ବେଦ ପ୍ରବଚନ (୨)

ବେଦର ବହୁ ଦେବତାଙ୍କ ସଂପର୍କରେ କେବଳ ପାଶ୍ଚାତ୍ୟ ବିଦ୍ୱାନ ନୁହେଁ, ଆମ ଦେଶର କିଛି ବିଦ୍ୱାନ ମୋତେ ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ ବେଦ ଉପରେ ପ୍ରବଚନ ପ୍ରଶ୍ନ ପଚାରିଛନ୍ତି  । ପୂଜ୍ୟ ଗୁରୁଦେବଙ୍କ ପାଦଧୂଳିକୁ ସ୍ମରଣ କରି ମୁଁ ସେମାନଙ୍କୁ ଉତ୍ତର ଦେଇଥିଲି ଯେ ଭାରତର ପ୍ରାଚୀନ ତପୋନିଷ୍ଠ ମହର୍ଷିମାନେ ଏହି ବିଶ୍ୱର ଆଦି ବିଷୟ ବୁଝାଇବା ପାଇଁ ନିଜ କୁଶାଗ୍ର ବୁଦ୍ଧିରେ ଯେଉଁ ପ୍ରଯତ୍ନ କରିଅଛନ୍ତି, ତାହା ବିଚାର ଶାସ୍ତ୍ରର ଇତିହାସରେ ଅତ୍ୟନ୍ତ ଗୋ÷ରବର ବିଷୟ  । ଏହି ଅନେକ ରୂପାତ୍ମକ, କ୍ଷଣ କ୍ଷଣରେ ବିଲକ୍ଷଣ ରୂପ ଧାରଣ କରୁଥିବା, ପଦାର୍ଥମାନଙ୍କର ଅନ୍ତଃସ୍ଥଳରେ ବିଦ୍ୟମାନ ଥିବା ଏକରୂପତା, ଅନେକର ମଧ୍ୟରେ ଏକତାକୁ ଖୋଜି ବାହାର କରିବା, ପ୍ରାଚୀନ ବୈଦିକ ଋଷିମାନଙ୍କ ଦର୍ଶନଶାସ୍ତ୍ରକୁ ବହୁମୂଲ୍ୟ ଓ ମହତ୍ତ୍ୱପୂର୍ଣ୍ଣ କରିଅଛି  । ସେମାନଙ୍କ ବିଚାରରେ ଏହି ପରିବର୍ତ୍ତନଶୀଳ ବ୍ରହ୍ମାଣ୍ଡ ଭିତରେ ଏକ ଅପରିବର୍ତ୍ତନଶୀଳ ତତ୍ତ୍ୱ ବିଦ୍ୟମାନ  । ସେ ହିଁ ବ୍ରହ୍ମାଣ୍ଡର ନିୟାମକ ସତ୍ତା ତଥା ବ୍ରହ୍ମ ନାମରେ ପରିଚିତ  । ବ୍ରହ୍ମାଣ୍ଡର ନିୟାମକ ସତ୍ତାର ନାମ ବ୍ରହ୍ମ ଓ ପିଣ୍ଡାଣ୍ଡର ନିୟାମକ ସତ୍ତାର ନାମ ଆତ୍ମା  । ମହର୍ଷିଗଣ ବ୍ରହ୍ମାଣ୍ଡ ଓ ପିଣ୍ଡାଣ୍ଡର ଐକ୍ୟ ସର୍ବୋତ ଭାବେ ସ୍ୱୀକାର କରିଛନ୍ତି ଓ ବ୍ରହ୍ମ ତଥା ଆତ୍ମାର ଏକତା ପ୍ରତିପାଦିତ କରିଛନ୍ତି  । ପ୍ରତ୍ୟେକ ପ୍ରାଣୀ ନିଜ ଭିତରେ ଥିବା ବ୍ରହ୍ମ ସତ୍ତାର ଅନୁଭବ କରୁଛନ୍ତି  । ବ୍ରହ୍ମର ସାକ୍ଷାତକାର କରିବାର ବଡ଼ ଉପାୟ ହେଉଛି ନିଜ ଆତ୍ମାକୁ ଚିହ୍ନିବା ଓ ତାର ଦର୍ଶନ କରିବା  । ଏହାହିଁ ବେଦବର୍ଣ୍ଣିତ ଶ୍ରେଷ ତତ୍ତ୍ୱ  ।
ଉତ୍ତରକୁ ପ୍ରାଞ୍ଜଳ କରିବା ନିମିତ୍ତ ମୁଁ ମହର୍ଷି ଯାସ୍କର ରଚିତ ନିରୁକ୍ତର ଦୈବତକାଣ୍ଡର ଦେବତା ବିବେଚନର ଦୃଷ୍ଟାନ୍ତ ଦେଇ କହିଲି ଯାସ୍କଙ୍କ ମତରେ ଜଗତର ମୂଳରେ ଗୋଟିଏ ମହତ୍ତ୍ୱଶାଳିନୀ ଦେବତା ଶକ୍ତି ରହିଛି ଯେକି ନିରତିଶୟ ଐଶ୍ୱର୍ଯ୍ୟଶାଳିନୀ  । ତାହାର ନାମ ‘ଈଶ୍ୱର’  । ସେ ଏକ ଓ  ଅଦ୍ୱିତୀୟ  । ସେହି ଗୋଟିଏ ଦେବତାର ବହୁତ ରୂପରେ ସ୍ତୁତି କରାଯାଏ  ।
ମହାଭାଗ୍ୟାତ୍ ଦେବତାୟା ଏକ ଏବ ଆତ୍ମା ବହୁଧାସ୍ତୂୟତେ,
ଏକସ୍ୟାତ୍ମନୋନ୍ୟେ ଦେବାଃ ପ୍ରତ୍ୟଙ୍ଗାନ୍ତି ଭବନ୍ତି  ।
ଅତଏବଂ ଯାସ୍କଙ୍କ ମତରେ ଦେବତାଗଣ ଗୋଟିଏ ଦେବତାର ଭିନ୍ନ ଭିନ୍ନ ଶକ୍ତିର ପ୍ରତୀକ  । ବୃହଦେ୍ଦବତା ନିରୁକ୍ତଙ୍କ କଥନକୁ ଅନୁମୋଦନ କରେ, କିନ୍ତୁ ପରବର୍ତ୍ତୀ ସାହିତ୍ୟ ନିରୀକ୍ଷଣ କରିବାର ପ୍ରଶ୍ନ ଉଠୁନାହିଁ  । ସର୍ବବ୍ୟାପୀ ସର୍ବବ୍ୟାପକ ବ୍ରହ୍ମସତ୍ତାର ନିରୂପଣ କରିବା ହିଁ ଋଗ୍ବେଦର ପ୍ରଧାନ ଲକ୍ଷ୍ୟ  । ଏହି କାରଣ ସତ୍ତା କାର୍ଯ୍ୟ ବର୍ଗରେ ଅନୁପ୍ରବିଷ୍ଟ ହୋଇ ସର୍ବତ୍ର ଭିନ୍ନ ଭିନ୍ନ ଆକାରରେ ପରିଲକ୍ଷିତ ହେଉଅଛି  । ପ୍ରକୃତିର କାର୍ଯ୍ୟାବଳୀର ମୂଳରେ ଗୋଟିଏ ମାତ୍ର ସତ୍ତା ଅଛି, ଗୋଟିଏ ହିଁ ନିୟନ୍ତା ଅଛି ଓ ଗୋଟିଏ ହିଁ ଦେବତା ବିଦ୍ୟମାନ ଅଛି  । ଅନ୍ୟ ସକଳ ଦେବତା ଏହି ମୂଳଭୂତ ସତ୍ତାର ବିକାଶ ମାତ୍ର  । ଏହି ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତର ପ୍ରତିପାଦନ ବୈଦିକ ଋଷିଗଣ ଭିନ୍ନ ଭିନ୍ନ ଆକାରରେ କରିଯାଇଛନ୍ତି  । ଐତେରେୟ ଆରଣ୍ୟକ ସ୍ପଷ୍ଟ ଭାବରେ ପ୍ରତିପାଦନ କରିଅଛନ୍ତି ଯେ, ଗୋଟିଏ ମହତୀ ସତ୍ତାର ଉପାସନା ଋଗବେଦୀୟ ଋଷିଗଣ ‘ଉକ୍ଥ୍ୟରେ’ କରୁଥାନ୍ତି  ।
ଏତଂ ହ୍ୱେବ ବହଦୃଚା ମହତୁ୍ୟକ୍ଥେ ମୀମାଂସନ୍ତ,
ଏତମଗ୍ନାବାଧୂର୍ଯ୍ୟବ ଏତଂ ମହାବ୍ରତେ କୁନେ୍ଦାମାଃ 
                           (ଐ÷ତରେଚା ଆରଣ୍ୟକ ୩ ।୨ । ।୩ ।୧୨)
ସେହି ଦେବତାଙ୍କ ଯତ୍ତୁର୍ବେଦୀୟ ଯାଜ୍ଞିକଗଣ ଅଗ୍ନିରୂପରେ ଉପାସନା କରନ୍ତି  । ସାମବେଦୀଗଣ ‘ମହାବ୍ରତ’ ନାମକ ଯାଗରେ ତାହାଙ୍କ ଉପାସନା କରନ୍ତି  । ଜଗତ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ବ୍ରହ୍ମସୂତ୍ରର ଭାଷ୍ୟରେ ଏହି ମନ୍ତ୍ରର ଉଲ୍ଲେଖ କରିଅଛନ୍ତି  । ଋଗବେଦର ପ୍ରମାଣ ଏହି ବିଷୟରେ ନିତାନ୍ତ ସୁସ୍ପଷ୍ଟ  । ଦେବତାଗଣଙ୍କୁ ଋଗବେଦରେ ଅସୁର ବୋଲି କୁହାଯାଇଛି  । ଋଗବେଦର ପ୍ରମାଣ ଏହି ବିଷୟରେ ନିତାନ୍ତ ସୁସ୍ପଷ୍ଟ  । ଅସୁର ଶବ୍ଦର ଅର୍ଥ ‘ଅସୁ’ ବିଶିଷ୍ଟ ଅର୍ଥାତ୍ ପ୍ରାଣଶକ୍ତିସଂପନ୍ନ  । ଇନ୍ଦ୍ର, ବରୁଣ, ସବିତା, ଉଷା ଆଦି ଦେବତା ଅସୁର ଅଟନ୍ତି  । ଦେବତାମାନଙ୍କୁ ‘ବଳସ୍ୱରୂପ’ କୁହାଯାଇଅଛି  । ସେମାନେ ଆତସ୍ଥିବାସ (ସ୍ଥିର ରହିବା ଲୋକ), ଅନନ୍ତାସଃ (ଅନନ୍ତ), ଅଜିରାସଃ ଉରବଃ (ବାର୍ଦ୍ଧକ୍ୟ ରହିତ ବଳଶାଳୀ), ଓ ବିଶ୍ୱତସ୍ପରି ଅଟନ୍ତି  । ସେମାନେ ବିଶ୍ୱର ସମସ୍ତ ପ୍ରାଣୀମାନଙ୍କ ଭିତରେ ବ୍ୟାପ୍ତ ହୋଇ ରହିଛନ୍ତି  । ସେମାନଙ୍କ ନିମିତ୍ତ ସତ୍ୟ, ଧ୍ରୁବ, ନିତ୍ୟ ପ୍ରଭୃତି ଶବ୍ଦମାନ ପ୍ରୟୋଗ କରାଯିବାର ଉପଲବଧି ହୁଏ  । କେବଳ ସେତିକି ନୁହେଁ, ଋଗ୍ବେଦ ତୃତୀୟ ମଣ୍ଡଳ ୫୫ ସୂକ୍ତରେ ଦେବତାମାନଙ୍କର ଅସୁରତ୍ୱ ଏକ ବୋଲି ସ୍ୱୀକାର କରାଯାଇଛି  । ଅସୁରତ୍ୱର ଅର୍ଥ ବଳ ବା ସାମର୍ଥ୍ୟ  । ଦେବତାମାନଙ୍କ ଭିତରେ ଥିବା ସାମର୍ଥ୍ୟ ଏକ, ଭିନ୍ନ ଭିନ୍ନ ବା ସ୍ୱତନ୍ତ୍ର ନୁହେଁ  । ଏହି ସୂକ୍ତର ପ୍ରତ୍ୟେକ ମନ୍ତ୍ରରେ ଶେଷରେ ଏହି ପଦ ବାରମ୍ବାର ଅଛି- ମହଦେ୍ଦବାନାସୁରତ୍ୱମେଙ୍କ’ ଅର୍ଥାତ୍ ଦେବତାମାନଙ୍କର ମହତ୍ ବା ସାମର୍ଥ୍ୟ ଏକ ଅଟେ  । ଏକ ମହାମହିମ ଶାଳିନୀ ଶକ୍ତିର ବିକଶିତ ରୂପ ହେବାରୁ ସେମାନଙ୍କର ଶକ୍ତି ସ୍ୱତନ୍ତ୍ର ନୁହେଁ, ବରଂ ସେମାନଙ୍କ ଭିତରେ ବିଦ୍ୟମାନ ଶକ୍ତି ଏକ ଅଟେ  । ଔଷଧମାନଙ୍କରେ, ପଲ୍ଲବ ଓ ପୁଷ୍ପରୂପେ ସୁଶୋଭିତ ଔଷଧମାନଙ୍କରେ ଓ ଗର୍ଭଧାରଣ କରିବା ଔଷଧମାନଙ୍କରେ ଗୋଟିଏ ହିଁ ଶକ୍ତି ବିଦ୍ୟମାନ ଥାଏ  । ଦେବତାମାନଙ୍କର ମହତ୍ ବା ସାମର୍ଥ୍ୟ ବସ୍ତୁତଃ ଏକ  ।
ଋଗ୍ବେଦରେ ଋତର ଅତି ମନୋରମ ବର୍ଣ୍ଣନା ରହିଛି  । ୠତର ଅର୍ଥ ସତ୍ୟ ଓ ଅବିନାଶୀ ସତ୍ତା  । ଏହି ଜଗତରେ ଋତ ହେତୁ ସୃଷ୍ଟିର ଉତ୍ପତ୍ତି ହୁଏ  । ସୃଷ୍ଟିର ଆଦିରେ ସର୍ବପ୍ରଥମେ ଋତର ଉତ୍ପତ୍ତି ହୋଇଥିଲା  । ବିଶ୍ୱରେ ସୁବ୍ୟବସ୍ଥା, ପ୍ରତିଷ୍ଠା, ନିୟମର କାରଣଭୂତ ଏହି ଋତ ଅଟେ  । ସେହି ଋତର ସତ୍ତାରୁ ବିଷମତା ସ୍ଥାନରେ ସମତା, ଅଶାନ୍ତି ସ୍ଥାନରେ ଶାନ୍ତିର ସାମ୍ରାଜ୍ୟ ବିରାଜମାନ କରିଅଛି  । ଏହି ସୁବ୍ୟବସ୍ଥାର କାରଣ କ’ଣ ? ସତ୍ୟଭୂତ ବ୍ରହ୍ମ ବା ଋତ ହିଁ ଏହାର କାରଣ  । ଋଗବେଦ ଦଶମ ମଣ୍ଡଳ ୧୯୦ତମ ସୂକ୍ତ ୧୭ତମ ମନ୍ତ୍ରରେ କୁହାଯାଇଛି :-
“ଋତଂ ଚ ସତ୍ୟଂ ଚାଭୀଦ୍ଧାତ୍ତପସୋଧ୍ୟ ଜାୟତ  ।”
ଦେବତାମାନେ ଋତର ସ୍ୱରୂପ ବା ଋତରୁ ଉତ୍ପନ୍ନ ହୋଇଛନ୍ତି  । ସୋମ ଋତଙ୍କ ଦ୍ୱାରା ଉତ୍ପନ୍ନ ଓ ବର୍ଦ୍ଧିତ ହୋଇଛନ୍ତି  । ସେ ସ୍ୱୟଂ ୠତରୂପ ଅଟନ୍ତି  । ସୂର୍ଯ୍ୟ ଋତକୁ ହିଁ ବିସ୍ତାର କରୁଛନ୍ତି  । ନଦୀମାନେ ଏହି ଋତକୁ ବହନ କରୁଛନ୍ତି  । ସକଳ ଦେବତାମାନଙ୍କ ଭିତରେ ଓ ସକଳ କାର୍ଯ୍ୟ ମଧ୍ୟରେ ଏହି ଋତର ସତ୍ତା ଅନୁପ୍ରବିଷ୍ଟ  । ଏହି ସତ୍ତାକୁ ଅବଲମ୍ବନ କରି କାର୍ଯ୍ୟମାନ ନିଜର ସ୍ଥିତି ତିଆରି କରି ରଖି ଅଛନ୍ତି  ।
ଋଗବେଦରେ ଦେବତାମାନଙ୍କର ଦ୍ୱିବିଧ ବର୍ଣ୍ଣନ ପରିଦୃଷ୍ଟ ହୁଏ ବୋଲି ଶ୍ରୋତାମାନଙ୍କୁ କହିଲି  । ପ୍ରଥମଟି ମୂଳ ଦୃଶ୍ୟରୂପ ଓ ଦ୍ୱିତୀୟଟି ସୂକ୍ଷ୍ମ ଅଦୃଶ୍ୟ ରୂପ   । ଯେଉଁ ଦେବତାଙ୍କର ରୂପ ସଭିଏଁ ଦେଖିପାରନ୍ତି ତାହା ସେମାନଙ୍କର ସ୍ଥୂଳ ରୂପ ବା ଆଧିଭୌତିକ ରୂପ । ଯେଉଁ ଦେବତାଙ୍କର ରୂପ ଆମ୍ଭମାନଙ୍କ ଇନ୍ଦ୍ରିୟର ଅଗୋଚର ତାହା ସେମାନଙ୍କ ସୂକ୍ଷ୍ମ ଅଦୃଶ୍ୟ ରୂପ ବା ଆଧିଦୈବିକ ରୂପ  । ଏହାବ୍ୟତୀତ ତୃତୀୟ ପ୍ରକାର ଆଧ୍ୟାତ୍ମିକ ରୂପର ମଧ୍ୟ ପରିଚୟ ମିଳେ  । ଉଦାହରଣ ସ୍ୱରୂପ ସୂର୍ଯ୍ୟ ଓ ଅଗ୍ନିଙ୍କର ଦ୍ୱିବିଧ ରୂପ ରହିଛି  । ଯେଉଁ ରୂପର ମଧ୍ୟ ପରିଚୟ ମିଳେ  । ଉଦାହରଣ ସ୍ୱରୂପ ବିଷ୍ଣୁ ,ସୂର୍ଯ୍ୟ ଓ ଅଗ୍ନିଙ୍କର ଦ୍ୱିବିଧ ରୂପ ରହିଛି  । ଯେଉଁ ରୂପରେ ବିଷ୍ଣୁ ପାର୍ଥିବ ଲୋକକୁ ନିର୍ମାଣ କରନ୍ତି ଓ ତିନିକ୍ରମରେ ବିଶ୍ୱକୁ ମାପିଥିଲେ, ତାହା ତାଙ୍କର ଗୋଟିଏ ରୂପ ଏବଂ ପରମପଦ ହେଉଛି ତାଙ୍କର ସୂକ୍ଷ୍ମରୂପ  । ସେ ସ୍ଥାନରେ ବିଷ୍ଣୁଙ୍କର ଭକ୍ତଗଣ ଅମୃତ ପାନ କରି ଆନନ୍ଦ ଅନୁଭବ କରନ୍ତି  । ବିଷ୍ଣୁଙ୍କର ପରମପଦ ପ୍ରାପ୍ତି ବ୍ରହ୍ମର ଉପଲବ୍ଧି ବୋଲି କୁହାଯାଇଅଛି  । ସେହିପରି ସୂର୍ଯ୍ୟଙ୍କର ତ୍ରିବିଧ ରୂପର ଉପଲବଧି ରହିଛି  । ବୈଦିକ ଋଷି ଅନ୍ଧକାରକୁ ଦୂର କରୁଥିବା ସୂର୍ଯ୍ୟଙ୍କର ତିନୋଟି ରୂପ ବର୍ଣ୍ଣନ କରନ୍ତି, ଯଥା-ଉତ୍, ଉତ୍ତର ଓ ଉତ୍ତମ  । ସୂର୍ଯ୍ୟଙ୍କର ଯେଉଁ ଜ୍ୟୋତି ଅନ୍ଧକାରକୁ ଦୂର କରିବାରେ ସମର୍ଥ ସେହି ଜ୍ୟୋତିର ନାମ ଉତ୍, ଦେବତାମାନଙ୍କ ମଧ୍ୟରେ ଯେଉଁ ଜ୍ୟୋତି ଦେବ ରୂପରେ ନିବାସ କରେ ତାହା ଉତ୍ତର  । ଏହି ଦୁହିଁଙ୍କ ଠାରୁ ବଳି ଏକ ବିଶିଷ୍ଟ ଜ୍ୟୋତି ଅଛି ଯାହାର ସଂଜ୍ଞା ମନ୍ତ୍ରରେ ଉତ୍ତମ ଅଟେ  । ଋଗବେଦର ସେହି ମନ୍ତ୍ରଟି ହେଉଛି:-
ଉଦ୍ବୟଂ ତମସସ୍ପରି ଜ୍ୟୋତିଃ ପଶ୍ୟନ୍ତ ଉତ୍ତରଂ,
ଦେବଂ ଦେବତ୍ରା ସୂର୍ଯ୍ୟମଗନ୍ନ ଜ୍ୟୋତିରୁତ୍ତମଂ  ।
                                        (ଋଗବେଦ ୧ ।୨୦ ।୧୦)
ଏହି ମନ୍ତ୍ରରେ ସୂର୍ଯ୍ୟଙ୍କର ଆଧିଭୋ÷ତିକ, ଆଧିବୈଦିକ ଓ ଆଧ୍ୟାତ୍ମିକ ସ୍ୱରୂପର ବର୍ଣ୍ଣନା କରାଯାଇଛି  । ଅଗ୍ନିଙ୍କର ସ୍ଥୂଳ ଓ ସୂକ୍ଷ୍ମ ରୂପର ମନୋରମ କଳ୍ପନା ଋଗବେଦରେ ମିଳେ  । ଐତେରେୟ ଆରଣ୍ୟକର ଉକ୍ତି ଏହି ଯେ, ଅଗ୍ନି ଦୁଇପ୍ରକାର, ଯଥା ତିରୋହିତ ଅଗ୍ନି ଓ ପୁରୋହିତ ଅଗ୍ନି  । ଅଗ୍ନିଙ୍କର ଅବ୍ୟକ୍ତ, ଗୂଢ଼ ଓ ସୂକ୍ଷ୍ମରୂପର ପରିଚାଳକ ତିରୋହିତ ଅଗ୍ନି ଏବଂ ପାର୍ଥିବ ଅଗ୍ନିର ପ୍ରତିପାଦକ ହେଉଛି ପୁରୋହିତ ଅଗ୍ନି  । ଋଗ୍ବେଦର ପ୍ରଥମ ମନ୍ତ୍ରରେ ପାର୍ଥିକ ଅଗ୍ନିର ସତ୍ତା ପରିଦୃଷ୍ଟ  ।
“ଅଗ୍ନିମୀଡେ ପୁରୋହିତଂ ଯଜ୍ଞସ୍ୟ ଦେବମୃତ୍ୱିଜଂ ହୋପରଂ ଯତ୍ନଧାତମଂ’
ଏହି ପ୍ରମାଣମାନଙ୍କ ଆଧାର ଉପରେ ନିଃସନେ୍ଦହରେ ବ୍ୟକ୍ତ କରାଯାଇପାରେ ଯେ, ପାଶ୍ଚାତ୍ୟ ବିଦ୍ୱାନମାନେ ବୈଦିକ ଦେବତାମାନଙ୍କର ବିଷୟରେ ଯାହା କଳ୍ପନା କରିଛନ୍ତି ତାହା ଅମୂଳକ  । ସେମାନଙ୍କ ବୈଦିକ ଧର୍ମର ବିକାଶର କଳ୍ପନା ମଧ୍ୟ ନିଃସାର  । ବୈଦିକ ଧର୍ମ ଅଦ୍ୱୈତ ତତ୍ତ୍ୱ ଅବଲମ୍ବିତ  । ବହୁତ ମଧ୍ୟରେ ଏକତ୍ୱର ଭାବନା, ଭିନ୍ନତା ମଧ୍ୟରେ ଅଭିନ୍ନତାର କଳ୍ପନା ଏବଂ ମୋ÷ଳିକ ନିଗୂଢ଼ତମ ତତ୍ତ୍ୱର ଅନୁସନ୍ଧାନ ବୈଦିକକାଳୀନ ଆର୍ଷଚକ୍ଷୁସଂପନ୍ନ ମହର୍ଷିବୃନ୍ଦ କରିଥିଲେ, ଯାହା ବେଦରେ ମୁସ୍ପଷ୍ଟ । ବେଦରେ ଗୋଟିଏ ଦେବତାର ବିଭିନ୍ନ ସଂଜ୍ଞା ଉପଲବଧ ହୁଏ ପ୍ରଜାପତି, ହିରଣ୍ୟଗର୍ତ୍ତ ଓ ପୁରୁଷ ଆଦି ଶବ୍ଦ ମାନଙ୍କରେ  । ଏହି ହିରଣ୍ୟଗର୍ତ୍ତ ସମସ୍ତଙ୍କ ପୂର୍ବରୁ ଜନ୍ମ ହୋଇଥିଲେ  । ଜନ୍ମ ହେବା ପରେ ସେ ସମସ୍ତ ପ୍ରାଣୀଙ୍କର ଅଦ୍ୱିତୀୟ ଅଧିପତି ହେଲେ  । ସେ ପୃଥିବୀ, ଅନ୍ତରୀକ୍ଷ ତଥା ଆକାଶକୁ ଧାରଣ କରିଥିଲେ  । ଯଜ୍ଞରେ ଏହାଙ୍କ ପ୍ରସାଦନ ପାଇ ଆମ୍ଭେମାନେ ହବିଷ୍ୟ (ଘୃତ) ହୋମ କରୁଥାଉ  । ସେ ସମସ୍ତ ପ୍ରାଣୀମାନଙ୍କର ପ୍ରାଣଦାତା ଓ ବଳଦାତା  । ଅମରତ୍ୱ ଓ ମୃତୁ୍ୟ ଛାୟା ସଦୃଶ ତାଙ୍କର ଅଧୀନ  । ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ ପ୍ରଜାପତି ହିଁ ସର୍ବଶ୍ରେଷ୍ଠ ଦେବତା  । ବ୍ରହ୍ମ ସର୍ବବ୍ୟାପୀ ହେବାର ମହତ୍ତ୍ୱପୂର୍ଣ୍ଣ କଳ୍ପନାର ବର୍ଣ୍ଣନା ଅନେକ ସୂକ୍ତରେ ମିଳେ  । ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ପୁରୁଷସୂକ୍ତ ଓ ଅଦିତୀସୂକ୍ତ  । ଏହି ସୂକ୍ତରେ ସର୍ବେଶ୍ୱରବାଦର ସିଦ୍ଧାନ୍ତ ସ୍ପଷ୍ଟ ରୂପେ ପ୍ରତିପାଦିତ  । ଅଥର୍ବବେଦର ସ୍କମ୍ଭ ସୂକ୍ତ ଓ ଉଚ୍ଛିଷ୍ଟ ସୂକ୍ତର ବିଚାର କଲେ ପ୍ରତୀତ ହୁଏ ଯେ ବ୍ରହ୍ମର ବ୍ୟାପକତା ତଥା ଆତ୍ମାର ଅଭିନ୍ନତାର ସିଦ୍ଧାନ୍ତ ଅଥର୍ବ ବେଦର ଗ୍ରାହ୍ୟ  । ବ୍ରହ୍ମଙ୍କର ଅନ୍ୟତମ ସଂଜ୍ଞା ସ୍କମ୍ଭ ବା ଆଧାର  । ଜଗତର ସମସ୍ତ ପଦାର୍ଥ ତାହାର ଆଶ୍ରୟରେ ନିବାସ କରନ୍ତି ଓ ନିଜର ସତ୍ତା ସ୍ଥିର କରି ରଖନ୍ତି  । ଏହି କାରଣରୁ ତାଙ୍କର ସ୍କମ୍ଭ ସଂଜ୍ଞା ଅନ୍ୱର୍ଥକ  । ସ୍କମ୍ଭ ବିଶ୍ୱର କାରଣ ଅଟେ, ବ୍ରହ୍ମର ମଧ୍ୟ କାରଣ ଅଟେ  । ଏଣୁ ତାହାକୁ ଜ୍ୟେଷ୍ଠ ବ୍ରହ୍ମ ମଧ୍ୟ କହନ୍ତି  । ଯହିଁରେ ଭୂମି, ଅନ୍ତରୀକ୍ଷ, ଆକାଶ ଏକତ୍ର ଅଛନ୍ତି ଏବଂ ଅଗ୍ନି, ଚନ୍ଦ୍ର, ସୂର୍ଯ୍ୟ ଓ ବାୟୁ ଅଛନ୍ତି, ତାହାହିଁ ସ୍କମ୍ଭ  । ସ୍କମ୍ଭ ଦ୍ୟାବା, ପୃଥିବୀ, ଅନ୍ତରୀକ୍ଷ ଓ ଦିଗମାନଙ୍କୁ ଧାରଣ କରେ  । କେବଳ ସେତିକି ନୁହେଁ, ଏହି ସ୍କମ୍ଭ ଭୂତ, ଭବିଷ୍ୟ ଓ ସକଳ ବର୍ତ୍ତମାନର ଅଧୀଶ୍ୱର  । ସ୍କମ୍ଭ ସହିତ ଆତ୍ମାର ଏକତା ବିଷୟରେ ଅଥର୍ବ ବେଦରେ କୁହାଯାଇଛି
ଅକାମୋଧୀରୋ ଅମୃତଃ ସ୍ୱୟମ୍ବୁ, ରସେନ ତୃପ୍ତୋ ନ କୁତଶ୍ଚନୋନଃ  ।
ତମେନ ବିଦ୍ୱାନ ନ ବିଭାୟ ମୃତ୍ୟୋ-ରାତ୍ମାଙ୍କ ଧୀରମଜରଂ ଯୁବାନଂ  । (୧୦ ।୮ ।୪)
ଉଚ୍ଛିଷ୍ଟ ସୂକ୍ତରେ ଉଚ୍ଛିଷ୍ଟ ନାମ ଦ୍ୱାରା ବ୍ରହ୍ମଙ୍କର ବ୍ୟାଖ୍ୟା କରାଯାଇଛି  । ଉଚ୍ଛିଷ୍ଟ ଶବ୍ଦର ଅର୍ଥ ଅବଶିଷ୍ଟ ବା ବାକୀ ପଦାର୍ଥ  । ପ୍ରପଞ୍ଚକୁ ନିଷେଧ କରିବା ପରେ ଯାହା ଅବଶିଷ୍ଟ  ରହେ ତାହାହିଁ ଉଚ୍ଛିଷ୍ଟ  । ବୃହଦାରଣ୍ୟ ଉପନିଷଦରେ ଏହି ସ୍ୱରୂପର ଅଭିବ୍ୟକ୍ତି ‘ନେତି’ ‘ନେତି’ ବୋଲି କୁହାଯାଇଛି :-
“ଅର୍ଥାତ୍ ଆଦେଶୋ ନେତି ନେତି’ (ବୃ.ତ୍ତ ୨ ।୩ ।୧୧)
“ନେହ ନାନାସ୍ତି କିଂଚଳ” (ବୃତ୍ତ ୪ ।୨ ।୨୧)
ଅଥର୍ବ ବେଦରେ ସକଳ ପଦାର୍ଥ ଉଚ୍ଛିଷ୍ଟ ଉପରେ ଅବଲମ୍ବିତ ବୋଲି କୁହାଯାଇଛି  ।  ‘ଉଚ୍ଛିଷ୍ଟ’ ଉପରେ ନାମ ରୂପ ଅବଲମ୍ବିତ ହୋଇଅଛି  । ଅଥର୍ବ ବେଦରେ କୁହାଯାଇଛି-
ଉଚ୍ଛିଷ୍ଟେ ନାନାରୂପଂ ଚୋଚ୍ଛିଷ୍ଟେ ଲୋକ ଆହିତଃ (୧୧ ।୯ ।୨)
ଉଚ୍ଛିଷ୍ଟ ଇନ୍ଦ୍ରଶ୍ଚାଶ୍ନିଶ୍ଚ ବିଶ୍ୱମନ୍ତ୍ରଃ ସମାହିତଂ’, ଅଥର୍ଥ ସଂ
ଏହି ସିଦ୍ଧାନ୍ତ ଅଦ୍ୱୈତ ବେଦାନ୍ତ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ  । ‘ନାମରୂପ’ର ଦୃଶ୍ୟମାନ ଜଗତ ଲାଗି ପ୍ରୟୋଗଧାରାଟି ସାରଗର୍ଭକ  । ବେଦ ଓ ପୁରାଣର ଉତ୍ପତ୍ତି ଉଚ୍ଛିଷ୍ଟ ସୂକ୍ତରୁ ହୋଇଛି ବୋଲି କୁହାଯାଇଛି  । ପ୍ରାଣ, ଅପାନ, ଚକ୍ଷୁ, ଶ୍ରୋତ, ଅକ୍ଷିତି (ସ୍ଥିତି) ତଥା କ୍ଷିତି (ଲୟ) ସମସ୍ତ ଉଚ୍ଛିଷ୍ଟରୁ ଉତ୍ପନ୍ନ  । ଏଣୁ ଉଚ୍ଛିଷ୍ଟର ମହିମା ଅବର୍ଣ୍ଣନୀୟ  । ଅଥର୍ବ ବେଦର ଉଚ୍ଛିଷ୍ଟସୂକ୍ତ ସମୂହକୁ ଅନୁସନ୍ଧାନ କଲେ ହୃଦ୍ବୋଧ ହୁଏ ଯେ ପ୍ରଜାପତି, ପୁରୁଷ, ହିରଣ୍ୟାଗର୍ଭ, ସ୍କମ୍ଭ ଓ ଉଚ୍ଛିଷ୍ଟ ସକଳ ହେଉଛନ୍ତି ପରମତତ୍ତ୍ୱର ବାଚକ  । ଏହା ଉପନିଷଦ ବର୍ଣ୍ଣିତ ବ୍ରହ୍ମତତ୍ତ୍ୱ ଓ ବ୍ରହ୍ମାତ୍ମୈକ୍ୟବାଦର ପୂର୍ବ ପୀଠିକା  । ଏହାକୁ ଆଧାର କରି ଗୀତାରେ ବେଦୈଶ୍ଚ ସର୍ବେ÷ଃ ଅହମେବବେଦ୍ୟଃ” ଓ ପୁରାଣରେ “ଆଦାବନ୍ତୋ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ” କୁହାଯାଇଛି  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨