିଙ୍କ ସହିତ ଏକ ଭାବପ୍ରବଣ ଯୋଡ଼ି ସାହିତ୍ୟ ପାଠକଙ୍କୁ ସେହି ସମସ୍ୟା ପ୍ରତି ସମ୍ବେଦନଶୀଳ କରେ । ସାହିତ୍ୟ ସମାଜକୁ ସଠିକ୍ ମାର୍ଗଦର୍ଶନ ଦିଏ । ପ୍ରକୃତ ସାହିତ୍ୟିକ ସାମାଜିକ ବିଲକ୍ଷଣକୁ ଚିହ୍ନଟ କରି ସେମାନଙ୍କ ବିପକ୍ଷରେ ସାଧାରଣ ଲୋକଙ୍କୁ ସଚେତନ କରାଇଥାଏ । ସାହିତ୍ୟ ସମାଜ ଓ ବ୍ୟକ୍ତିକୁ ନୈତିକ ମାର୍ଗ ଦର୍ଶନ କରାଇବା ସହ ସମାଜରୁ କୁସଂସ୍କାର ଦୂରକରି ଏକ ସୁସ୍ଥସମାଜ ଗଠନରେ ସାହାଯ୍ୟ କରିବା ପାଇଁ ଆଗଭର ହୋଇ ଥାଏ । ଭାଷା ପ୍ରଜ୍ଞାର ଐଶ୍ୱର୍ଯ୍ୟମୟ ଆଭାସରେ ଯେତେବେଳେ ଉଦଭାସିତ ହୁଏ ସେତେବେଳେ ସାହିତ୍ୟର ସ୍ୱରୂପ ଗ୍ରହଣ କରିଥାଏ । ଏହି ଦୃଷ୍ଟିରୁ ଭାଷା ଓ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ।
ଅନେକଙ୍କ ଦୃଷ୍ଟିରେ ସାହିତ୍ୟ ଭାଷାକୁ ବଞ୍ଚାଇ ରଖେ । ବାସ୍ତବରେ ପୃଥିବୀରେ ଏଭଳି ଅନେକ ଭାଷା ରହିଛି ଯାହାର ସେଭଳି କୌଣସି ଲିଖିତ ସାହିତ୍ୟ ନାହିଁ । କିନ୍ତୁ ସେହି ଭାଷାଗୁଡିକ ଶତାବ୍ଦୀ ଶତାବ୍ଦୀ ଧରି ଅଦ୍ୟାବଧି ବଞ୍ଚି ରହିଛି । ଏକଥା ସତ୍ୟ ସାହିତ୍ୟ ଭାଷାକୁ ଗୌରବମଣ୍ଡିତ କରେ, କିନ୍ତୁ ବଞ୍ଚାଇ ରଖି ପାରେ ନାହିଁ । ଦୃଷ୍ଟାନ୍ତ ସ୍ୱରୂପ ସଂସ୍କୃତ ଓ ମୈଥିଳୀ ପ୍ରଭୃତି ଭାଷାରେ ଉଚ୍ଚ଼କୋଟିର ସାହିତ୍ୟ ଥିଲେ ହେଁ ସେହି ସବୁ ଭାଷା ବିପୁଳ ସାହିତ୍ୟର ଅଧିକାରୀ ହୋଇ ମଧ୍ୟ ସେହିସବୁ ଭାଷା ସଂପ୍ରତି ମାତୃଭାଷା ଗୌରବରୁ ବଞ୍ଚିତ ଭାଷା ପାଲଟିଛି । ଜ୍ଞାନ ବିଜ୍ଞାନର ବସ୍ତୁ ହେଉଛି କଳ୍ପନାର ଭାବ ବସ୍ତୁ । କହିବାକୁ ଗଲେ ଭାଷାକୁ ନେଇ ସାହିତ୍ୟ , କିନ୍ତୁ ସାହିତ୍ୟକୁ ନେଇ ଭାଷା ନୁହେଁ । ଅବଶ୍ୟ ଭାଷା ବିକାଶରେ ସାହିତ୍ୟ ପ୍ରତ୍ୟକ୍ଷ ଭାବରେ କୌଣସି ଭୂମିକା ନିର୍ବାହ କରିନଥିଲେ ମଧ୍ୟ ପରୋକ୍ଷରେ ବହୁ ସାହାଯ୍ୟ କରିଥାଏ ।
ଭାଷାର ଆତ୍ମପ୍ରକାଶ ହିଁ ସାହିତ୍ୟ । ଭାଷା ବିସ୍ଫୋରଣରେ ଭାଷା ସାହିତ୍ୟର ସୀମା ସରହଦ ପାର ହୋଇ ବହୁ ଦୂରକୁ ଓ ବହୁ ଦିଗକୁ ଚାଲି ଯାଇଛି । ବର୍ତ୍ତମାନ ଭାଷା ଏତେ ବଢ଼ିଯାଇଛି ଯେ, କୌଣସି ସାହିତ୍ୟ ତାକୁ ନିଜ ଭିତରେ ଧରିବାକୁ ସକ୍ଷମ ନୁହେଁ । ପୂର୍ବରୁ ଭାଷା ଥିଲା ସାହିତ୍ୟର ଗୋଟିଏ ଅଙ୍ଗ । କିନ୍ତୁ ଭାଷା ବିସ୍ପୋରଣ ପରେ ସାହିତ୍ୟ ହୋଇଯାଇଛି ଭାଷାର ଗୋଟିଏ ଅଙ୍ଗ । ଭାଷାର ସମ୍ଭାର ସାହିତ୍ୟ ସମ୍ଭାର ଠାରୁ ଶତ ଗୁଣରେ ବ୍ୟାପକ, ବିସ୍ତୀର୍ଣ୍ଣ , ପ୍ରସାରିତ, ପ୍ରଚାରିତ ଓ ବୈଚିତ୍ରପୂର୍ଣ୍ଣ ହୋଇଯାଇଛି । ସାହିତ୍ୟ ବ୍ୟତୀତ ଅନ୍ୟାନ୍ୟ ସୂତ୍ରରୁ ଶବ୍ଦ, କଳ୍ପ ବା କନସେପ୍ଟ, ବ୍ୟାକରଣ ଆସି ଓଡ଼ିଆ ଭାଷାକୁ ଅଣନିଶ୍ୱାସୀ କରି ପକାଉଛି । ସାହିତ୍ୟ ବାହାରେ ଏପରି ହଡାର ହଜାର ଶବ୍ଦ ବ୍ୟବହୃତ ହେଉଛି, ଯାହାର କୌଣସି ପତ୍ତା ନାହିଁ ସାହିତ୍ୟକୁ ଦେଖିଲେ ।
ଓଡ଼ିଆ ସାହିତ୍ୟର କ୍ରମବିକାଶରୁ ଜଣାପଡେ଼, ଭାଷା ବିକଶିତ ହେବା ଫଳରେ ସାହିତ୍ୟ ସମୃଦ୍ଧ ହୋଇଛି । ଅର୍ଥାତ୍, ପ୍ରାକ-ସାରଳା ଯୁଗୀୟ ସାହିତ୍ୟର ଭାଷା ଠାରୁ ସାରଳା ଯୁଗର ଭାଷା ତା' ଠାରୁ ଉନ୍ନତ । ସେପରି ପଞ୍ଚସଖା ଯୁଗ ସାହିତ୍ୟର ଭାଷା ସାରଳା ଯୁଗର ସାହିତ୍ୟର ଭାଷା ଅପେକ୍ଷ ଉନ୍ନତ ଓ କାବ୍ୟଯୁଗ ସାହିତ୍ୟର ଭାଷା ସର୍ବାପେକ୍ଷା ଉନ୍ନତ । କାବ୍ୟଯୁଗରେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଆରମ୍ଭ ହେଲା । ସେହି ସମୟରେ ମୁଦ୍ରଣଯନ୍ତ୍ର, ସମ୍ବାଦପତ୍ର, ପାଠ୍ୟପୁସ୍ତକ, ଅନୁବାଦ ଇତ୍ୟାଦିର ପ୍ରଣୟନ ଦ୍ୱାରା ଭାଷାର ପ୍ରସାରଣ ଓ ବ୍ୟବହାରରେ ଅଭୂତପୂର୍ବ ବପ୍ଳବ ଆସିଛି । ଅନ୍ୟ ଭାଷାରେ କହିଲେ ସେହି ସମୟରେ ଓଡ଼ିଆ ଭାଷାର ବିସ୍ଫୋରଣ ଆରମ୍ଭ ହୋଇ ଭାଷା ଓ ସାହିତ୍ୟ ହୋଇଗଲା । ସେହି ସମଯରେ ଇଂରାଜୀ ଓ ବଙ୍ଗଳା ସାହିତ୍ୟକୁ ଅତିକ୍ରମ କରି ଭାଷା ବହୁତ ଆଗେଇ ଯାଇଛି । ବର୍ତ୍ତମାନ ଅଗଣିତ ସ୍ରଷ୍ଟା ବହୁବିଧ ସାହିତ୍ୟ ସୃଷ୍ଟି କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରୁଛନ୍ତି । କିନ୍ତୁ ଅନେକ ସାହିତ୍ୟ କଳ୍ପନାଶ୍ରୟୀ, କଳ୍ପନା ପ୍ରସ୍ତୁତ ସାହିତ୍ୟ ପାଠକର ଭାବନା ରାଜ୍ୟରେ ମାୟାର ଇନ୍ଦ୍ରଜାଲ ସୃଷ୍ଟି କରିଥାଏ, ଅଥଚ ଭାଷାର ବିକାଶ ଘଟାଇବାକୁ ଅସମର୍ଥ । ତଥ୍ୟ ଭିତ୍ତିକ ସାହିତ୍ୟ ଭାଷାର ବିକାଶ ଘଟାଇଥାଏ । ଜ୍ଞାନକୋଷ, ଭାଷାକୋଷ, ପ୍ରବନ୍ଧ, ଅଭିଧାନ, ପାଠ୍ୟପୁସ୍ତକ, ସମ୍ବାଦପତ୍ର, ପତ୍ରପତ୍ରିକା ପ୍ରଭୃତିରୁ କୌଶଳ ଓ ତଥ୍ୟ ଉପଲବ୍ଧ ହେଉଥିବାରୁ ପାଠକଗଣ ସାହିତ୍ୟ ଅପେକ୍ଷା ଏହିସବୁ ବହିରୁ ତଥ୍ୟ ଖୋଜୁଛନ୍ତି । ଓଡ଼ିଆ ଭାଷାର ଚିନ୍ତାମୂଳକ ମୌଳିକ ଗଦ୍ୟ ସାହିତ୍ୟର ଏକାନ୍ତ ଅଭାବ ରହିଛି । ଭାଷାର ଉନ୍ନତିରେ କାବ୍ୟ କବିତା ଅପେକ୍ଷା ତଥ୍ୟମୂଳକ ଲେଖାର ଉପାଦେୟତା ଯଥେଷ୍ଟ ରହିଛି । ଏବେ ସମ୍ବାଦପତ୍ର ଗୁଡ଼ିକ କଳ୍ପନାର ପ୍ରଚାର ନକରି ଉଦ୍ଭାବନ, ଆବିଷ୍କାର, ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ, ବାଣିଜ୍ୟ ପ୍ରଭୃତି ସମ୍ପର୍କୀୟ ଅନେକ ଅଜ୍ଞାତ ତଥ୍ୟ ପାଠକଙ୍କ ନିକଟରେ ପହଞ୍ଚାଉଛନ୍ତି । ଫଳରେ ଅନେକ ନୂତନ ଶବ୍ଦ ଓଡ଼ିଆ ଭାଷାରେ ପ୍ରବେଶ କରୁଛି । ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଭାରତରେ ପ୍ରାୟ ୨୦୦ ଭାଷା ମଧ୍ୟରେ ଓଡ଼ିଆ ଭାଷା ଶ୍ରେଷ୍ଠ ଏହା ସଂସ୍କୃତ ଭାଷାର ସମସାମୟିକ ଏକ ଆର୍ଯ୍ୟଭାଷା । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର,ଓ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପିରୁ ପ୍ରମାଣିତ । ଓଡ଼ିଶୀ ସଙ୍ଗୀତର ଷୋଡ଼ଶା ଓ ଚଉତିଶା ଓଡ଼ିଆ ବର୍ଣ୍ଣମାଳା ସହ ଶବ୍ଦଗଠନ ଓ ସଙ୍ଗୀତ ରଚନା ଶୈଳୀରୁ ତା'ର ପ୍ରମାଣ ମିଳେ । ବୈଦେଶିକ ଗବେଷକ ସାର ଜନ ବିମସ,ଜର୍ଜ ଆବ୍ରାହିମ୍ ଗ୍ରୀୟରସନ୍ ଆଦିଙ୍କ ମତରେ ଓଡ଼ିଆ ଭାଷା ଭାରତୀୟ ଭାଷା ପରମ୍ପରା ଏକ ସ୍ୱୟଂ ସମୃଦ୍ଧ ଓ ସ୍ୱାଧୀନ ଭାଷା ।
ତେଣୁ ଓଡ଼ିଆ ଭାଷା , ସାହିତ୍ୟ, ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ , ବରଂ ଏହା ଏକ କଠୋର ତପସ୍ୟା ଓ ଗଭୀର ସାଧନାର ଫଳ । ଏହା ପ୍ରତି ସମୁଚିତ ଆଦର ସମ୍ମାନ ଦିବ୍ୟ ମାତୃ ଭାଷାର ସୁରକ୍ଷା ସଂରକ୍ଷଣ ଜରୁରି । କହିରଖେ ସାହିତ୍ୟ କଳା, ଐତିହ୍ୟ, ଧର୍ମ ଓ ସଂସ୍କୃତିକୁ ସଂରକ୍ଷିତ କରେ । ସୁସ୍ଥ କଳାତ୍ମକ ଓ ସୂଚନାପୂର୍ଣ୍ଣ ମନୋରଞ୍ଜନ ମାଧ୍ୟମରେ ସମାଜର ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ସ୍ଥିତି ବିଷୟରେ ସୂଚନା ଦେଇଥାଏ । ଲେଖାଯାଇଥିବା ଉପନ୍ୟାସ, କାହାଣୀ ଓ କବିତା ମାଧ୍ୟମରେ ବିଭିନ୍ନ ଶ୍ରେଣୀ, ସମ୍ପ୍ରଦାୟ ଇତ୍ୟାଦିର ସମ୍ବେଦନଶୀଳତାକୁ ଅତି ନିକଟରୁ ବୁଝିପାରିବା । ସ୍ଥାୟୀ କଳାତ୍ମକ ରଚନା ହିସାବରେ ଜଗତ ଓ ଜୀବନ ସମ୍ପର୍କରେ ଲେଖକର ଭାବ ଓ ଭାବନା, ଚିନ୍ତା ଓ କଳ୍ପନା, ଆଦେଗ ଓ ଅନୁଭୂତି ପ୍ରକାଶିତ ହୋଇଥାଏ । ତେଣୁ ସାହିତ୍ୟ ସଦାକାଳେ ଦୀର୍ଘସ୍ଥାୟୀ ମାନବୀୟ ମହତ୍ତ୍ୱ ଉପରେ ପ୍ରତିଷ୍ଠିତ। ଭାଷା ସାହିତ୍ୟର ଶବ୍ଦ ବ୍ରହ୍ମ ଅତୀତ ସହିତ ବର୍ତ୍ତମାନର, ଗ୍ରନ୍ଥର ଭାଷା ସହିତ ଭାଷାର ସଜୀବ ବନ୍ଧନରେ ସଂଯୁକ୍ତ କରାଏ । ଜଣେ ଖ୍ୟାତନାମା ବାଦ ତାଙ୍କର ଶୁଭଚିନ୍ତକ ଜନ୍ମାଏ । ଯେଭଳି ରୁଷୋ , ମାର୍କସଙ୍କ ସାହିତ୍ୟ ଅନେକଙ୍କୁ ଅନୁପ୍ରାଣିତ ଓ ପ୍ରୋତ୍ସାହନ ଯୋଗାଇଛି ଓ ସାହିତ୍ୟ ହିଁ ଯୁଦ୍ଧ, ହିଂସା, ବନ୍ଦ, ଆତଙ୍କବାଦ, ଦାରିଦ୍ର୍ୟ, ନିରକ୍ଷରତା, ଅମାନବିକତା, ଶୋଷଣ, ବାଲ୍ୟ ବିବାହ, ବିଧବାମାନଙ୍କ ଦୁଃଖ, ନାରୀ ଅଧିକାର ସଚେତନ କରାଇଥାଏ । ସାହିତ୍ୟ ମିଳନର ସଂଯୋଗ ସେତୁ। ସହାବସ୍ଥାନର ସହିତ ଅର୍ଥର, ଜୀବନ ସହିତ ଜଗତର, ମଣିଷ ସହ ମଣିଷର, ଗ୍ରନ୍ଥ ସହିତ ମିଳନ କରାଇ ସାହିତ୍ୟ ମଣିଷକୁ ଅଧିକ ଜୀବନଧର୍ମୀ ଆତ୍ମବିଶ୍ୱାସୀ କରାଇଥାଏ ।
ବିଶ୍ୱର ଅନେକ ଲେଖକ ଭଲଟାୟାର, ଭିକ୍ଟର ହୁଗୋ ପ୍ରଭୃତି ସାମାଜିକ- ରାଜନୀତିକ ଆନ୍ଦୋଳନକୁ ଆଗେଇ ନେଇ ମାନବ ସମାଜରେ କୁସଂସ୍କାର, ଅନ୍ଧବିଶ୍ୱାସ, ଅତ୍ୟାଚାର,ସଭ୍ୟତାର କୁପରିଣାମ ଆଦି ସମ୍ପର୍କରେ ଜ୍ଞାନ ପ୍ରଦାନ କରି ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି, ତାହା ଅସ୍ୱୀକାର କରିପାରିବା ନାହିଁ । ସତରେ ଭାଷା ଓ ସାହିତ୍ୟକୁ ନେଇ ଯଦି ସଚେତନ ନ ହେବା ତେବେ ଭାଷାନୀତି ଉଲ୍ଲଘଂନ, ଅବହେଳା ଓ ଅନାଦର ଲାଗି ରହିବ । ଓଡ଼ିଆ ଭାଷାର ଆୟୁଷକୁ ହିଁ କେବଳ ଶେଷ କରି ଦେବା । ହଜାର ହଜାର ବର୍ଷ ଧରି ପ୍ରଚଳିତ ଭାଷା ଅଳ୍ପ କେତେ ବର୍ଷରେ ଅନ୍ତ ହୋଇଯିବ । ଗୋଟେ ଭାଷାର ଗୋଟେ ଜାତିର ସବୁଦିନ ପାଇଁ ମୃତ୍ୟୁ ହୋଇଯିବ । ଭାଷାର ବିକାଶ ପାଇଁ ଭାଷାପ୍ରେମୀ,ଭାଷା ବିଜ୍ଞାନୀ,ଭାଷା ଗବେଷକ ,ପୁସ୍ତକ ରଚୟିତା ଓ ପ୍ରଶାସକମାନେ ସ୍ୱତନ୍ତ୍ର ବାସ୍ତବାଭିମୁଖି ଯୋଜନା ପ୍ରସ୍ତୁତ କରିବା ଦରକାରୟ । କେବଳ ଭାଷା ଶଦ୍ଦ ଉଚ୍ଚ଼ାରଣରେ ଭାଷା ସାହିତ୍ୟ ବଞ୍ôଚନାହିଁ । ବଞ୍ଚେ ଜନସାଧାରଣ ଜୀବନ ଶୈଳୀ ଦର୍ଶନରେ ...!!!
ଅଧ୍ୟକ୍ଷ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ
କଟକ -୪, ମୋ ,୯୦୪୦୧୫୧୪୭୫